ଭୁବନେଶ୍ବର:ମାଗଣା ସିଭିଲ୍ ସର୍ଭିସ କୋଚିଂ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ଆଶାୟୀ । ପରୀକ୍ଷା ଦେଇ ମନୋନୀତ ହୋଇଥିବା ଆଶାୟୀମାନେ ମାଗଣାରେ କୋଚିଂ ନେବା ପାଇଁ ମନ ବଳାଉ ନାହାନ୍ତି । 200 ଜଣ ମନୋନୀତଙ୍କ ମଧ୍ୟରୁ 103 ଜଣ ଆଶାୟୀ ମାଗଣାରେ କୋଚିଂ ପାଇଁ ଯୋଗ ଦେଇଥିବା ବେଳେ ବାକି 97 ଜଣ ଯୋଗ ଦେଇନାହାନ୍ତି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏସଏସବିକୁ(SSB) ଚିଠି ଲେଖି ମେଧା ତାଲିକାର ପରବର୍ତ୍ତୀ ଆଶାୟୀଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଛି ।
ସୂଚନା ଅନୁଯାୟୀ, ମାଗଣା ପ୍ରଶାସନିକ ସେବା କୋଚିଂ ପାଇଁ ପ୍ରବେଶିକା ପରୀକ୍ଷାରେ ପାଖାପାଖି 8 ହଜାରରୁ ଊର୍ଦ୍ଧ୍ଵ ଆଶାୟୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ 200 ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ଏସଏସବି କୋଚିଂ ପାଇଁ ଚୟନ କରିଥିଲା । କେନ୍ଦ୍ରୀୟ ଲୋକସେବା ଆୟୋଗ(UPSC) ଦ୍ଵାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା(ଆଇସିଏସ୍) ପରୀକ୍ଷା ଲାଗି ମାଗଣା କୋଚିଂ ପାଇଁ ଗତ ମାସ 26 ତାରିଖରେ ପରୀକ୍ଷା ହୋଇଥିଲା । ଉଚ୍ଚଶିକ୍ଷା ବିଭାଗ ଦକ୍ଷତା ଭିତ୍ତିରେ 200 ଜଣ ଆଶାୟୀଙ୍କୁ ଚୟନ କରିଥିଲା । ଏହାସହ ସେମାନଙ୍କ ପ୍ରଶିକ୍ଷଣ ପାଇଁ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା 103 ଜଣ ଆଶାୟୀ କୋଚିଂ ପାଇଁ ଯୋଗ ଦେଇଥିବା ବେଳେ ଆହୁରି 97 ଜଣ ମାଗଣା କୋଚିଂ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ।