ଭୁବନେଶ୍ବର:୧୨୬ ବର୍ଷର ରେକର୍ଡ ଛୁଇଁଲା ଅଗଷ୍ଟ ତାତି । ୧୯୭୨ ପରେ ପୁରୀରେ ଦ୍ବିତୀୟ ସର୍ବାଧିକ ତାପମାତ୍ରା ୩୬.୦୦ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟରେ ମୌସୁମୀ ଦୁର୍ବଳ ହେବା ପରେ ବର୍ଷାର ପରିମାଣ କମିଛି । ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ଗରମ ସହ ଗୁଳୁଗୁଳି ଆରମ୍ଭ ହୋଇଛି । ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ତାପାମାତ୍ରା ବୃଦ୍ଧି ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।
ସୂଚନା ମୁତାବିକ, ୧୮୯୬ରୁ ୨୦୨୨ ମସିହା ମଧ୍ୟରେ ୧ ଅଗଷ୍ଟ ୧୯୭୨ ମସିହାରେ ପ୍ରଥମ ସର୍ବାଧିକ ୩୬.୮ ଡ଼ିଗ୍ରୀ ତାପମାତ୍ରା ପୁରୀରେ ରେକର୍ଡ ହୋଇଛି । ସେହିପରି ୪ ଅଗଷ୍ଟ ୨୦୧୮ ରେ ୩୫.୮ ଡିଗ୍ରୀ ରେକର୍ଡ ହୋଇଥିଲା ଯାହା ଦ୍ବିତୀୟ ସର୍ବାଧିକ ଥିଲା । ଚଳିତ ଅଗଷ୍ଟ ମାସରେ ସର୍ବାଧିକ ତାପମାତ୍ରା ୩୬.୦୦ ଡିଗ୍ରୀ ରେକର୍ଡ ହୋଇଛି । ଯାହା ୧୨୬ ବର୍ଷର ରେକର୍ଡ ଭାଙ୍ଗିଛି । ଅନ୍ୟପଟେ ମୌସୁମୀ ଦୁର୍ବଳ ହେବାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି । ଖରା ସାଙ୍ଗକୁ ତାତି ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଦିନ ତାପମାତ୍ରାରେ ଅସ୍ବାଭାବିକ ପରିବର୍ତ୍ତନ ଘଟିଛି । ଗତ ୫ ଦିନ ହେବ ରାଜ୍ୟରେ ବର୍ଷାର ପ୍ରକୋପ କମିଛି । ଆସନ୍ତା ୪ ଦିନ କୌଣସି ବର୍ଷାର ସୂଚନା ନଥିବା ବେଳେ କାଁଭାଁ ବିଜୁଳି ଘଡଘଡି ଜନିତ ବର୍ଷା ଦେଖିବାକୁ ମିଳିବ । ବର୍ତ୍ତମାନ ପାଣିପାଗର ନିୟାମକ ସକ୍ରିୟ ନଥିବାରୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ କୌଣସି ବଡ଼ ବର୍ଷା ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।