ଭୁବନେଶ୍ବର:ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମୁକ୍ତା ଯୋଜନାକୁ ମିଳିଛି ବିଶ୍ୱସ୍ତରୀୟ ସ୍ୱୀକୃତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱରେ ରାଜ୍ୟ ସରକାରଙ୍କ ୫ଟି ପଦକ୍ଷେପ ଅନ୍ତର୍ଗତ ଏହା ସହରୀ କର୍ମ ନିଯୁକ୍ତି ଯୋଜନା । ଏହାକୁ କାର୍ଯ୍ୟକାରୀ କରୁଥିବା ଗୃହ ଓ ନଗର ଉନ୍ନୟନ ବିଭାଗ ୨୦୨୧-୨୦୨୨ ବିଶ୍ୱ ସମ୍ବଳ ପ୍ରତିଷ୍ଠାନର ଅନ୍ୟତମ ବିଜେତା ଭାବରେ ମନୋନୀତ ହୋଇ WRI ସହରଗୁଡିକ ପାଇଁ ରୋସ୍ ସେଣ୍ଟର ପୁରସ୍କାର ହାସଲ କରିଛି ।
ଫେବୃଆରୀ ୧ ତାରିଖରେ ନ୍ୟୁୟର୍କ ସହରର ଫୋର୍ଡ ଫାଉଣ୍ଡେସନ ସେଣ୍ଟର ଫର ସୋସିଆଲ ଜଷ୍ଟିସରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେତା ଘୋଷିତ ହୋଇଛି । ନ୍ୟୁୟର୍କରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥି ଭାଥନନ୍ ଏହି ଅନ୍ତର୍ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି । ବିଭାଗର ଯୁଗ୍ମ ସଚିବ ସାରଦା ପ୍ରସାଦ ପଣ୍ଡା ପୁରସ୍କାର ଗ୍ରହଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏକ ଅନ୍ତର୍ଜାତୀୟ ଜୁରି ଦଳ ଏହି ପୁରସ୍କାର ପ୍ରତିଯୋଗିତାରେ ୬୫ଟି ଦେଶର ୧୫୫ଟି ସହରରୁ ଆସିଥିବା ୨୬୦ଟି ଆବେଦନ ମଧ୍ୟରୁ ମୁକ୍ତାକୁ ବିଜେତା ଭାବରେ ଚୟନ କରିଥିଲେ ।
ସହରଗୁଡିକ ପାଇଁ ପୁରସ୍କାର ହେଉଛି WRI ର ସହରୀ ରୂପାନ୍ତରଣ ପୁରସ୍କାର ଯାହାକି ବିଶ୍ୱ ବ୍ୟାପି ଅଧିକ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ସହର ସୃଷ୍ଟି କରୁଥିବା ଅଗ୍ରଣୀମାନଙ୍କୁ ସ୍ୱୀକୃତି ପ୍ରଦାନ କରେ । ଅନିଶ୍ଚିତତା, ବ୍ୟାଘାତ ଏବଂ ସଙ୍କଟର ମୁକାବିଲା ପାଇଁ ସହରାଞ୍ଚଳର ଗରିବ, ଅନୌପଚାରିକ ତଥା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ବଡ଼ ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି କରି ମୁକ୍ତା ଏହି ପୁରସ୍କାର ହାସଲ କରିଛି । କଠିନ ସମୟରେ ବଞ୍ଚିବା ଏବଂ ତିଷ୍ଠି ରହିବା ପାଇଁ ଏକ ପ୍ରଣାଳୀ ଭାବରେ ମୁକ୍ତାକୁ ସ୍ୱୀକୃତି ମିଳିଛି ।