ଭୁବନେଶ୍ବର:ବାହାନଗା ରେଳ ଦୁର୍ଘଟଣାରେ ପ୍ରାଥମିକ ଭାବେ ପ୍ରାୟ ୧୧୦୦ ଯାତ୍ରୀ ଆହତ ହୋଇଥିଲେ । ଚିକିତ୍ସିତ ହେଲା ପରେ ଏହି ସଂଖ୍ୟା ଏବେ ୨୦୦ ତଳେ ରହିଛି । ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୨୦୦ରୁ କମ୍ ଆହତ ଚିକିତ୍ସାଧୀନ ଅଛନ୍ତି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୧୦୧ଟି ମୃତଦେହର ଚିହ୍ନଟ ହୋଇପାରିନି । ସେହି ମୃତଦେହଗୁଡିକର ଚିହ୍ନଟ ପାଇଁ ରେଳ ବିଭାଗର କର୍ମଚାରୀମାନେ ମୃତକମାନଙ୍କ ଫୋଟ ଧରି ୮ଟି ରାଜ୍ୟର ଗାଆଁ ଓ ସହର ବୁଲି ସେମାନଙ୍କର ସମ୍ପର୍କୀୟଙ୍କ ଖବର ନେବେ । ସେହି ସବୁ ଅଞ୍ଚଳରେ କେହି ନିଖୋଜ ଅଛନ୍ତି କି ନାହିଁ ତାହା ଯାଞ୍ଚ କରିବେ । କେହି ନିଖୋଜ ଥିବା ଜଣାପଡିଲେ ତାହାର ସମୀକ୍ଷା କରି ମୃତଦେହ ହସ୍ତାନ୍ତର କରିବେ । ଏନେଇ ଖୋର୍ଦ୍ଧା ଡିଆରଏମ୍ ରିଙ୍କେଶ ରୟ ସୂଚନା ଦେଇଛନ୍ତି ।
ଏମ୍ସରେ ଅନୁଷ୍ଠିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଖୋର୍ଦ୍ଧା ଡିଆରଏମ୍ କହିଛନ୍ତି, ଏହି ଦୁର୍ଘଟଣାରେ ୨୭୮ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ମୃତଦେହ ଚିହ୍ନଟ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ୧୭୭ ମୃତଦେହ ଚିହ୍ନଟ ସରିଛି । ବାକି ୧୦୧ଟି ମୃତଦେହ ଭୁବନେଶ୍ବରର ଏମ୍ସ, ଆମ୍ରି, ହାଇଟେକ୍, ସମ୍, କ୍ୟାପିଟାଲ ହସ୍ପିଟାଲ ଏବଂ କିମ୍ସରେ ପଡି ରହିଛି । ମୃତକଙ୍କ ସମ୍ପର୍କୀୟମାନେ ଆସି ମୃତହେଦ ଚିହ୍ନଟ କରୁଛନ୍ତି । ଏହି ପ୍ରକ୍ରିୟା ଜାରି ରହିଛି । ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ତାମିଲନାଡ଼ୁର ଯାତ୍ରୀ ଯାତ୍ରା କରୁଥିଲେ । ବାକି ୧୦୧ ମୃତଦେହଙ୍କ ସମ୍ପର୍କୀୟଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରୟାସ ଜାରି ରହିଛି ।