ଭୁବନେଶ୍ବର:ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିବାରର ଆୟ ଅନୁସାରେ ଛାତ୍ରଛାତ୍ରୀ ପାଇ ପାରିବେ ବୃତ୍ତି । ଯେଉଁ ପରିବାରର ବାର୍ଷିକ ଆୟ ୩ ଲକ୍ଷ ୫୦ ହଜାର ଟଙ୍କାରୁ କମ୍ ଥିବ, ସେହି ପରିବାରର ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀମାନେ ଉକ୍ତ ବୃତ୍ତି ପାଇଁ ଆବେଦନ କରିପାରିବେ । ତେବେ ଗୋଟିଏ ପିଲାକୁ ପ୍ରତି ମାସରେ ଏକ ହଜାର ଟଙ୍କା ଲେଖାଏଁ ୪ ବର୍ଷ ପାଇଁ ଅର୍ଥ ଦିଆଯିବ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ବଥି ଏସଙ୍କ ଅଧ୍ୟକ୍ଷତାରେ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଆୟ ମେଧାବୃତ୍ତି ପରୀକ୍ଷା ପ୍ରତିବର୍ଷ କରାଯାଇଥାଏ । ଯେଉଁ ପରିବାରର ବାର୍ଷିକ ଆୟ ୩ ଲକ୍ଷ ୫୦ ହଜାର ଟଙ୍କାରୁ କମ୍ ଥିବ, ସେହି ପରିବାରର ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ପିଲା ଉକ୍ତ ବୃତ୍ତି ପାଇଁ ଆବେଦନ କରିପାରିବେ । ଏହି ବୃତ୍ତି ନବମ, ଦଶମ, ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀ ନିମନ୍ତେ କରାଯାଇଛି । ତେବେ ଗୋଟିଏ ପିଲାକୁ ପ୍ରତି ମାସରେ ଏକ ହଜାର ଟଙ୍କା ଲେଖାଏଁ ମିଳିବ । ଯାହା ୪ ବର୍ଷ ପର୍ଯ୍ୟନ୍ତ ଅର୍ଥ ଦିଆଯିବ।
ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ଯେପରି ଅଧାରୁ ପାଠପଢ଼ା ନଛାଡ଼ିବେ ସେଥିପାଇଁ ସରକାର ଏହି ବୃତ୍ତି ମାଧ୍ୟମରେ ପିଲାମାନଙ୍କୁ ପ୍ରୋତ୍ସାହିତ କରିଥାନ୍ତି । ଗତକାଲି ଏନେଇ ବୈଠକ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଉକ୍ତ ବୃତ୍ତି ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରକାଶ ପାଇବ । ଏହି ବୈଠକରେ ସ୍ବତନ୍ତ୍ର ସଚିବ ତଥା ଅର୍ଥ ପରାମର୍ଶଦାତା ରତିକାନ୍ତ ମହାପାତ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ରଘୁରାମ ଆର୍. ଆୟାର, ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ମନୋଜ କୁମାର ପାଢ଼ୀ, ରାଜ୍ୟ ପ୍ରାଥମିକ ଶିକ୍ଷା ଅତିରିକ୍ତ ନିର୍ଦେଶକ ବୃନ୍ଦାବନ ଶତପଥୀଙ୍କ ସମେତ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିଭାଗ ଏବଂ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ପ୍ରତିନିଧି ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିଲେ ।