ଭୁବନେଶ୍ବର: ପିଆଜ ଦର ବୃଦ୍ଧି ନେଇ ଅଭିନବ ଉପାୟରେ ଛାତ୍ର କଂଗ୍ରେସର ପ୍ରତିବାଦ । କନ୍ଦାଉଛି ପିଆଜି, ଜବାବ ଦିଅ ମୋଦି, ନବୀନ ଓ ରଣେନ୍ଦ୍ର ଏଭଳି ସ୍ଲୋଗାନ୍ ଦେଇ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ । ଛାତ୍ର କଂଗ୍ରେସର ପ୍ରତିବାଦକୁ ଦେଖି ମନ୍ତ୍ରୀଙ୍କ ବାସ ଭବନ ସମ୍ମୁଖରେ ପୋଲିସ ଛାଉଣୀ ହୋଇଥିଲା । ମନ୍ତ୍ରୀଙ୍କ ଘର ଆଗରେ 20 ଟଙ୍କାରେ ପିଆଜ ବିକିଲା ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ପିଆଜ ବିକ୍ରି କରି ପ୍ରତିବାଦ କଲା ଛାତ୍ର କଂଗ୍ରେସ ।
ପିଆଜ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ର କଂଗ୍ରେସ ସଭାପତି ୟାସିରଙ୍କ ନେତୃତ୍ୱରେ ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନକୁ ଘେରାଉ କରାଯାଇଥିଲା । କୃଷିମନ୍ତ୍ରୀ ମନ୍ତ୍ରୀଙ୍କ ବାସଭବନର ସମ୍ମୁଖରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ କିଲୋପ୍ରତି ୨୦ ଟଙ୍କା ଦରରେ ପିଆଜ ବିକ୍ରି କରାଯାଇଥିଲା । ରାସ୍ତାରେ ଯାଉଥିବା ଲୋକମାନେ ଏହି ପିଆଜକୁ କ୍ରୟ କରିଥିଲେ । ଛାତ୍ର କଂଗ୍ରେସ ପକ୍ଷରୁ ଶିଶୁ ଭବନ ଛକଠାରୁ ଏକ ରାଲି କୃଷିମନ୍ତ୍ରୀଙ୍କ ବାସଗୃହ ପର୍ଯ୍ୟନ୍ତ ଆସିଥିଲା ଏବଂ ସେଠାରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଓ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପାଇଁ ଆଜି ପିଆଜ ଦର ଆକାଶଛୁଆଁ । ଲୋକଙ୍କୁ ପିଆଜ କନ୍ଦାଉଛି । ଏହାର ଜବାବ ମୋଦି, ନବୀନ ଓ ରଣେନ୍ଦ୍ର ଦିଅନ୍ତୁ । କେବେ ଟମାଟୋ କିଲୋପ୍ରତି ୩୦୦ ହେଉଛି ତ କେବେ ପିଆଜ ଦର କିଲୋପ୍ରତି ୧୦୦ ଟଙ୍କା ହେଇଯାଉଛି । ଏବେ ବଜାରରେ ପିଆଜ ଦର ୮୦ ଟଙ୍କା । ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ବା ରାଜ୍ୟ ସରକାରଙ୍କର କୌଣସି ଯୋଜନା ନାହିଁ । ଓଡ଼ିଶାରେ ପିଆଜ ଚାଷୀଙ୍କୁ ପ୍ରୋତ୍ସାହନ ନାହିଁ । ୨୦୧୫ ମସିହାରେ ନବୀନ ସରକାର ପିଆଜ ମିଶନ କଲେ । ଏଥିରେ ୧୨ କୋଟି ୧୨ଲକ୍ଷ ଟଙ୍କା ବ୍ୟୟବରାଦ ହେଲା । ମାତ୍ର ଏବେ ସେ “ପିଆଜ ମିଶନ” ଗଲା କୁଆଡ଼େ? ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ ।