ଖୋର୍ଦ୍ଧା : ରିଲିଫ ବଣ୍ଟନକୁ ନେଇ ଗ୍ରାମପଞ୍ଚାୟତରେ ଦେଖାଦେଇଛି ଉତ୍ତେଜନା । ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ୱାଇଲଡ଼ ଭିଜନ ସଂସ୍ଥା ପକ୍ଷରୁ ରିଲିଫ ବଣ୍ଟନ ନେଇ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଗ୍ରାମପଞ୍ଚାୟତ ସରପଞ୍ଚଙ୍କୁ ଦାୟୀତ୍ବ ଦିଆଯାଇଥିଲା । ମାତ୍ର ଖୋର୍ଦ୍ଧା ଟାଙ୍ଗି ବ୍ଲକ ଲେଣ୍ଡୋ ଗ୍ରାମପଞ୍ଚାୟତ ଲୋକେ ରିଲିଫ ବଣ୍ଟନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ରିଲିଫ ବଣ୍ଟନ ପାଇଁ ଟୋକନ ବ୍ୟବସ୍ଥା ହୋଇଥିଲା । ମାତ୍ର ଏଥିପାଇଁ ଟଙ୍କା ନେଉଥିବାବେଳେ ଯେଉଁମାନେ ଟଙ୍କା ଦେଇ ନଥିଲେ ସେମାନଙ୍କୁ ଟୋକନ ଦିଆଯାଇ ନଥିଲା । ମଙ୍ଗଳବାର ଲେଣ୍ଡୋ ଗ୍ରାମପଞ୍ଚାୟତରେ ଉକ୍ତ ସଂସ୍ଥା ପକ୍ଷରୁ ରିଲିଫ ସାମଗ୍ରୀ ଧରି ପହଞ୍ଚିବା ପରେ ଟୋକନ ପାଇଥିବା ଲୋକେ ରିଲିଫ ସାମଗ୍ରୀ ପାଇଥିଲେ । ଅନ୍ୟମାନେ ଘଟଣା ସଂପର୍କରେ ଉକ୍ତ ସଂସ୍ଥାର କର୍ମଚାରୀଙ୍କୁ ପଚାରିବାରୁ ସେମାନଙ୍କଠୁ ସନ୍ତୋଷଜନକ ଉତ୍ତର ମିଳିନଥିଲା ।