ଖୋର୍ଦ୍ଧା:ଅନ୍ଧାର ରାତିରେ ଦୁର୍ବୃତ୍ତଙ୍କ ବର୍ବର କାଣ୍ଡ । ଜଣଙ୍କ ଘରେ ପଶି ଡକାୟତି ଉଦ୍ୟମ କରିବା ସହ ପରିବାର ଲୋକଙ୍କୁ ନିସ୍ତୁକ ମାଡ ମାରିଲେ ଦୁର୍ବୃତ୍ତ । କାଠ ଫାଳିଆ ଓ ଭୁଜାଲିରେ ଆକ୍ରମଣ କରି ଘରର ପୁରୁଷ ଓ ମହିଳାଙ୍କୁ ଲହୁଲୁହାଣ କରିଦେଲେ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ଆରିକିମା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଗତକାଲି(ବୁଧବାର) ରାତିରେ ଅରିକିମା ଗ୍ରାମର ପବିତ୍ର ବାରିକଙ୍କ ଘରେ ଏହି ଡକାୟତି ଉଦ୍ୟମ ହୋଇଥିଲା । ଗାଁ ଲୋକେ ଆସିଯିବାରୁ ଡକାୟତମାନେ ଖସି ପଳାଇଥିଲେ ।
ଘଟଣାରୁ ପ୍ରକାଶ ଯେ, ୫ରୁ ଅଧିକ ଡକାୟତ କଳା ସାର୍ଟ ଓ ଜିନ୍ସ ପ୍ୟାଣ୍ଟ ପିନ୍ଧି ଅରିକିମା ଗ୍ରାମର ପବିତ୍ର ବାରିକଙ୍କ ଘରେ ପଶିଥିଲେ । ସେମାନେ ପବିତ୍ରଙ୍କ ବେକକୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହିତ ତାଙ୍କ ପତ୍ନୀ ଲତା ବାରିକଙ୍କ ଗୋଡ଼କୁ ଚୋଟ ପକାଇଥିଲେ ଏବଂ ମାରପିଟ୍ କରିଥିଲେ । ସେହିପରି ବଡ଼ବୋହୁ ରେଖା ବାରିକଙ୍କ ମୁହଁ ଏବଂ ଗୋଡ଼କୁ ଲାଠିରେ ପିଟିଥିଲେ । ସାନବୋହୁ କଲ୍ୟାଣୀ ବାରିକଙ୍କ ହାତଗୋଡ଼ ଓ ବେକକୁ ପିଟିବା ସହିତ ପାଖରେ ଥିବା ମୋବାଇଲକୁ ଛଡ଼ାଇ ନେଇଯାଇଥିଲେ । ଏହାପରେ ସମସ୍ତଙ୍କୁ ଘୋଷାଡ଼ି ନେଇ ଗୋଟିଏ ରୁମ୍ରେ ବନ୍ଦ କରିଦେଥିଲେ ବୋଲି ପୀଡ଼ିତ ପରିବାର ଲୋକେ କହିଛନ୍ତି ।