ଭୁବନେଶ୍ବର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ମହାନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି । ତେଣୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି । ବନ୍ୟାଜଳ ମୁଣ୍ଡଳୀରେ ସନ୍ଧ୍ୟା ସୁଦ୍ଧା ପିକରେ ପହଞ୍ଚିବ । ୯ ଲକ୍ଷରୁ ସାଢ଼େ ୯ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଏନେଇ ଆଜି(ଗୁରୁବାର) ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।
ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି, ‘ମହାନଦୀ ବନ୍ୟାଜଳ ମୁଣ୍ଡଳୀରେ ସନ୍ଧ୍ୟା ସୁଦ୍ଧା ପିକରେ ପହଞ୍ଚିବାକୁ ଥିବାରୁ ଆଜି ରାତି ଆମ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ । ବଡ଼ ଧରଣର ନୁହେଁ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଛି । ସ୍ଥିତି ଉପରେ ନଜର ରଖାଯାଇଛି । ଜିଲ୍ଲାପାଳମାନେ ସତର୍କ ଅଛନ୍ତି । ଜଳସମ୍ପଦ ବିଭାଗ ଅଧିକାରୀମାନେ ସଜାଗ ରହିଛନ୍ତି । ମୁଣ୍ଡଳୀରେ ବିପଦ ସଙ୍କେତ ସ୍ତର ୯୭.୨୫ ମିଟର । ବର୍ତ୍ତମାନ ବନ୍ୟାଜଳ ୯୩.୧୦ ଘନମିଟରରେ ପହଞ୍ଚିଛି ।’
‘ବିପଦ ସଂକେତ ଉପରେ ଥିବା ବୈତରଣୀର ଜଳସ୍ତର ଆଖୁଆପଦା ଓ ଆନନ୍ଦପୁର ଠାରେ କମିବାକୁ ଲାଗିଲାଣି । କିଛି ବଡ଼ ଅଘଟଣ ହୋଇନାହିଁ । ଜେନାପୁର ପାଖରେ ଆଜି ସକାଳେ ବ୍ରାହ୍ମଣୀର ଜଳସ୍ତର ବଢିବାକୁ ଲାଗିଛି । ହେଲେ ବିପଦ ସଂକେତ ତଳେ ଅଛି । ମହାନଦୀ ବେସିନର ବରମୁଳ ଠାରେ ପ୍ରଚୁର ବର୍ଷା ହୋଇଛି । କିନ୍ତୁ ବରମୁଳରେ ପାଣି କମୁଛି । କାଣୀ ନଦୀରେ ସାମାନ୍ୟ କଟ ହୋଇଥିବା ଖବର ଆସିଛି । ତାକୁ ବଦଳା ଦିଆଯିବ । ଅନ୍ୟ କେଉଁଠୁ ନଦୀବନ୍ଧ ଭାଙ୍ଗିବା ପରିସ୍ଥିତି ଉପୁଜିନାହିଁ । SRC ଅଫିସରୁ ସବୁ ଜିଲ୍ଲପାଳମାନଙ୍କୁ ଆଲର୍ଟ କରାଯାଇଛି ।’