ଭୁବନେଶ୍ବର: ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ଓ ବେରୋଜଗାରୀକୁ ନେଇ ଛାତ୍ର କଂଗ୍ରେସର ବିକ୍ଷୋଭ । ଓଡ଼ିଶାର ବେକାରୀ ଯୁବକ ଯୁବତୀଙ୍କ କର୍ମ ସଂସ୍ଥାନ ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ନିଯୁକ୍ତି କ୍ରାନ୍ତି । ଛାତ୍ର କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ସମସ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ରାଜ୍ୟରେ ବେରୋଜଗାରୀ ଏକ ଉତ୍କଟ ସମସ୍ୟା ଭାବରେ ମୁଣ୍ଡ ଟେକିଛି । ହେଲେ ରାଜ୍ୟ ସରକାର ଏହାର ସମାଧାନ ଡିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ବୋଲି ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ । ଭୁବନେଶ୍ବର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ୫ ଦଫା ଦାବି ନେଇ ଆଜି ଭୁବନେଶ୍ବର ସ୍ଥିତ ଏଡିଏମ କାର୍ଯ୍ୟାଳୟ ସମ୍ମୁଖରେ ‘ନିଯୁକ୍ତି କ୍ରାନ୍ତି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଛାତ୍ର କଂଗ୍ରେସର ଶତାଧିକ ଛାତ୍ରଛାତ୍ରୀ ଏଡିଏମ୍ କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଶିକ୍ଷିତ ଯୁବବର୍ଗଙ୍କ ପାଇଁ ରାଜ୍ୟରେ କର୍ମ ସଂସ୍ଥାନ ନଥିବାରୁ ସେମାନେ ବାହାରକୁ ଚାଲି ଯାଉଛନ୍ତି। ରାଜ୍ୟ ସରକାର ବିଧାନସଭାରେ ତଥ୍ୟ ରଖିଛନ୍ତି ରାଜ୍ୟରେ 2 ଲକ୍ଷ 26 ହଜାର ପଦବୀ ଖାଲି ପଡ଼ିଥିବାବେଳେ, 9 ଲକ୍ଷ ଯୁବକଯୁବତୀ ପଞ୍ଜିକୃତ କରି କାମ ଅନ୍ବେଷଣରେ ବିଭିନ୍ନ ସ୍ଥାନ ଘୁରି ବୁଲୁଛନ୍ତି। ବାହାର ଠିକାଦାର ଙ୍କୁ କାହିଁକି ଏତେ ଅଗ୍ରାଧିକାର ଦିଆଯାଉଛି। ଯୋଉଠିକି ଓଡ଼ିଆ ଠିକାଦାର ମାନେ କାମ ନପାଇ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି ସଂଗଠନ ପ୍ରଶ୍ନ କରିଛି ।