ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଚେଲା କୁମାର । ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ମିଶ୍ରଣ ପର୍ବରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଦଳର ରାଜ୍ୟ ପ୍ରଭାରୀ ଏ.ଚେଲାକୁମାର । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କଂଗ୍ରେସ ଦଳ "ଘରେ ଘରେ କଂଗ୍ରେସ" କାର୍ଯ୍ୟକ୍ରମ ଆରମ୍ଭ କରିଛି । ବିଜେପି ଏବଂ ବିଜେଡି ସରକାରଙ୍କ ବିଫଳତାକୁ ନେଇ ଆମେ ଲୋକମାନଙ୍କ ପାଖକୁ ଯିବୁ ।
ତେବେ ଚେଲାକୁମାର କହିଛନ୍ତି "ରାଜ୍ୟରେ ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ଯୋଗାଇବାରେ ରାଜ୍ୟ ସରକାର ଫେଲ ମାରିଛନ୍ତି । ସରକାରୀ ଡାକ୍ତରଖାନରେ ଡାକ୍ତର ନାହାନ୍ତି । ଏଭଳି ସ୍ଥିତିରେ ଜଣେ ସାଧାରଣ ମଣିଷ ଏମିତି କେମିତି ଚଳିପାରିବ ବୋଲି ପ୍ରଶ୍ନ କରିଛନ୍ତି ଚେଲା କୁମାର । ଏହାସହ ଭିକେ ପାଣ୍ଡିଆନ ସ୍ବେଚ୍ଛାକୃତ ଭାବରେ ଅବସର ନେବାର 24 ଘଣ୍ଟା ମଧ୍ୟରେ ତାଙ୍କୁ କ୍ୟାବିନେଟ ପାହ୍ୟାରେ ଅବସ୍ଥାପିତ କରାଗଲା । ଯଦି ମୁଖ୍ୟମନ୍ତ୍ରୀ ଏତେ ଶୀଘ୍ର ଜଣଙ୍କୁ ପଦ ପ୍ରଦାନ କରିପାରୁଛନ୍ତି ତେବେ ରାଜ୍ୟର ଉନ୍ନତି ପାଇଁ କାହିଁକି ସାଙ୍ଗେ ସାଙ୍ଗେ ପଦକ୍ଷପ ନେଉନାହାନ୍ତି ? ରାଜ୍ୟବାସୀ ଆଉ କେତେ ବର୍ଷ ଶାସନ କରିବାକୁ ସୁଯୋଗ ଦେଲେ ତାଙ୍କୁ ତାଙ୍କର ମୌଳିକ ସୁବିଧା ମିଳିପାରିବ । ବର୍ଷକୁ 2 ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି କଥା ସରକାର କହିଥିଲେ କିନ୍ତୁ ତାହା ପାଣିର ଗାର ପାଲଟିଯାଇଛି । ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ହଜାର ହଜାର ପଦବୀ ଖାଲି ପଡିଛି । "