ଦଳରେ ସାମିଲ ହେଲେ ମାହାଙ୍ଗା ବିଜେପି ନେତା ଓ କର୍ମୀ ଭୁବନେଶ୍ବର: ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ବିଜେଡିରେ ସାମିଲ ହୋଇଛନ୍ତି କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଜେପି ନେତା ଓ କର୍ମୀ । ବିଜେଡ଼ି ସାଧାରଣ ସମ୍ପାଦକ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଉପସ୍ଥିତ ରହି ସମସ୍ତ ବିଜେପି କର୍ମୀଙ୍କୁ ଦଳକୁ ସ୍ବାଗତ କରିଛନ୍ତି । ସେପଟେ ବିଜେଡିରେ ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୁତ ହେବ ବୋଲି କହିଛନ୍ତି ପ୍ରତାପ ।
ପୋଡ଼ାମରାଇ ଗ୍ରାମପଞ୍ଚାୟତର ସରପଞ୍ଚ ନାରାୟଣ ସେଠୀ, ପଞ୍ଚାୟତ ସମିତି ସଭ୍ୟ ସୋନାଲି ପ୍ରିୟଦର୍ଶିନୀ ରାଉତ, ନାଏବ ସରପଞ୍ଚ ଆରତୀ ଜେନାଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ବ ଓ ବିକାଶମୂଳକ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହେଉଛନ୍ତି ବୋଲି ଆଜି ଯୋଗ ଦେଇଥିବା ବିଜେପି ନେତା ଓ କର୍ମୀମାନେ କହିଛନ୍ତି । ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ତଥା ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ପ୍ରତାପ ସେମାନଙ୍କୁ ଆହ୍ବାନ ଦେଇଥିବା ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ- ବିଜେଡିର ମିଶ୍ରଣ ପର୍ବ: ବିଜେପି ଶୂନ୍ୟ ହେଲା ଦଳର ଉପସଭାପତି ପ୍ରଭାତୀ ପରିଡାଙ୍କ ପଞ୍ଚାୟତ
ପୋଡ଼ାମରାଇ ଗ୍ରାମପଞ୍ଚାୟତର ହେଉଛି 2019 ସାଧାରଣ ନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ସାରଦା ପ୍ରସାଦ ପ୍ରଧାନ ଓରଫ ବୁଲୁଙ୍କ ନିଜସ୍ୱ ପଞ୍ଚାୟତ । ଏହି ମିଶ୍ରଣ ପର୍ବରେ ପୋଡ଼ାମରାଇ ଗ୍ରାମପଞ୍ଚାୟତର ଆଲୋକ କୁମାର ଜେନା, ବାଇଧର ରାଉତ, ପ୍ରତାପ ବେହେରା, ମହେନ୍ଦ୍ର ସେଠୀ, ମନୋଜ କୁମାର ଜେନା, ଗୋବିନ୍ଦ ଚନ୍ଦ୍ର ଜେନା, ଅର୍ଦ୍ଧେନ୍ଦୁ ଶେଖର ଜେନା, ଗଣେଶ ପ୍ରଧାନ, ଝୁନୁ ମହାନ୍ତି, ରାଜେଶ ବେଦାନ୍ତ, ଗୋବିନ୍ଦ ଜେନା, ବାସନ୍ତୀ ଜେନା, ସୁଶାନ୍ତି ଜେନା, ବଳରାମ ଜେନାଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି । ଏହି ନେତା ଓ କର୍ମୀ ବିଜେଡିରେ ସାମିଲ ହେବା ଫଳରେ ଉକ୍ତ ଗ୍ରାମ ପଞ୍ଚାୟତ ଏକପ୍ରକାର ବିଜେପି ମୁକ୍ତ ହୋଇଛି ।
ବିଜେଡି ବିଧାୟକ ପ୍ରତାପ ଜେନା କହିଛନ୍ତି, "ବିଜେଡିରେ ସାମିଲ ନେତା ବିଜେପିର ଆଗ ଧାଡିର ନେତା ଓ କର୍ମୀ ଥିଲେ । ସାରା ଓଡ଼ିଶାର ବିଜେପି କାର୍ଯ୍ୟକ୍ରମରେ ଅତିଷ୍ଠ ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି । ଏମାନଙ୍କ ଯୋଗଦାନ ଯୋଗୁଁ ବିଜେଡି ସଂଗଠନ ଅଧିକ ମଜଭୁତ ହେବ ।"
ସେହିପରି ସରପଞ୍ଚ ନାରାୟଣ ସେଠୀ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଶାସନ, ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଯୋଗୁଁ ଆମେ ବିଜେଡିରେ ସାମିଲ ହୋଇଛୁ । ଲୋକଙ୍କ ସେବା କରିବାକୁ ଆମେ ଆମେ ନିର୍ବାଚିତ ହୋଇଛୁ । କାମ ନକଲେ ଲୋକେ କାହିଁକି ଭୋଟ ଦେବେ ।"
ଇଟିଭି ଭାରତ, ଭୁବନେଶ୍ବର