ଓଡିଶା

odisha

ETV Bharat / state

ସ୍ବାଧୀନ ‘ଅଧିନ’: ସ୍ବାବଲମ୍ବୀ ଦିବ୍ୟାଙ୍ଗଙ୍କ କାହାଣୀ

ଜନ୍ମରୁ ଦିବ୍ୟାଙ୍ଗ । ନିଜେ ଚାଲିବା ବୁଲିବା ତାଙ୍କ ପାଇଁ କଷ୍ଟକର । ହେଲେ ସେ ଅନ୍ୟମାନଙ୍କ ଠାରୁ କିଛି ଭିନ୍ନ ନୁହଁନ୍ତି । ସେ ନିଜେ ରୋଜଗାରକ୍ଷମ । ଏ ହେଉଛି ଖୋର୍ଦ୍ଧା ମୁକ୍ତାପୁର ଗାଁର ଦିବ୍ୟାଙ୍ଗ ଅଧିନ ଓଝାଙ୍କ କାହାଣୀ ...

By

Published : Jun 27, 2019, 4:10 PM IST

ଫଟୋ ସୌଜନ୍ୟ : ପ୍ରତିନିଧି,ଖୋର୍ଦ୍ଧା

ଖୋର୍ଦ୍ଧା: ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା । ଦିନ ଥିଲା ଗୋଟିଏ ଟ୍ରେନରୁ ଅନ୍ୟ ଏକ ଟ୍ରେନ ଘୁଷୁରି ଘୁଷୁରି ଭିକ୍ଷାବୃତ୍ତି କରୁଥିବା ଅଧିନ ଏବେ ହୋଇପାରିଛନ୍ତି ସ୍ୱାବଲମ୍ବୀ । ଆଉ ସମାଜରେ ଥିବା ଦିବ୍ୟାଙ୍ଗଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ । ଖୋର୍ଦ୍ଧା ଉପକଣ୍ଠ ମୁକ୍ତାପୁର ଗ୍ରାମର ଦିବ୍ୟାଙ୍ଗ ଅଧିନ ଓଝା । ବୟସ ପଚାଶ ଛୁଇଁଲାଣି । ତଥାପି ତାଙ୍କ ଆଗରେ ଯେମିତି ହାର ମାନିଛି ଅକ୍ଷମତା । ଅନ୍ୟ ଉପରେ ନିର୍ଭର ନକରି ନିଜେ ରୋଜଗାରକ୍ଷମ ହେବା ସହ ପାନ ଦୋକାନ କରି ପରିବାର 10 ପ୍ରାଣୀଙ୍କୁ ପୋଷୁଛନ୍ତି ସେ ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଖୋର୍ଦ୍ଧା

ପ୍ରଥମେ କରୁଥିବା ଭିକ୍ଷାବୃତ୍ତି ତାଙ୍କୁ ବଡ ହେବା ପରେ ଭଲ ନଲାଗିବାରୁ ଧାର କରଜ କରି ନିଜ ଗାଁ ବଜାରରେ ଘର ଭଡାନେଇ ଗୋଟିଏ ଛୋଟ ପାନଦୋକାନ ଖୋଲିଥିଲେ । ପିଲାବେଳୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ଚାଲିବାକୁ ଅକ୍ଷମ । କିନ୍ତୁ ତାଙ୍କ ଇଚ୍ଛାଶକ୍ତି ଆଗରେ ସତେ ଯେମିତି ହାର ମାନିଛି ଅକ୍ଷମତା । ଅଧିନ 75 ପ୍ରତିଶତ ଭିନ୍ନକ୍ଷମ ବୋଲି ସ୍ୱାସ୍ଥ୍ୟ ବିଭାଗ ପ୍ରମାଣପତ୍ର ମଧ୍ୟ ଦେଇଛନ୍ତି । ଏହାସହ ସେ ଭତ୍ତା ଓ ସରକାର ଦେଉଥିବା ରାସନ ସାମଗ୍ରୀ ମଧ୍ୟ ପାଉଛନ୍ତି । ହେଲେ ସରକାରଙ୍କ ତରଫରୁ ଟ୍ରାଇ ସାଇକେଲ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ଦେଇନାହାନ୍ତି ସରକାର ।

ଜମିବାଡ଼ି ନଥିବାରୁ ଭଙ୍ଗା ଘରେ ବିତୁଛି ଜୀବନ । ଆଉ ଘର ଖଣ୍ଡେ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ ସୁଫଳ ମିଳିନଥିବା କହିଛନ୍ତି ସେ । ଅନ୍ୟ ପାଇଁ ଉଦାହରଣ ପାଲଟିଥିବା ଅଧିନଙ୍କୁ ଜିଲ୍ଲା ପ୍ରଶାସନ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ଗ୍ରାମବାସୀ ।

ଅଧିନଙ୍କ ସମ୍ପର୍କରେ ଆମ ଇଟିଭି ଭାରତ ଟିମ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତେବେ ବିଭାଗୀୟ ଅଧିକାରୀ ତାଙ୍କୁ ଟ୍ରାଇ ସାଇକେଲ ଏବଂ ସରକାରୀ ନିୟମ ଅନୁସାରେ ବ୍ୟାଙ୍କ ଋଣ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପାଇଁ ଉଦାହରଣ ପାଲଟିଥିବା ଅଧିନଙ୍କୁ ଜିଲ୍ଲା ପ୍ରଶାସନ କେବେ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରୁଛି ତାହା ଦେଖିବାକୁ ବାକି ରହିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details