ଭୁବନେଶ୍ବର: ନନ୍ଦନକାନନରେ ନବଜାତ ବାଘ ଓ ସିଂହ ଛୁଆର ହେଲା ନାମକରଣ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ ଅବସରରେ ବାଘ, ସିଂହ ଓ ହାତୀ ଶାବକର ନାମକରଣ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ବାଘୁଣୀ ଅଙ୍କିତାର ଶାବକମାନଙ୍କର ନାମ ଶ୍ରୀ, ତୃପ୍ତି, ଜୟଶ୍ରୀ, ଅମିତ୍ ରଖାଯାଇଥିବା ବେଳେ ବାଘୁଣୀ ରୂପାର ଶାବକ ନାମ ଅମୃତା ଓ ଶିବ ରଖାଯାଇଛି । ସେହିଭଳି ଭାବରେ ବିଜୁଳି ସିଂହୀର ଶାବକ ନାମ ଶ୍ରଦ୍ଧା, ରିମା, ଅନାମିକା, ଯୁବରାଜ ରଖାଯାଇଥିବା ବେଳେ ରେୱା ସିଂହୀ ଶାବକ ନାମ ମାୟା, ଶିବମ ନାମକରଣ କରାଯାଇଛି ।
ଏପଟେ ହାତୀ ଶାବକ ନାମ ଅଭି, ଆଶା ରଖାଯାଇଛି । ଏହି ସମସ୍ତ ନାମକରଣ କରିଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ । କିଛି ଦିନ ପୂର୍ବରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ଏହି ସମସ୍ତ ଶାବକଙ୍କ ନାମକରଣ କରିବା ଲାଗି ସୋସିଆଲ ମିଡିଆରେ କିଛି ନାମ ପରାମର୍ଶ ପାଇଁ ଅନୁରୋଧ କରାଯାଇଥିଲା । ତେବେ ପରାମର୍ଶରେ ଅନେକ ନାମ ମଧ୍ୟ ଆସିଥିଲା । ସେଥିମଧ୍ୟରୁ ଏହି ସମସ୍ତ ନାମକୁ ଅଧିକ ପସନ୍ଦ କରାଯାଇଛି ।
ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କାସୁଆରୀ ପକ୍ଷୀ ପାଇଁ ସ୍ୱତନ୍ତ୍ର ଏନକ୍ଲୋଜର ଲୋକାର୍ପିତ କରାଯାଇଛି । ଅଷ୍ଟ୍ରିଜ ଖୁଆଡ଼କୁ ମଧ୍ୟ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଲୋକାର୍ପିତ କରାଯାଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ରାଜ୍ୟ ବଟାନିକାଲ ଗାର୍ଡେନର ୱେବସାଇଟକୁ ଶୁଭାରମ୍ଭ କରାଯାଇଛି । ଏହାସହ ନନ୍ଦନକାନନର ଏକ ଆପ ମଧ୍ୟ ଶୁଭାରମ୍ଭ କରାଯାଇଛି । ଏପଟେ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ବାଉଁଶ ଉଦ୍ୟାନ ୪.୪ ଏକର ଜାଗାରେ ନିର୍ମିତ କରାଯାଇଛି । ଏଠାରେ ୭୦ ପ୍ରକାରର ବାଉଁଶ ଗଛ ପର୍ଯ୍ୟଟକ ଦେଖିବାକୁ ପାଇବେ । ସେହିପରି ମୋଗଲ ଉଦ୍ୟାନକୁ ଉଦଘାଟନ କରାଯାଇଛି । ଯେଉଁଠାରେ ପର୍ଯ୍ୟଟକମାନେ ୨୨୫ ପ୍ରଜାତିର ଜଲଜ ଉଦ୍ଭିଦ, ଜଲଜ ଘାସ, ଜଳମଗ୍ନ, ଭାସମାନ ଉଦ୍ଭିଦ ସହିତ ୪୪ ପ୍ରକାରର କଇଁ, ଫୁଲ ଦେଖିବାକୁ ପାଇବେ ।