ବାପ ଘରକୁ ଆସି ସ୍ତ୍ରୀ ଫେରାର ନିଆଳି: ଘର କାନ୍ଥରେ ଦାଉ ଦାଉ ହୋଇ ଦିଶୁଛି ବାହାଚିତା । ଷୋଳମଙ୍ଗଳାକୁ ନିଜ ବାପା ଘରକୁ ବୁଲାଇବା ପାଇଁ ସ୍ବାମୀ ସହ ସ୍ତ୍ରୀ ଯାଇଥିଲେ । ହେଲେ ଘରେ ସ୍ବାମୀଙ୍କୁ ବସାଇ କେଉଁଆଡେ ଚମ୍ପଟ ମାରିଛନ୍ତି ସ୍ତ୍ରୀ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁର ସ୍ଥିତ ବାଘବୋରେଇ ଗ୍ରାମରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
ମିଳିଥିବା ସୂଚନା ଅନୁସାରେ, ଜୁନ ୯ ତାରିଖ ଦିନ ବାଲିପାଟଣା ଥାନା ବାଘବୋରେଇ ଗ୍ରାମର ଭରତ ଚନ୍ଦ୍ର ସାହୁଙ୍କ ସାନ ପୁଅ ବାଦଲ କୁମାର ସାହୁଙ୍କ ସହିତ ପୁରୀ ଟାଉନ ଥାନା ଅଞ୍ଚଳର ମାଟି ମଣ୍ତପସାହିରେ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଏକ କଲ୍ୟାଣ ମଣ୍ତପରେ ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା । ବରପକ୍ଷରୁ କୌଣସି ଯୌତୁକ ଦାବି କରାଯାଇନଥିବା ବେଳେ ବିବାହ ଲାଗି ବର ପକ୍ଷରୁ ସମସ୍ତ ଟଙ୍କା ଖର୍ଚ୍ଚ କରାଯାଇଥିଲା । ବୋହୂର ଗହଣା ମଧ୍ୟ ଶାଶୁ ଘର ଲୋକେ କିଣିଥିଲେ । ବିବାହ ଦିନ ବୋହୂ ଚେତାଶୂନ୍ଯ ହୋଇଥିଲେ। ବିବାହର ଚାରି ଦିନରେ ତାଙ୍କର ଅନ୍ଯ ଯୁବକ ସହିତ ପ୍ରେମ ସମ୍ପର୍କ ରହି ଥିବାରୁ ଏହି ବିବାହକୁ ନେଇ ରାଜି ନଥିଲେ ।
ଏହା ମଧ୍ୟ ପଢ଼ନ୍ତୁ:ସ୍ବାମୀର ଅନ୍ତିମ ସଂସ୍କାର ସାରି ପ୍ରେମିକ ସହ ପତ୍ନୀ ଫେରାର, ୨ଝିଅ ଆଣିଲେ ହତ୍ୟା ଅଭିଯୋଗ
ଏ ସମ୍ପର୍କରେ ବର ପକ୍ଷରୁ ଝିଅର ବାପା ଘରକୁ କୁହାଯାଇଥିଲା । ଷୋଳ ମଙ୍ଗଳା ଦିନ ସ୍ବାମୀଙ୍କୁ ଧରି ସ୍ତ୍ରୀ ନିଜ ଘର ପୁରୀ ମାଟି ମଣ୍ତପସାହିକୁ ବୁଲିବା ପାଇଁ ଯାଇଥିଲେ । ଏହାପରେ ସ୍ବାମୀକୁ ଘରେ ବସାଇ ଦେଇ ସ୍ତ୍ରୀ କେଉଁ ଆଡେ ଫେରର ହୋଇଯାଇଥିବା ଅଭିଯୋଗ ହୋଇଛି । ବହୁ ସମୟ ଅପେକ୍ଷା କରିବା ପରେ ବାଦଲଙ୍କ ବାପା ପୁରୀ ଟାଉନ ଥାନାରେ ଏତଲା ଦେଇଛନ୍ତି । ଏନେଇ ବାଦଲ କହିଛନ୍ତି, "ଗତ ୯ ତାରିଖରେ ବିବାହ ହୋଇଥିବା ମାତ୍ର ଅନ୍ୟ ଯୁବକଙ୍କ ସହ ତାଙ୍କର ସମ୍ପର୍କ ଥିବା କହିଥିଲେ । ଏନେଇ ସ୍ତ୍ରୀ ପରିବାର ଲୋକଙ୍କୁ ଜଣାଇଥିଲୁ । ସେମାନେ ମଧ୍ୟ ତାଙ୍କୁ ବୁଝାଇଥିଲେ । ଷୋଳ ମଙ୍ଗଳା ଦିନ ତାଙ୍କ ଘରକୁ ଯିବା ପରେ ସେ କେଉଁଆଡ଼େ ଚାଲିଗଲେ ।" ଅନ୍ୟପଟେ ଝିଅ ଘର ପକ୍ଷରୁ ବାଲିପାଟଣା ଥାନାରେ ମଧ୍ୟ ଏକ ଏତଲା ଦିଆଯାଇଛି । ଏତଲାରେ ବରର ଅକ୍ଷମତା ଦର୍ଶାଯାଇଛି । ଏହି ଘଟଣା ପରେ ବାଦଲ ମାନସିକ ଅବସାଦରେ ଥିବା ଜଣାପଡ଼ିଛି । ଘଟଣା ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଝିଅ ଘର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଇଟିଭି ଭାରତ, ନିଆଳି