ଓଡିଶା

odisha

ଶେଷ ହେଉନି ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ, କେବେ ମିଳିବ ପାନୀୟ ଜଳ?

By

Published : Apr 13, 2023, 4:17 PM IST

Updated : Apr 13, 2023, 4:54 PM IST

ଖୋର୍ଦ୍ଧାରେ ସରୁନି ମେଗା ଜଳ ଯୋଗାଣ ପ୍ରକଳ୍ପ କାମ। କେବେ ପାଣି ପାଇବେ ଗ୍ରାମବାସୀ ତାକୁ ନେଇ ପ୍ରଶ୍ନବାଚୀ । ଅଧିକ ପଢ଼ନ୍ତୁ

mega drinking water project
mega drinking water project

ଧିବର ଗତିରେ ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ

ଖୋର୍ଦ୍ଧା: ମେଗା ଜଳ ଯୋଗାଣ ପ୍ରକଳ୍ପରେ କେବେ ପାଣି ପାଇବେ ଖୋର୍ଦ୍ଧାବାସୀ । ବିଭିନ୍ନ ଠିକା ସଂସ୍ଥା ମେଗା ଜଳ ଯୋଗାଣ ପାଇଁ କାମ କରୁଥିବା ବେଳେ ନିର୍ଦ୍ଧାରିତ ସମୟ ସରିଥିଲେ ମଧ୍ୟ ସରି ନାହିଁ ପ୍ରକଳ୍ପ କାମ । ଠିକାସଂସ୍ଥା ଗାଁଗାଁରେ ପାଇପ ବିଛା ଠାରୁ ଆରମ୍ଭ କରି ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କାର୍ଯ୍ୟ କରିଥିବା ବେଳେ ଏବେ ତାହା ଉଜୁଡି ଗଲାଣି । ନିମ୍ନ ମାନର କାର୍ଯ୍ୟ ସହ ଠିକା ସଂସ୍ଥାର ମନଇଚ୍ଛା କାମ ଅଞ୍ଚଳବାସୀଙ୍କୁ ଚିନ୍ତାରେ ପକାଇଛି । ପ୍ରକଳ୍ପ କାର୍ଯ୍ୟ ଶେଷ ପାଇଁ ବାରମ୍ବାର ମନ୍ତ୍ରୀ ସଚିବ ଏହାର ସମୀକ୍ଷା କରିଛନ୍ତି ସତ କିନ୍ତୁ ପ୍ରକଳ୍ପ ଅଗ୍ରଗତିରେ କେଉଁଠି ସମସ୍ୟା ରହିଛି ତାହା ଜଣାପଡୁନଥିବା ପରି ମନେ ହେଉଛି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ 8ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ କାମ ଜାରି ରହିଛି । ଯାହା ଗତ ମାର୍ଚ୍ଚରୁ ମଇ 2023 ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ଯୋଜନା ରହିଥିଲା । କିନ୍ତୁ ନିର୍ଦ୍ଧାରିତ ସମୟରେ ଏହି ପ୍ରକଳ୍ପ କାମ ଶେଷ ହୋଇନାହିଁ । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ମିଶନରୁ ମିଳିଥିବା ତଥ୍ୟାନୁସାରେ, ଚିଲିକାର 132ଟି ଗାଁ, ଟାଙ୍ଗୀ ବ୍ଲକର 46ଟି ଓ ବାଣପୁରର 36ଟି ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ଫେବ୍ରୁଆରୀ-ମାର୍ଚ୍ଚ 2023 ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏଲ୍‌ ଆଣ୍ଡ୍‌ ଟି କମ୍ପାନି ଦ୍ୱାରା ଚାଲୁଥିବା ଏହି କାର୍ଯ୍ୟର ଜଳଗ୍ରହଣ କୂଅ କାର୍ଯ୍ୟ କେବଳ 15 ପ୍ରତିଶତ ଶେଷ ହୋଇଛି । ଜଳ ବିଶୁଦ୍ଧିକରଣ କାରଖାନା ପାଇଁ ଜମି ମଧ୍ୟ ମିଳିନାହିଁ । 159 କିମି ପାଇପ ବିଛା କାମ ମଧ୍ୟରୁ 64 କିମି ବଳକା ରହିଛି । ଗାଁକୁ ପାନୀୟ ଜଳ ଯୋଗାଇ ଦେବାକୁ ସ୍ଥାପନ ହେବାକୁ ଥିବା 652 କିମି ପାଇପ ଲାଇନରୁ 433 କିମି ବର୍ତ୍ତମାନ ଯାଏଁ ପୂରଣ ହୋଇନାହିଁ ।

ସେହିଭଳି ଖୋର୍ଦ୍ଧା ଓ ଜଟଣୀ ବ୍ଳକର 38ଟି ପଞ୍ଚାୟତର 213ଟି ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ଅନ୍ୟ ଏକ ପ୍ରକଳ୍ପ କାମ ମଧ୍ୟ ଏଲ୍‌ ଆଣ୍ଡ୍‌ ଟିକୁ ମିଳିଛି । ବେଣାପଞ୍ଜରୀରେ ଜଳ ବିଶୁଦ୍ଧିକରଣ କାରଖାନା କାମ କେବଳ 15 ପ୍ରତିଶତ ଶେଷ ହୋଇଛି । ଏହାକୁ ଜୁନ 2023 ସୁଦ୍ଧା ଶେଷ କରିବାକୁ ଧାର୍ଯ୍ୟ ହୋଇଥିବା ବେଳେ କାମର ଅଗ୍ରଗତିକୁ ଲକ୍ଷ୍ୟ କଲେ ଏହା ନିର୍ଦ୍ଧାରିତ ସମୟରେ ଶେଷ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଜେଏମସି ଦ୍ୱାରା ବୋଲଗଡ଼ ଓ ବେଗୁନିଆର 337ଟି ଗାଁକୁ ପାଇପ ଜଳ ଯୋଗାଣ କାର୍ଯ୍ୟର ପାଇପ ବିଛା କାମ 975.18 କିମି ମଧ୍ୟରୁ 145 କିମି ବଳକା ରହିଛି । ଏହାକୁ କାର୍ଯ୍ୟକ୍ଷମ କରିବା ତାରିଖ ମାର୍ଚ୍ଚ-ଅପ୍ରିଲ 2023ରୁ ଜୁନ-ଜୁଲାଇ 2023କୁ ଘୁଞ୍ଚାଇ ଦିଆଯାଇଛି ।

ସେହିପରି କେସିପିଏଲ କମ୍ପାନୀ ଦ୍ୱାରା ବାଣପୁର ବ୍ଳକର ରାଣିପଡ଼ା କ୍ଲଷ୍ଟରର 60ଟି ଗାଁକୁ ପାଇପ ଜଳ ଯୋଗାଣ ପ୍ରକଳ୍ପର ଜଳଗ୍ରହଣ କୂପ, ଜଳ ବିଶୁଦ୍ଧିକରଣ କାରଖାନା କାମ ଶେଷ ହୋଇନାହିଁ । ପାଇପ ବିଛାଇବା କାମ 127.11 କିମିରୁ 23 କିମି ବଳକା ପଡ଼ିଛି । ଏନଡ଼ିସି ଦ୍ୱାରା ବାଲିପାଟଣା, ଭୁବନେଶ୍ୱର, ବାଲିଅନ୍ତା ଓ ଟାଙ୍ଗୀ ବ୍ଲକର 69ଟି ପଞ୍ଚ‌ାୟତକୁ ପାଇପ ଜଳ ଯୋଗାଣ ପ୍ରକଳ୍ପ କାମ 2022-23ରେ ଆରମ୍ଭ ହୋଇଥିବାରୁ ଏହାର 90 ପ୍ରତିଶତ କାମ ପ୍ରାଥମିକ ପର୍ଯ୍ୟାୟରେ ରହିଛି । ଏହିଭଳି ସ୍ଥିତିରେ ଜିଲ୍ଲା ଜଳଯୋଗାଣ ଅଧିକାରୀ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନାକରିଥିବା ବେଳେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହିଛନ୍ତି ସେପ୍ଟେମ୍ବର 2023 ସୁଦ୍ଧା ପର୍ଯ୍ୟାୟ କ୍ରମେ ଜିଲ୍ଲାରେ ଜଳ ଯୋଗାଣ ଆରମ୍ଭ ହେବ । ସେହିପରି ବେଗୁନିଆ ବିଡ଼ିଓ ଲକ୍ଷ୍ମୀଧର ସାହୁ କହିଛନ୍ତି ଏହି ପ୍ରକଳ୍ପ ଶୀଘ୍ର ଶେଷ କରିବା ପାଇଁ ସମସ୍ତ ପକ୍ରିୟା କରାଯାଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Apr 13, 2023, 4:54 PM IST

ABOUT THE AUTHOR

...view details