ଓଡିଶା

odisha

ETV Bharat / state

ଆତଙ୍କବାଦୀ ଆକ୍ରମଣର ପ୍ରତିବାଦ: ରାଜ୍ୟବ୍ୟାପୀ ଦୋକାନ ବଜାର ବନ୍ଦ

ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ସୋମବାର ଦେଶବ୍ୟାପୀ ଦିନିକିଆ ଦୋକାନ ବଜାର ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି, କ୍ୟାଣ୍ଡେଲ ଶୋଭାଯାତ୍ରା ମାନ କରାଯାଇଛି ।

By

Published : Feb 18, 2019, 11:44 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌ ଭୁବନେଶ୍ବର

ଭୁବନେଶ୍ବର: ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ସୋମବାର ଦେଶବ୍ୟାପୀ ଦିନିକିଆ ଦୋକାନ ବଜାର ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି, କ୍ୟାଣ୍ଡେଲ ଶୋଭାଯାତ୍ରା ମାନ କରାଯାଇଛି । ସମଗ୍ର ଦେଶ ଏକଜୁଟ ହୋଇ ଆତଙ୍କବାଦ ବିରୋଧରେ ଛିଡା ହେବାପାଇଁ ଡାକରା ଦେଇଛନ୍ତି ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ । ସୋମବାର ରାଜଧାନୀ ଭୁବନେଶ୍ବର ସମେତ ସମସ୍ତ ଜିଲ୍ଲାରେ ଦୋକାନ ବଜାର ବନ୍ଦ ରହିଛି । କେବଳ ଔଷଧ ଦୋକାନ, ପେଟ୍ରୋଲ ପମ୍ପକୁ ଛାଡିଦେଲେ ଆଉ ସମସ୍ତ ଦୋକାନ ବନ୍ଦ ରହିଛି ।

ଫଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍‌ ଭୁବନେଶ୍ବର

ଭୁବନେଶ୍ବର

ସୋମବାର ସକାଳ 6ଟା ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ସମର୍ଥନ କରି ରାଜଧାନୀର ଛୋଟ ବଡ଼ ସବୁ ବ୍ୟବସାୟୀ ପ୍ରତିଷ୍ଠାନ, ମଲ, ହାଟ- ବଜାର ଏପରିକି ପେଟ୍ରୋଲ ପମ୍ପ ବନ୍ଦ ରହିଛି । ଏହାସହ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା । ଏହି ଶୋଭାଯାତ୍ରା କମଳା ନେହେରୁ କଲେଜ ନିକଟରୁ ବାହାରି ଶିଶୁ ଭବନ ଛକ, ରାଜମହଲ ଛକ ଓ ଏକନମ୍ବର ହାଟ ଦେଇ ପୁଣି କଲେଜ ନିକଟରେ ପହଞ୍ଚିଥିଲା । ଏଥିରେ ଶତାଧିକ ଛାତ୍ରଛାତ୍ରୀ 50ମିଟର ତ୍ରିରଙ୍ଗାକୁ ଧରି ପାକିସ୍ତାନ ବିରୁଦ୍ଧରେ ସ୍ଲୋଗାନ ଦେବା ସହିତ ଭାରତମାତା କି ଜୟ ନାରା ଦେଇଛନ୍ତି ।

ନୂଆପଡା

ଜିଲ୍ଲାର ପ୍ରାଣକେନ୍ଦ୍ର ଖଡିଆଳ ବ୍ୟବସାୟୀ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ପାକିସ୍ତାନକୁ କେନ୍ଦ୍ର ସରକାର ତୁରନ୍ତ ଜବାବ ଦେବାପାଇଁ ଦାବି କରାଯାଇଛି । ଏହାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏ ନେଇ ଏକ ଦାବିପତ୍ର ଖଡିଆଳ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି ।

ମୟୁରଭଞ୍ଜ

ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଜିଲ୍ଲାର ବାରିପଦା, କରଞ୍ଜିଆ, ଉଦଳା, ରାଇରଙ୍ଗପୁରରେ ବ୍ୟବସାୟିକ ସଂଘ ବନ୍ଦ ରେ ସାମିଲ ହୋଇଛି। ବ୍ୟବସାୟିକ ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ଶ୍ରଦ୍ଧଞ୍ଜଳି ଅର୍ପଣ କରାଯିବା ସହ ରାଲି କରାଯାଇଛି।


ରାଇରଙ୍ଗପୁର

ଏହାସହ ସହରର ରାଇରଙ୍ଗପୁରରେ ବନ୍ଦ ଡ଼ାକରାକୁ ବାମନଘାଟି ଉପଖଣ୍ଡର ସମସ୍ତ ଜନସାଧାରଣ ପୂର୍ଣ୍ଣ ସମର୍ଥନ କରିଛନ୍ତି । ରାଇରଙ୍ଗପୁର, ଯଶିପୁର, କରଞ୍ଜିଆ, ତିରିଂ, ବହଳଦା ଓ ବିଶୋଇରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ରାଇରଙ୍ଗପୁରର ଗୋଲେଇ ଛକରେ ବଜରଙ୍ଗ ଦଳ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା ।

କେନ୍ଦୁଝର

ଭାରତ ବନ୍ଦରେ ସାମିଲ ହେଲା କେନ୍ଦୁଝର ବଣିକ ସଙ୍ଘ । କେନ୍ଦୁଝର ଜିଲ୍ଲାର ବଣିକ ସଂଘ ଭାରତ ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । ଜିଲ୍ଲାର ସବୁ ଦୋକାନ ବଜାର ବନ୍ଦ ରହିଛି ।

ଭଦ୍ରକ

ଏହି ବନ୍ଦ ଡାକରାରେ ଜିଲ୍ଲାରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଔଷଧ ଦୋକାନ, ଶିକ୍ଷାନୁଷ୍ଠାନ ସହ ଅନ୍ୟ ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ସବୁ ଯଥାରୀତି ଖୋଲା ରହିଛି । ମୋଟାମୋଟି ଆଜିର ଏହି ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଡାକରାରେ ସମସ୍ତ ବ୍ୟବସାୟ ସଂଘ ସାମିଲ ହେବା ସହ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଝାରସୁଗୁଡା

ଝାରସୁଗୁଡାରେ ବନ୍ଦ ବେଳେ ଗାଡ଼ି ଚଳାଚଳ ଉପରେ କୌଣସି କଟକଣା ଲଗାଯାଇନାହିଁ। ଗାଡ଼ି ଚଳାଚଳ ସ୍ୱାଭାବିକ ରହିଛି। କେବଳ ଦୋକାନ ବଜାର ବନ୍ଦ କରାଯାଇଛି । ଏହାସହ ଦୁଇ ଓଡ଼ିଆ ଶହୀଦଙ୍କ ପରିବାରକୁ ବ୍ୟବସାୟୀ ସଂଘ ପକ୍ଷରୁ ଅନୁକମ୍ପା ମୂଳକ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଝାରସୁଗୁଡା ଚାମ୍ବର ଅଫ କମର୍ସ ପକ୍ଷରୁ କୁହାଯାଇଛି।

ସମ୍ବଲପୁର

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ଆଜି ସାରା ଦେଶ ସହିତ ସମ୍ବଲପୁର ମଧ୍ୟ ବନ୍ଦ ରହିଛି । ସୋମବାର ସକାଳୁ ସମ୍ବଲପୁରର ଛୋଟ ବଡ଼ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ଏହି ଅବସରରେ କାଶ୍ମୀରରୁ ଧାରା 370କୁ ଉଠାଇଦେବାକୁ ଦାବି ହୋଇଛି । ଅନ୍ୟପଟେ ସୋମବାର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ମାନେ ମଧ୍ୟ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶୋଭାଯାତ୍ରା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଯାଜପୁର

ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ଯାଜପୁରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ସକାଳ ୬ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ରହିବ । ପେଟ୍ରୋଲ ପମ୍ପଗୁଡିକ ବନ୍ଦ ରହିବା ସହ ସହୀଦଙ୍କ ଅମର ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଜିଲ୍ଲାବାସୀ ।

ରାଉରକେଲା

ରାଉରକେଲା ସହରରେ ଶହୀଦମାନଙ୍କୁ କ୍ୟାଣ୍ଡେଲ ଜଳାଇ ଶ୍ରଦ୍ଧଞ୍ଜଳି ଦେଇଛନ୍ତି ମୁସଲିମ ସମ୍ପ୍ରଦାୟରର ଲୋକେ । ଏହାସହ ପାକିସ୍ତାନ ବିରୋଧରେ କାର୍ଯନୁଷ୍ଠାନ ଦାବି କରିଛନ୍ତି ଲୋକେ । ସେମାନେ ଯବାନ ମାନଙ୍କ ସହିତ ଅଛନ୍ତି ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details