ଆସନ୍ତା ୧୦ରେ ରମାଦେବୀରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ, ସାମ୍ବାଦିକଙ୍କୁ ବାରଣ ଭୁବନେଶ୍ବର: ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରମାଦେବୀ ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ବାରଣ କରାଯାଇଛି । ଭିସିଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ରମାଦେବୀ ବିଶ୍ବବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ । ଏହି ନିଷ୍ପତ୍ତିକୁ ସାମ୍ବାଦିକ ମହଲରେ ବେଶ ନିନ୍ଦା କରାଯାଇଛି । ଏହା ଗଣତନ୍ତ୍ରର ହତ୍ୟା ବୋଲି ବରିଷ୍ଠ ସାମ୍ବାଦିକମାନେ ମତ ପ୍ରକାଶ କରିଛନ୍ତି ।
ଏ ନେଇ ରମାଦେବୀ ବିଶ୍ବବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ କହିଛନ୍ତି, "ମୋତେ ପ୍ରଶ୍ନ ପଚାରିଲେ ମୁଁ ତାର ଉତ୍ତର ଦେଇପାରିବି ନାହିଁ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ମନା କରାଯାଇଥିଲା । ଏବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ମଧ୍ୟ ମନା କରାଯାଇଛି । ଆମେ ସରକାରୀ ବିଭାଗରେ କାମ କରୁଛୁ ସେଥିପାଇଁ ମୋ ପାଖରେ ଏ ପ୍ରଶ୍ନର କୌଣସି ଉତ୍ତର ନାହିଁ । ଯାହା ଆମକୁ ନିର୍ଦ୍ଦେଶ ଆସିଛି ଆମେ ଆପଣଙ୍କୁ ତାହାହିଁ କହୁଛୁ" ବୋଲି କହିଛନ୍ତି ରମାଦେବୀ ବିଶ୍ଵବିଦ୍ୟାଳୟର କୁଳପତି ।
ଏହା ବି ପଢନ୍ତୁ- ଆସୁଛନ୍ତି ମହାମହିମ, ସ୍ଵାଗତ ପାଇଁ ପ୍ରସ୍ତୁତ ରମାଦେବୀ ବିଶ୍ଵବିଦ୍ୟାଳୟ
ଅନ୍ୟପଟେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, ମୁଖ୍ୟମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ହେଉ ଗଣମାଧ୍ୟମକୁ ବାରମ୍ବାର ବାରଣ କରାଯାଉଛି । ଏଭଳି କି କମିଶନରେଟ ପୋଲିସ କାର୍ଯ୍ୟାଳୟକୁ ମଧ୍ୟ ବାରଣ କରିବା ଗୋଟିଏ ନିନ୍ଦନୀୟ ଦୃଶ୍ୟ ପରିଲିଖିତ ହେଉଛି । ଏଥିରୁ ପାରିଲିଖିତ ହେଉଛି ଯେ ଓଡ଼ିଶାରେ ଗଣମାଧ୍ୟମକୁ ହତ୍ୟା କରାଯାଉଛି । ଗଣତନ୍ତ୍ରର ହତ୍ୟା ସାମାଜିକ କ୍ଷେତ୍ରରେ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି । ଏପରି କରିବା ଆଦୌ ଉଚିତ ନୁହେଁ ।"
ସେପଟେ ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର କହିଛନ୍ତି, "ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ କୁଳପତି ଗଣମାଧ୍ୟମକୁ ବାରଣ କରିଥିବା ବେଳେ ସେ କହିଛନ୍ତି କୁଳପତି ହେଉଛନ୍ତି ବିଶ୍ଵବିଦ୍ୟାଳୟର ମୁଖ୍ୟ । ସେ ସମସ୍ତ ସରକାରୀ କର୍ମଚାରୀଙ୍କଠାରୁ ଅନେକ ଉପରେ । ଯାହା ଚାହିଁବେ ବିଶ୍ଵବିଦ୍ୟାଳୟରେ ତାହା ହିଁ ହୋଇପାରିବ । ତେବେ କୁଳପତିଙ୍କ ଉପରେ କିଏ ଚାପ ପକାଉଛି ? କିଏ ତାଙ୍କୁ କହୁଛି ଗଣମାଧ୍ୟମକୁ ବିଶ୍ବବିଦ୍ୟାଳୟକୁ ପ୍ରବେଶ ନିଷେଧ ? ଯଦି କୁଳପତି କହୁଛନ୍ତି ଉପରୁ ନିର୍ଦ୍ଦେଶ ଆସିଛି ତେବେ କିଏ ଦେଇଛି ନିର୍ଦ୍ଦେଶ ତାହା ସ୍ପଷ୍ଟ କରନ୍ତୁ । ଯଦି ସାମ୍ବାଦିକଙ୍କୁ ସବୁଠିକୁ ମନା କରାଯାଉଛି ତେବେ ଏକ ଲିଖିତ ଆକାରରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଦିଆଯାଉ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ।
ଇଟିଭି ଭାରତ, ଭୁବନେଶ୍ବର