ଭୁବନେଶ୍ବର:ନମାମି ମନ୍ଦାକିନୀ ଅନୁଷ୍ଠାନ ତରଫରୁ ରବୀନ୍ଦ୍ର ମଣ୍ଡପରେ ପାଳିତ ହୋଇଯାଇଛି ଓଡ଼ିଆ ନବ ବର୍ଷ ଓ ମହାବିଷୁବ ସଂକ୍ରାନ୍ତି। ଅନୁଷ୍ଠାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିଲା। ଏହି ଉତ୍ସବରେ ଉତ୍କଳର ଗୌରବମୟ ପରମ୍ପରା, ସଂସ୍କୃତି, ଐତିହ୍ୟ ସମ୍ପର୍କରେ ସମ୍ପର୍କରେ ଆଲୋକପାତ କରାଯାଇଥିଲା ।
ସମସ୍ତେ ମାଟି ମାଆ ଓ ମାତୃଭାଷାର ସୁରକ୍ଷା ପାଇଁ କିଭଳି ଆଗେଇ ଆସିବେ ଓ ଏହି ଦିଗରେ କାର୍ଯ୍ୟ କରିବେ ସେ ନେଇ ସଚେତନ କରାଯାଇଥିଲା । ଏହି ଆଲୋଚନାରେ ସାମିଲ ହୋଇଥିଲେ ସଂସ୍କୃତି ବିଶାରଦ ସାହିତ୍ୟିକ, ପ୍ରଶାସନିକ ଅଧିକାରୀ ଓ ରାଜ ନେତା। ସମସ୍ତେ ଓଡ଼ିଆ ଭାଷାର ସମୃଦ୍ଧି ଓ ଗବେଷଣା ସଂପର୍କରେ ଆଲୋଚନା କରିଥିଲେ । ଆଉ ଏହାର ସ୍ୱର୍ଣ୍ଣିମ ଇତିହାସ ସମ୍ପର୍କରେ କହି ଯୁବପିଢିଙ୍କୁ ମାତୃଭାଷା ପ୍ରତି ଭଲପାଇବା ,ମାଟି ପ୍ରତି ଆଗ୍ରହ ପ୍ରକାଶ ସହ ଏହାର ବିକାଶ ଦିଗରେ ଅଗ୍ରସର ହେବା ପାଇଁ ଆହ୍ୱାନ ଦେଇଥିଲେ।
ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗ ଦେଇ କହିଥିଲେ, ''ଆମ ଭାଷା ସାହିତ୍ୟ ପରମ୍ପରା କିଭଳି ସୁରକ୍ଷିତ ହେବ ସେ ଦିଗରେ ଆଲୋଚନା କରିବାକୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଆମେ ଓଡ଼ିଆ ଇତିହାସ ସୃଷ୍ଟି କରିଛେ ,ଆଉ ସ୍ୱତନ୍ତ୍ର ଭାବେ ବିପ୍ଳବ କରି ନିଜର ସ୍ଵତନ୍ତ୍ରତା ଓ ସ୍ୱାଧୀନତା ପାଇଛେ । ତେଣୁ ଆମର ପ୍ରଦେଶ ଦେଶରେ ପ୍ରଥମ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଛି । ଆମେ ଆଜି ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲେଣି , ଯେଉଁଠି ଆମ କବିଙ୍କର କବିତା ବିଶ୍ୱବିଦିତ । ସେହି ମାଟିର ସନ୍ତାନ ଆମେ, ତେଣୁ ଆମେ ସର୍ବଦା ଓଡିଆ ଭାଷାର ସମୃଦ୍ଧି ପାଇଁ ଆଗେଇ ଆସିବା ଦରକାର।"