ଓଡିଶା

odisha

ETV Bharat / state

ହଟକେଶ୍ୱର ପୀଠରେ ମକର ମେଳା ଆରମ୍ଭ, ଛୁଆ ପାଇଁ ଗୁଆ ଖୋଜିଲେ ମାନସିକଧାରୀ

ଆଜି ଠାରୁ ହଟକେଶ୍ୱର ପୀଠରେ ଆରମ୍ଭ ହୋଇଛି ମକର ମେଳା । ବାବା ହଟକେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଅଧିକ ପଢନ୍ତୁ

Makar mela
Makar mela

By

Published : Jan 14, 2023, 7:58 AM IST

Makar mela

ଖୋର୍ଦ୍ଧା:ଆଜି ପବିତ୍ର ମକର ସଂକ୍ରାନ୍ତି । ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଆଜି ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ ଓ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହେବ । ଏହି ମକର ସଂକ୍ରାନ୍ତି ସମଗ୍ର ଦେଶରେ ଭିନ୍ନ ଭିନ୍ନ ଭାବେ ପାଳିତ ହୋଇଥାଏ । ଓଡ଼ିିଶାରେ ମଧ୍ୟ ଆଞ୍ଚଳିକ ଭାବେ ଏହାର ଭିନ୍ନ ଭିନ୍ନ ମହତ୍ୱ ରହିଛି । ତେବେ ଖୋର୍ଦ୍ଧା ଜିଲ୍ଲା ବାଘମାରି ପଞ୍ଚାୟତର ଅଟ୍ରିଠାରେ ହେଉଥିବା ମକର ମେଳା ନିଆରା ଓ ଏହାର ସ୍ୱତନ୍ତ୍ର ଆକର୍ଷଣ କରିଛି । ବିଶ୍ୱାସ ଓ ପରମ୍ପରା ଝଲକ ଏଠାରେ ଦେଖିବାକୁ ମିଳେ । ଅଟ୍ରି ସ୍ଥିତ ଶ୍ରୀଶ୍ରୀ ଏକାଦଶ ରୁଦ୍ର ହଟକେଶ୍ୱର ପୀଠ ଓ ଅଟ୍ରି ଉଷ୍ମ ପ୍ରସ୍ରବଣରେ ଆଜି ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି।


ଛୁଆ ପାଇଁ ଗୁଆ ଖୋଜା:ବନ୍ଧ୍ୟା ନାରୀମାନେ ମାନସିକ କୁଣ୍ଡରେ ସଂକଳ୍ପ ବୁଡ଼ ପକାଇ ଗୁଆ ଖୋଜିଲେ ଛୁଆ ହୋଇଥାଏ ବୋଲି ବିଶ୍ବାସ ରହିଛି । ଗୁଆ ପାଇଲେ ଏହାକୁ ହଟକେଶ୍ୱରଙ୍କ ନାମ ଜପି ଖାଇଲେ ବର୍ଷକ ଭିତରେ ସନ୍ତାନ ପ୍ରାପ୍ତି ହେବାର ବିଶ୍ୱାସ ରହିଛି । ଏଥିପାଇଁ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଆସିଥାନ୍ତି ।

ହଟକେଶ୍ୱରଙ୍କ ମକର ସଂକ୍ରାନ୍ତି ପାଇଁ ସ୍ୱତନ୍ତ୍ର ନୀତିକାନ୍ତି:ବାବା ହଟକେଶ୍ୱରଙ୍କ ପୀଠରେ ଓଡ଼ିଶାର ପ୍ରସିଦ୍ଧ ମକର ମେଳା ପାଇଁ ସ୍ଵତନ୍ତ୍ର ନୀତିକାନ୍ତି ହୋଇଛି । ଭୋର 3ଟାରୁ ମହାପ୍ରଭୁଙ୍କ ପହୁଡ଼ ଖୋଲାଯାଇ ସ୍ନାନ, ମଇଲମ, ଅବକାଶ, ତଡପଲାଗି ଏବଂ ଚନ୍ଦନ ଲାଗି ହୋଇଛି । ସେହିପରି ପୁରୀ ଗଜପତିଙ୍କ ସ୍ଵତନ୍ତ୍ର ନୀତି ଅଟ୍ରି ଦଳବେହେରାଙ୍କ ପକ୍ଷରୁ ପହିଲି ଭୋଗ ଲାଗି ହୋଇ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ସାହାଣ ମେଲା କରାଯାଇଥିଲା । ସେହିପରି ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଟ କରାଯାଇଛି ।


ଶୀତଦିନେ ଗରମ ପାଣିରେ ଗାଧେଇବାର ମଜା ନେଲେ ଶ୍ରଦ୍ଧାଳୁ:ରାଜ୍ୟରେ କିଛିଦିନ ଧରି ଶୀତ ଅନୁଭୂତ ହେଉଥିବା ବେଳେ ଆମେ ଘରେ ପାଣି ଗରମ କରି ଗାଧୋଇ ମଜା ନେଇଥାଉ । କିନ୍ତୁ ଅଟ୍ରି ଉଷ୍ମପ୍ରସବଣ ଠାରେ ପ୍ରାକୃତିକ ଉପାୟରେ 55° ସେଣ୍ଟିଗ୍ରେଡ ଉତ୍ତାପରେ ଫୁଟୁଥାଏ । ଗନ୍ଧକ ଯୁକ୍ତ ଏହି ପାଣିରେ ସ୍ନାନ କଲେ ଚର୍ମ ରୋଗ ଦୂର ହୁଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଭୋର ସମୟରୁ ହଜାର ହଜାର ଶ୍ରଦ୍ଧାଳୁ ସ୍ନାନ କରି ହଟକେଶ୍ୱରଙ୍କ ଦର୍ଶନ କରୁଛନ୍ତି ।

ଅଟ୍ରିକୁ ନେଇ ଏଭଳି ରହିଛି ପୌରାଣିକ ମତ:ପୌରାଣିକ ମତାନୁସାରେ ଏହି ସ୍ଥାନ ଅତ୍ରି ମୁନିଙ୍କ ସାଧନା ସ୍ଥଳ ହୋଇଥିବାରୁ ତାଙ୍କ ନାମ ଅନୁସାରେ ଅଟ୍ରି ହୋଇଛି । ସେହିଭଳି ଭଗବାନ ଶଙ୍କର ଏହି ସ୍ଥାନରେ ତପସ୍ୟାରତ ଥିଲେ । ତପସ୍ୟା ଭଗ୍ନ ପାଇଁ ଦେବଦେବୀ କାମଦେବଙ୍କୁ ପଠାଇଥିଲେ । କମାଦେବଙ୍କ କାମ ସରରେ ମହାଦେବଙ୍କ ତପସ୍ୟା ଭଗ୍ନ ହେଲା କିନ୍ତୁ ମହାଦେବଙ୍କ ଉଗ୍ର ରୂପ ହୋଇ ତୃତୀୟ ନେତ୍ରରୁ ଅଗ୍ନି ନିର୍ଗତ ହୋଇ କାମଦେବ ଭସ୍ମ ହୋଇଥିଲେ । କାମଦେବଙ୍କ ଭସ୍ମ ସ୍ଥାନ କାମ ଦହନ କୁଣ୍ଡ ହୋଇଥିଲା ଏବଂ ଏହେ କାଳକ୍ରମେ କୁଆକୁଣ୍ଡ ରୂପ ପରିଚିତ ହୋଇଛି ।


ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ସଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ:ମକର ସଂକ୍ରାନ୍ତିଠାରୁ ହଟକେଶ୍ୱରଙ୍କ ପୀଠରେ ଆରମ୍ଭ ହୋଇଥାଏ ମକର ମେଳା । ଏହି ମେଳା ଏକ ମାସ ଧରି ଚାଲୁଥିବା ବେଳେ କାଳକ୍ରମେ ଏହା ସାତଦିନରେ ସୀମିତ ରହିଛି । ସେହିପରି ରାଜ୍ୟ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ମକର ମହୋତ୍ସବ ପାଞ୍ଚ ଦିନ ଚାଲିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଶ୍ରଦ୍ଧାଳୁଙ୍କ ପାଇଁ ଏକ କିଲୋମିଟର ବ୍ୟାପି ମିନାବଜାର, ଦୋଳି, ବିଭିନ୍ନ ସରକାରୀ ଷ୍ଟଲ, ଘରକରଣା ସାମଗ୍ରୀ, ଚଟପଟି ଖାଦ୍ୟ ପସରା ଖୋଲିଛନ୍ତି ବ୍ୟବସାୟୀ ।

ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା:ମେଳାକୁ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲା ଆରକ୍ଷୀ ଅଧିକାରୀ ଓ ଅତିରିକ୍ତ ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶରେ 2 ଡ଼ିଏସପି, 3 ଇନ୍ସପେକ୍ଟର, 15 ସବ ଇନ୍ସପେକ୍ଟର, 20ଅତିରିକ୍ତ ସବଇନ୍ସପେକ୍ଟର, 32 କନେଷ୍ଟବଳ, 52 ହୋମଗାର୍ଡ ଏବଂ ଏକ ପ୍ଲାର୍ଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ସେହିପରି ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଉଷ୍ମପ୍ରସବଣ ଭିତରେ ଏବଂ ହଟକେଶ୍ୱର ମନ୍ଦିର ପରିସରରେ ଦୁଇଟି ଅସ୍ଥାୟୀ ଫାଣ୍ଡି କରାଯାଇଛି ।


ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details