ଭୁବନେଶ୍ବର:ସଂଗଠନ ସଜାଡିବାକୁ ବଳ ଗୋଟାଉଛି କଂଗ୍ରେସ । ନିର୍ବାଚନ ପୂର୍ବରୁ କୁଶଳୀ ରଣନୀତି ପ୍ରସ୍ତୁତ କରୁଛି ଦଳ । ଶାସକ ବିଜୁ ଜନତା ଦଳ ହାତରୁ ସରକାରକୁ କ୍ଷମତା ଛଡାଇ ଆଣିବାକୁ ଜୋରଦାର ପ୍ଳାନିଂ କରୁଛି ରାଜ୍ୟ କଂଗ୍ରେସ । ପୁରୁଖା ନେତାମାନଙ୍କୁ ଦଳକୁ ଫେରାଇ ଆଣିବା ସହ ସ୍ଥିତିକୁ ସୁଦୃଢ କରିବା ଲାଗି ବିଭିନ୍ନ ରାଜନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛି ଦଳ । ଆସନ୍ତା ସପ୍ତାହରେ ଦଳର ଏକ ମେଗା ମିଶ୍ରଣ ପର୍ବ ଆୟୋଜନ ହେବାକୁ ଯାଉଛି । ଏଥିରେ କେତେକ ପୂର୍ବତନ ବିଧାୟକ, ମନ୍ତ୍ରୀମାନଙ୍କୁ ଦଳରେ ସାମିଲ କରିବାକୁ କଂଗ୍ରେସ ସଜବାଜ ହେଉଥିବା ଜଣାପଡିଛି ।
ସାଧାରଣ ନିର୍ବାଚନ ପୂର୍ବରୁ ବଢିବ ରାଜ୍ୟ କଂଗ୍ରେସର କଳେବର । କଂଗ୍ରେସରେ ସାମିଲ ହେବେ ବିଭିନ୍ନ ଦଳର ହେଭିୱେଟ୍ ନେତା । କେବଳ ନେତା ନୁହନ୍ତି, ସମାଜର ବିଭିନ୍ନ ସ୍ରୋତରେ ଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମଧ୍ୟ ସାମିଲ କରିବା ପାଇଁ ଦିନ ସମୟ ତାରିଖ ଆଦି ଚୂଡାନ୍ତ ହୋଇସାରିଛି । ନଭେମ୍ବର 16 କିମ୍ବା 17ତାରିଖରେ ଅନୁଷ୍ଠିତ ହେବ ଦଳର ମହାମିଶ୍ରଣ ପର୍ବ । ସୂଚନା ଅନୁଯାୟୀ, ଏହି ପର୍ବରେ ଦଳ ଛାଡିଯାଇଥିବା ଏକାଧିକ ଆଗଧାଡିର ନେତାଙ୍କ ଘର ବାହୁଡା ହେବ । ଏହି ତାଲିକାରେ ଦକ୍ଷିଣ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଆଦିବାସୀ ନେତା ଜୟରାମ ପାଙ୍ଗି ଏବଂ ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଶତାଧିକ ଜନସାଧାରଣ କଂଗ୍ରେସରେ ମିଶିବେ ।
ଏହା ବି ପଢନ୍ତୁ...Tulasi Yatra: ସଂକୀର୍ତ୍ତନ ସତ୍ୟାଗ୍ରହ ପରେ କଂଗ୍ରେସ କରିବ ତୁଳସୀ ଯାତ୍ରା