ଓଡିଶା

odisha

By

Published : Jun 6, 2023, 7:51 AM IST

ETV Bharat / state

NIRF Ranking: ଶ୍ରେଷ୍ଠ ୧୦୦ରେ ଓଡ଼ିଶାରୁ ୪, ୯୩ ସ୍ଥାନରେ ଉତ୍କଳ ବିଶ୍ୱବିଦ୍ୟାଳୟ

ପ୍ରକାଶ ପାଇଲା NIRF ରାଙ୍କିଙ୍ଗ ୨୦୨୩ । ଶ୍ରେଷ୍ଠ ୧୦୦ରେ ରହିଛି ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ । ଅଧିକ ପଢନ୍ତୁ

NIRF Ranking 2023
NIRF Ranking 2023



ଭୁବନେଶ୍ବର:କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମୱାର୍କ (NIRF) ୨୦୨୩ ତାଲିକା ପ୍ରକାଶ ପାଇଛି । ବିଭିନ୍ନ ବର୍ଗକୁ ନେଇ ହୋଇଥିବା ଏହି ରାଙ୍କିଂରେ ପୂର୍ବପରି ଏଥର ମଧ୍ୟ ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ଓଡ଼ିଶାର ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଉନ୍ନତ ପ୍ରଦର୍ଶନ କରିଥିବା ବେଳେ ରାଜ୍ୟ ସରକାରଙ୍କ କୌଣସି ଗୋଟିଏ ବି ଅନୁଷ୍ଠାନ ସାମଗ୍ରିକ ତାଲିକାରେ ଶ୍ରେଷ୍ଠ ୧୦୦ ଭିତରକୁ ଆସିପାରିନି। ସାମଗ୍ରିକ ବର୍ଗରେ ଦେଶର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ତାଲିକାରେ ପୂର୍ବପରି ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ରହିଛନ୍ତି । ଅନ୍ୟପକ୍ଷରେ ବିଶ୍ବବିଦ୍ୟାଳୟ ବର୍ଗରେ ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମଡ୍ ବିଶ୍ବବିଦ୍ୟାଳୟ ଏବଂ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍)ର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି ।

ସାମଗ୍ରିକ ବର୍ଗରେ ପୂର୍ବ ବର୍ଷ ପରି ସୋଆ, କିଟ୍, ଏନଆଇଟି ରାଉରକେଲା ଏବଂ ଆଇଆଇଟି ଭୁବନେଶ୍ବର ରହିଛନ୍ତି । ଗତବର୍ଷ ସୋଆ ୩୦ତମ ସ୍ଥାନରେ ଥିବାବେଳେ ଏଥର ୨୬ତମ ସ୍ଥାନକୁ ଉଠିଛି । କିଟ୍ ମଧ୍ୟ ଗତବର୍ଷ ତୁଳନାରେ ଉନ୍ନତ ପ୍ରଦର୍ଶନ କରିଛି । ୩୪ତମ ସ୍ଥାନରୁ ଏହା ୨୯ ନମ୍ବରକୁ ଆସିଛି । ଏନଆଇଟି ରାଉରକେଲା ୩୯ତମ ସ୍ଥାନରୁ ୩୭ତମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଆଇଆଇଟି ଭୁବନେଶ୍ବର ତଳକୁ ଖସିଛି । ଗତବର୍ଷ ଏହା ୬୫ତମ ସ୍ଥାନରେ ଥିବାବେଳେ ଏ ବର୍ଷ ୯୧ ସ୍ଥାନରେ ରହିଛି । କ୍ରମାଗତ ଭାବେ ଆଇଆଇଟି ଭୁବନେଶ୍ବର ଏପରି ନୈରାଶ୍ୟଜନକ ପ୍ରଦର୍ଶନ କରୁଛି । ଶ୍ରେଷ୍ଠ ୧୦୦ ବିଶ୍ବବିଦ୍ୟାଳୟ ବର୍ଗରେ ଉତ୍କଳ ବିଶ୍ବବିଦ୍ୟାଳୟ ୯୩ତମ ସ୍ଥାନରେ ରହିଛି । ଗତବର୍ଷ ଏହା ୮୮ତମ ସ୍ଥାନରେ ରହିଥିଲା । ହେଲେ ସୋଆ ଏବଂ କିଟ୍ ଯଥାକ୍ରମେ ୧୫ତମ ଏବଂ ୧୬ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ଶ୍ରେଷ୍ଠ ୧୦୦ ଇଞ୍ଜିନିୟରିଂ ବର୍ଗରେ ଓଡ଼ିଶାର ୫ ଶିକ୍ଷାନୁ‌ଷ୍ଠାନ ରହିଛି । ଏନଆଇଟି ରାଉରକେଲା ୧୬, ସୋଆ ୨୭, କିଟ୍ ୩୯, ଆଇଆଇଟି ଭୁବନେଶ୍ବର ୪୭ ଏବଂ ସିଭିରମଣ ଗ୍ଲୋବାଲ ୟୁନିଭର୍ସିଟି ୧୦୦ତମ ସ୍ଥାନରେ ରହିଛି । ଶ୍ରେଷ୍ଠ ୧୦୦ ମ୍ୟାନେଜମେଣ୍ଟ ବର୍ଗରେ ଏକ୍ସଆଇଏମ୍ ବିଶ୍ବବିଦ୍ୟାଳୟ ୪୬, ସୋଆ ୫୭, ଆଇଆଇଏମ୍ ସମ୍ବଲପୁର ୫୮, କିଟ୍ ୫୯ ଏବଂ ଆଇଏମଆଇ ଭୁବନେଶ୍ବର ୬୭ତମ ସ୍ଥାନରେ ରହିଛି । ଶ୍ରେଷ୍ଠ ୧୦୦ ଫାର୍ମାସୀ ବର୍ଗରେ ଓଡ଼ିଶାର କୌଣସି ଶିକ୍ଷାନୁ‌ଷ୍ଠାନର ନା ନାହିଁ । ଶ୍ରେଷ୍ଠ ୫୦ ମେଡିକାଲ ବର୍ଗରେ ସୋଆ ୧୬ତମ ସ୍ଥାନକୁ ଉନ୍ନୀତ ହୋଇଛି । ଗତବର୍ଷ ଏହା ୧୮ତମ ସ୍ଥାନରେ ରହିଥିଲା । ସେହିପରି ଭୁବନେଶ୍ବର ଏମ୍ସ ମଧ୍ୟ ୨୬ରୁ ୧୭ତମ ସ୍ଥାନକୁ ଉଠିଛି । କିଟ୍ ୩୦ରୁ ୨୬ତମ ସ୍ଥାନକୁ ଆସିଥିବାବେଳେ ଏସସିବିର ନାମ ନାହିଁ।

ଏହାସହ ଶ୍ରେଷ୍ଠ ୪୦ ଡେଣ୍ଟାଲ ବର୍ଗରେ ଗତବର୍ଷ ଭଳି ଏଥର ମଧ୍ୟ ସୋଆ ଏବଂ କିଟ୍ ରହିଛନ୍ତି । ସେଆ ୧୦ରୁ ୯ ଏବଂ କିଟ୍ ୨୬ରୁ ୨୦ତମ ସ୍ଥାନକୁ ଉନ୍ନୀତ ହୋଇଛି । ଶ୍ରେଷ୍ଠ ୩୦ ଆଇନ ବର୍ଗରେ ସୋଆ ଉପରକୁ ଉଠିଥିବା ବେଳେ କିଟ୍ ଏବଂ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ତଳକୁ ଖସିଛି । ସୋଆ ୯ରୁ ୮ମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ କିଟ୍ ୧୧ତମ ସ୍ଥାନରୁ ୧୨କୁ ଏବଂ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ୨୫ତମ ସ୍ଥାନରୁ ୩୦କୁ ଖସିଛି ।

ଶ୍ରେଷ୍ଠ ୧୦୦ କଲେଜ ବର୍ଗରେ ଓଡ଼ିଶାର ଗୋଟିଏ ବି ଶିକ୍ଷାନୁଷ୍ଠାନ ନାହିଁ । ଶ୍ରେଷ୍ଠ ୫୦ ଗବେଷଣା ଅନୁଷ୍ଠାନ ବର୍ଗରେ ଏନଆଇଟି ରାଉରକେଲା ୨୯ତମ ସ୍ଥାନ, କିଟ୍ ୪୪ତମ ଏବଂ ସୋଆ ୪୯ତମ ସ୍ଥାନରେ ରହିଛି । ଶ୍ରେଷ୍ଠ ୩୦ ଆର୍କିଟେକଚର ଆଣ୍ଡ ପ୍ଲାନିଂରେ ଏନଆଇଟି ରାଉରକେଲା ୮ମ ସ୍ଥାନରେ ଏବଂ ଶ୍ରେଷ୍ଠ ୪୦ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ବର୍ଗରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ୨୨ତମ ସ୍ଥାନରେ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details