ଭୁବନେଶ୍ବର: ରାଜଧାନୀରେ ପୋଲିସ ବେଶରେ ଲୁଟ୍ । ମାଉସୀ, ମ୍ୟାଡାମ ଡାକି ନିଜକୁ ପୋଲିସର ପରିଚୟ ଦେଇ ଲୋକଙ୍କ ଠାରୁ ସୁନା ଗହଣା ଲୁଟି ନେଉଛନ୍ତି ଲୁଟେଲା । ୩ ବର୍ଷ ପରେ ପୁଣିଥରେ ଏହି ଛଦ୍ମବେଶଧାରୀ ଲୁଟେରା ଗ୍ୟାଙ୍ଗ୍ ଭୁବନେଶ୍ବରରେ ସକ୍ରିୟ ହୋଇଛନ୍ତି । ସୋମବାର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ବୃଦ୍ଧା ମହିଳା ଏହି ଲୁଟ୍ର ଶିକାର ହୋଇଛନ୍ତି । ଲୁଟେରାମାନେ ତାଙ୍କର ସୁନା ଚେନ୍ ଏବଂ ଏକ ଲକେଟ୍ ଲୁଟ ନେଇଛନ୍ତି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ସୋମବାର ଜଣେ ସମ୍ଭ୍ରାନ୍ତ ଘରର ବୃଦ୍ଧ ମହିଳା ନିଜ ନାତିକୁ ଧରି ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ଘରୋଇ ସ୍କୁଲ୍ରୁ ଫେରୁଥିବା ବେଳେ ବାଟରେ ଲୁଟେରାଙ୍କ ଶିକାର ହୋଇଛନ୍ତି । ଲୁଟର ଶିକାର ମହିଳା ହେଉଛନ୍ତି ବାସନ୍ତି ମଞ୍ଜରି ଆଚାର୍ଯ୍ୟ, ଘର ଚନ୍ଦ୍ରଶେଖରପୁର ଅଞ୍ଚଳରେ । ସୋମବାର ଦିନ ସେ ଏହି ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ । ସେମାନେ ନିଜକୁ ପୋଲିସ ଭାବେ ପରିଚିତ କରାଇ ଆଗରେ କିଛି ଲୁଟେରା ଛକିଛନ୍ତି କହି ବୃଦ୍ଧାଙ୍କୁ ଡରାଇଥିଲେ । ଏହାପରେ ସେ ପିନ୍ଧିିଥିବା ସୁନା ଚେନ୍ ଓ ଲକେଟ୍କୁ ସୁରକ୍ଷିତ ତାଙ୍କ ଘରେ ପହଞ୍ଚାଇ ଦେବାକୁ ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ମାଗି ନେଇଥିଲେ । ଏହାପରେ ବୃଦ୍ଧାଙ୍କୁ ସେହିଭଳି ଆଉ ଏକ ନକଲି ସୁନା ଚେନ୍ ଧରାଇ ଛୁ' ମାରିଥିଲେ ।
ଏହା ମଧ୍ୟ ପଢନ୍ତୁ: ବ୍ୟବସାୟୀଙ୍କୁ ମାଡ ମାରିବା ପରେ ଲୁଟ୍, ଅଭିଯୁକ୍ତ କୋର୍ଟ ଚାଲାଣ