ଓଡିଶା

odisha

ETV Bharat / state

ଆକ୍ରାମକ ମୁଡରେ ବିଜେପି ସାଂସଦ; ସଚିବଙ୍କ ଜିଲ୍ଲା ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଟାର୍ଗେଟ - ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବଙ୍କ ଓଡିଶା ଗସ୍ତ

'ମୁଖ୍ୟମନ୍ତ୍ରୀ ରୋମ ଯାଉଛନ୍ତି, ଟୋକିଓ ଯାଉଛନ୍ତି କିନ୍ତୁ ରାଜ୍ୟବାସୀଙ୍କ ସହ ମିଶିବା ପାଇଁ ନିଜର ବ୍ୟକ୍ତିଗତ ସଚିବଙ୍କୁ ଲଗାଇଛନ୍ତି । ସ୍ୱାଧୀନ ଭାରତ ଇତିହାସର ଗଣତନ୍ତ୍ର ଶାସନରେ ଏଭଳି କେବେ ଦେଖାଯାଇନାହିଁ ।' ଏଭଳି କିଛି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ପଢନ୍ତୁ ପୁରା ଖବର..

ଆକ୍ରାମକ ମୁଡରେ ବିଜେପି ସାଂସଦ, ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଟାର୍ଗେଟ
ଆକ୍ରାମକ ମୁଡରେ ବିଜେପି ସାଂସଦ, ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଟାର୍ଗେଟ

By ETV Bharat Odisha Team

Published : Oct 3, 2023, 12:41 PM IST

ଖୋର୍ଦ୍ଧା: ''ମୁଖ୍ୟମନ୍ତ୍ରୀ ରୋମ ଯାଉଛନ୍ତି, ଟୋକିଓ ଯାଉଛନ୍ତି କିନ୍ତୁ ରାଜ୍ୟବାସୀଙ୍କ ସହ ମିଶିବା ପାଇଁ ନିଜର ବ୍ୟକ୍ତିଗତ ସଚିବଙ୍କୁ ଲଗାଇଛନ୍ତି । ସ୍ୱାଧୀନ ଭାରତ ଇତିହାସର ଗଣତନ୍ତ୍ର ଶାସନରେ ଏଭଳି କେବେ ଦେଖାଯାଇ ନାହିଁ ।'' ଏଭଳି କିଛି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । କିଛିଦିନର ବ୍ୟବଧାନ ପରେ ପୁଣି ଆକ୍ରାମକ ହୋଇଛନ୍ତି ଅପରାଜିତା । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କଡା ଟାର୍ଗେଟ କରିଛନ୍ତି ।

ସାଂସଦ ଅପରାଜିତା ଷଡଙ୍ଗୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ରୋମ ଯାଉଛନ୍ତି, ଟୋକିଓ ଯାଉଛନ୍ତି କିନ୍ତୁ ରାଜ୍ୟବାସୀଙ୍କ ସହ ମିଶିବା ପାଇଁ ନିଜର ବ୍ୟକ୍ତିଗତ ସଚିବଙ୍କୁ ଲଗାଇଛନ୍ତି । କୌଣସି ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ନିଜର ପ୍ରତିନିଧି ଭାବେ ଜଣେ ସରକାରୀ କର୍ମଚାରୀଙ୍କୁ ଜନସାଧାରଣ କାମର ଦାୟିତ୍ୱ ଦେବା ସ୍ୱାଧୀନ ଭାରତରେ ମୁଁ ଆଜି ପର୍ଯ୍ୟନ୍ତ ଦେଖିନାହିଁ । ବର୍ତ୍ତମାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଅଧିକାରୀମାନଙ୍କ ଶାସନ ପ୍ରଶାସନ ଅତ୍ୟନ୍ତ କୌତୁହଳପ୍ରଦ, ରୋମାଞ୍ଚକ ଏବଂ ହାସ୍ୟାସ୍ପଦ ହୋଇସାରିଛି ।

ଯେତେବେଳେ ଜନତା ପଚାରୁଛନ୍ତି ୩୦ କିଲୋମିଟର ଯିବା ପାଇଁ ହେଲିକପ୍ଟର କ'ଣ ଦରକାର ଏହାର କୌଣସି ଉତ୍ତର ଦିଆଯାଉନି । ଯେତେବେଳେ ଜନସାଧାରଣ ପଚାରୁଛନ୍ତି ଆମ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ସରକାରୀ କର୍ମଚାରୀଙ୍କ ପାଇଁ କାହିଁକି ଟେଣ୍ଟ ବାନ୍ଧିବେ, ଚେୟାର ପକାଇବେ, ଭିଡ ଏକାଠି କରିବେ ଏବଂ ୨୪ ବର୍ଷର ଶାସନ ପରେ ୫୬୦୦୦ ହଜାର ଅଭିଯୋଗ କାହିଁକି, ଏହାର କୌଣସି ଉତ୍ତର ଦିଆଯାଉନାହିଁ । ଜନସାଧାରଣ ଜାଣିବାକୁ ଚାହୁଁଛନ୍ତି କି ରାଜ୍ୟରେ ନିୟମିତ ଭାବେ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସମ୍ପୂର୍ଣ୍ଣ ଅଚଳ ହୋଇଛି କାହିଁକି !

ଏହାମଧ୍ୟ ପଢନ୍ତୁ..ରାଜ୍ୟରେ ନବୀନ ପଟ୍ଟନାୟକ ସବୁଠୁ ଅଧିକ ଜନ ବିରୋଧୀ: ଜୟନାରାୟଣ

ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି ଯେ ସିଏମଓ ତାଙ୍କ ନିର୍ଦ୍ଦେଶରେ ଜିଲ୍ଲା ପରିଦର୍ଶନ କରିଥିଲେ । ତେବେ ଭାରତରେ ଏକମାତ୍ର ମୁଖ୍ୟମନ୍ତ୍ରୀ ଯାହାଙ୍କ କାର୍ଯ୍ୟାଳୟ ହେଉଛି କେବଳ ଜଣେ ନିମ୍ନପଦସ୍ଥ ସଚିବ ସ୍ତରର ସରକାରୀ କର୍ମଚାରୀ । ଏହା ସ୍ୱାଧୀନ ଭାରତର ଇତିହାସ ଏବଂ ବର୍ତ୍ତମାନରେ ସମ୍ପୂର୍ଣ୍ଣ ବିରଳ ବୋଲି ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଅପରାଜିତା ଷଡଙ୍ଗୀ ।

ବିଜେପି ସାଂସଦ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶାରେ ହେଉଥିବା ସମସ୍ତ ଠିକା କାମକୁ ସୁଚିନ୍ତିତ ଭାବେ ଅଣଓଡ଼ିଆ କଣ୍ଟ୍ରାକ୍ଟରକୁ ଦିଆଯାଉଛି । ଓଡ଼ିଆ କଣ୍ଟ୍ରାକ୍ଟର ବ୍ୟବସାୟୀ ବ୍ୟାପକ କ୍ଷତିଗ୍ରସ୍ତ ହେଉଛନ୍ତି ଏହାର କାରଣ କ'ଣ କୌଣସି ଉତ୍ତର ଦିଆଯାଉନାହିଁ । ଜନସାଧାରଣ ପଚାରୁଛନ୍ତି କାହିଁକି ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ବାଣ୍ଟିବାରେ ଅହେତୁକ ବିଳମ୍ୱ ହେଉଛି, ଏହାର ମଧ୍ୟ କୌଣସି ଉତ୍ତର ମିଳୁନି ।

ଏହାମଧ୍ୟ ପଢନ୍ତୁ..ବିରୋଧୀମାନେ ବିକାଶ ଓ ଜନ ବିରୋଧୀ ସେଥିପାଇଁ ଜନତା ସେମାନଙ୍କୁ ରିଜେକ୍ଟ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ସେହିପରି ରାଜଧାନୀର ଉପକଣ୍ଠ ଡେରାସ ଅଞ୍ଚଳରେ ଜଣେ ପ୍ରଭାବଶାଳୀ ମହିଳା ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ବଳପୂର୍ବକ ଭାବେ ଜଙ୍ଗଲ ଜମି, ସରକାରୀ ଜମି, ମନ୍ଦିର ଜମି, କେନାଲ ଜମି, ବିଭିନ୍ନ ଲୋକଙ୍କ ବ୍ୟକ୍ତିଗତ ଜମି ମାଡ଼ି ବସିଛନ୍ତି ଏବଂ ୩୦୦ ଏକର ଚାଷଜମିକୁ ବିଗତ ୨ ବର୍ଷ ହେବ ଜଳସେଚନ କେନାଲକୁ ବଳପୂର୍ବକ ପୋତିଛନ୍ତି । ଏହାର ସମାଧାନ ହୋଇପାରୁ ନାହିଁ।

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏବଂ ସାଂସଦ ବସନ୍ତ ପଣ୍ଡା ଏକ ନିର୍ଦ୍ଧିଷ୍ଟ ରହସ୍ୟମୟୀ ମହିଳାଙ୍କ ବିଷୟରେ ପ୍ରଶ୍ନ କରିଥିଲେ ଯିଏ ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ ଯାଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବାଧ ପ୍ରବେଶ କରୁଛନ୍ତି । ଏହାର କୌଣସି ଉତ୍ତର ଦେବା ପରିବର୍ତ୍ତେ ଦଳୀୟ ପ୍ରବକ୍ତାମାନେ ବିରୋଧୀ ଦଳ ନେତାମାନଙ୍କୁ ପାଗଳ ବୋଲି କହୁଛନ୍ତି । ଗଣମାଧ୍ୟମ ଦ୍ୱାରା ପ୍ରକାଶ ପାଉଛି ଯେ ନିର୍ଦ୍ଧିଷ୍ଟ ମହିଳା ହେଉଛନ୍ତି ଜଣେ ନର୍ସ ବା ଥେରାପିସ୍ଟି । ଯଦି ଏହା ସତ୍ୟ ହୋଇଥାଏ ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ । ଓଡିଶା ପରି ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ଗୁପ୍ତ ଘରୋଇ ବ୍ୟବସ୍ଥା ଉପରେ ଛାଡ଼ିଦେବା ଉଚିତ ନୁହେଁ । ଏହି ଗୁପ୍ତ ଚିକିତ୍ସା ନିର୍ଦ୍ଧିଷ୍ଟ ମହିଳାଙ୍କ ଦ୍ୱାରା କରାଯାଉଛି କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ଷଡଙ୍ଗୀ ।

ତେବେ ମୌସୁମୀ ଅଧିବେଶନରେ ବ୍ୟକ୍ତିଗତ ସଚିବଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତର ରଖି ବିରୋଧୀଙ୍କୁ କଡା ସମାଲୋଚନା କରିଥିବା ବେଳେ ପୁଣି ଅପରାଜିତା ଷଡଙ୍ଗୀଙ୍କ ଟ୍ୱିଟକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details