ଖୋର୍ଦ୍ଧା:କୂଅରୁ ଉଦ୍ଧାର ହେଲା ନିଖୋଜ ନାବାଳକଙ୍କ ମୃତଦେହ । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଥାନା ଅନ୍ତର୍ଗତ ପୁବୁସାହି ଓଳସିଂ ଗ୍ରାମରେ । ମୃତ ନାବାଳକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର ମହେଶ୍ବର ବେହେରାଙ୍କ ୧୦ବର୍ଷର ପୁଅ ଦିବ୍ୟଜ୍ୟୋତି ବେହେରା । ଗତକାଲି ସନ୍ଧ୍ୟାରେ ସେ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ଆଜି ତାଙ୍କର ମୃତଦେହ କୂଅରୁ ଉଦ୍ଧାର କରାଯାଇଛି । ତେବେ କୂଅରେ ପଡି ନାବାଳକଙ୍କ ମୃତ୍ୟୁ ହୋଇଛି, ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି(ଶନିବାର) ନାବାଳକ ଜଣଙ୍କ ସନ୍ଧ୍ୟା ସମୟରେ ଟିଉସନରୁ ଫେରିବା ପରେ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ଖୋଜାଖୋଜି କରି ନପାଇବାରୁ ଥାନାରେ ନିଖୋଜ ଏତଲା ଦେଇଥିଲେ । କିନ୍ତୁ ଗୋଟିଏ ଦିନ ପରେ ଆଜି(ରବିବାର) ସକାଳୁ କୂଅରେ ପୁଅର ଚପଲ ଭାସୁଥିବା ଦେଖିବାକୁ ମିଳିଥିଲା । ଏହାପରେ ମୃତ ଅବସ୍ଥାରେ ଦିବ୍ୟଜ୍ୟୋତିକୁ ଉଦ୍ଧାର କରାଯାଇଥିଲା । ଏନେଇ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ଟିମ ଅନୁସନ୍ଧାନି କୁକୁର ସହାୟତାରେ ଖୋଳତାଡ଼ ଚଳାଇଛି । କୁକୁର ଗାଁ ଚାରିପଟେ ପଡ଼ିଆରେ ସନ୍ଧାନ ଚଳାଇଛି । ମୃତ ନାବାଳକର ମୃତଦେହକୁ ପୋଲିସ ଜବତ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଛି ।