ଖୋର୍ଦ୍ଧା:ପୁଣି ଖୋର୍ଦ୍ଧାରେ ଗର୍ଜିଛି ବନ୍ଧୁକ । ରକ୍ତରଞ୍ଜିତ ହୋଇଛି ସାମନ୍ତରାୟପୁର ଛକ । ଗତକାଲି (ବୁଧବାର) ବିଳମ୍ବିତ ରାତିରେ ସାମନ୍ତରାୟପୁର ଛକରେ କିଛି ଦୁର୍ବୃତ୍ତ କୁଖ୍ୟାତ ନିଶା ବେପାରି ସୋମନାଥ ଭୁଜବଳଙ୍କୁ ଗୁଳିମାଡ଼ କରିଛନ୍ତି । ପୂର୍ବ ବିବାଦକୁ କେନ୍ଦ୍ରକରି ଏହି ଗୁଳିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଆଦର୍ଶ ଥାନା ପୋଲିସ ସନ୍ଦେହ କରୁଛି । ଆହତ ସୋମନାଥଙ୍କ ଦେହରେ ୩ ରାଉଣ୍ଡ ଗୁଳି ବାଜିଛି । ତାଙ୍କ ଛାତିରେ ଦୁଇଟି ଏବଂ ଡାହାଣ ହାତରେ ଗୋଟିଏ ଗୁଳି ବାଜିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ପୁଣି ଭୁବନେଶ୍ବର ପଠାଇ ଦିଆଯାଇଛି ।
ମିଳିଥିବା ସୂଚନା ମୁତାବକ, ଦୀର୍ଘ କିଛି ବର୍ଷ ହେବ ସୋମନାଥ ବ୍ରାଉନସୁଗାର ବେପାର କରୁଥିଲେ । ତାଙ୍କ ନାଁରେ ଥାନାରେ ଏକାଧିକ ମାମଲା ମଧ୍ୟ ରହିଛି । ବ୍ରାଉନସୁଗାର ବେପାରକୁ ନେଇ ଗତ କିଛି ଦିନ ହେବ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହୁଥିଲା । ତେବେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ସୋମନାଥ ଏବଂ ତାଙ୍କର ଭାଇ ଏକ ବିବାହ ଭୋଜି ଖାଇବାକୁ ସାମନ୍ତରାୟପୁର ଅଞ୍ଚଳକୁ ଆସିଥିଲେ । ଏହି ସମୟରେ ଏକ ପିକଅପ ଭ୍ୟାନରେ କିଛି ଯୁବକ ଆସି ଅଚାନକ ସୋମନାଥଙ୍କ ଉପରେ ଗୁଳିବର୍ଷା କରିଥିଲେ । ଫଳରେ ତାଙ୍କର ଛାତିରେ ଦୁଇଟି ଏବଂ ଡାହାଣ ହାତରେ ଗୋଟିଏ ଗୁଳି ବାଜିଥିଲା । ଜୀବନ ବଞ୍ଚାଇବାକୁ ସୋମନାଥ ରକ୍ତାକ୍ତ ଅବସ୍ଥାରେ ନିକଟରେ ଥିବା ଜଣଙ୍କ ଘରକୁ ପଶି ଯାଇଥିଲେ । ପରବର୍ତ୍ତୀ ଅବସ୍ଥାରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।