ଖୋର୍ଦ୍ଧା:ମାନବବାଦ ସଂଗଠନ ନାଁରେ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଓ ଜନଜାତି ଆୟୋଗ(ଆରଟିସ) ସଦସ୍ୟ ଅନନ୍ତ ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ଖୋର୍ଦ୍ଧା ସଂସ୍କୃତି ସୁରକ୍ଷା ମଞ୍ଚ । ବେଗୁନିଆ ବ୍ଳକରେ ଆଦିବାସୀଙ୍କ ଉପରେ ତାଲିବାନୀ ଶାସନ ଚଳାଉଛି ମାନବବାଦ ସଂଗଠନ । ଯାହାର ଭିଡିଓ ଗତ କିଛିଦିନ ତଳେ ଭାଇରାଲ ହୋଇଥିଲା ।
ମାନବବାଦ ସଂଗଠନ ଆଦିବାସୀଙ୍କୁ ନିର୍ଯ୍ୟାତନା ଦେବା ଘଟଣା ,ପ୍ରତିବାଦରେ ଆରଟିସି ସଦସ୍ୟଙ୍କୁ ଦାବିପତ୍ର ପ୍ରଦାନ ଜିଲ୍ଲାର ବିଭିନ୍ନ ଆଦିବାସୀ ବହୁଳ କେତେକ ଗାଁରେ ମାନବବାଦ ସଂଗଠନ ନାଁରେ ନିରୀହ ଆଦିବାସୀଙ୍କୁ ଜୋରଜବରଦସ୍ତ ଏହି ସଂଗଠନରେ ସଦସ୍ୟ ହେବା ପାଇଁ ବାଧ୍ୟ କରାଯାଉଛି । ସଂଗଠନର ସର୍ତ୍ତର ରାଜି ନ ହେଲେ ଶାରିରୀକ ନିର୍ଯ୍ୟାତନା ଦିଆଯାଉଛି । ତେବେ ଦୁଇମାସ ପୂର୍ବେ ବେଗୁନିଆ ବ୍ଲକ ଅର୍ନ୍ତଗତ କଡବ ଗାଁରେ ମାଗୁଣି ନାଏକ ଓ ତାଙ୍କ ପୁଅ ଆନନ୍ଦଙ୍କୁ ଏହି ସଂଗଠନର କେତେକ ଯୁବକ ଏକ ବନ୍ଦ କୋଠରୀରେ ଦେହରୁ କପଡା ବାହାର କରି ଅମାନୁଷିକ ଭାବେ ଲାଠିରେ ମାଡ ମାରୁଥିବା ଏକ ଭିଡିଓ ଭାଇରାଲ ହୋଇଛି ।
ଗତ ଅଗଷ୍ଟ ୨ ତାରିଖରେ ଏହି ସଂଗଠନରେ ସାମିଲ ନ ହେବାରୁ ଅଭିମାନପୁରର ସତ୍ୟବ୍ରତ ନାଏକଙ୍କୁ ସଂଗଠନ ସଦସ୍ୟମାନେ ଅପହରଣ କରିଥିଲେ । ପରେ ସ୍ଥାନୀୟ କରଡଗାଡିଆଠାରେ ହତ୍ୟା କରିଥିଲେ । ଏହି ଘଟଣାରେ ପୁଲିସ ୬ଜଣଙ୍କୁ ଗିରଫ କରିଛି । ଏହି ହତ୍ୟାକାଣ୍ଡରେ ଜଣେ ଅଭିଯୁକ୍ତ ସର୍ବେଶ୍ୱର ନାଏକ ଯିଏକି ପିପିଲି ଉପନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ସତ୍ୟବ୍ରତଙ୍କୁ ହତ୍ୟା କରିଥିବା ଲୋକ ବିଭିନ୍ନ ଜିଲ୍ଲାରେ ରହିଛନ୍ତି । ଏଥିରୁ ସ୍ପଷ୍ଟ ଯେ, ସଂଗଠନ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାମ କରୁଛି । ଏହି ସଂଗଠନର ମୂଳ କେଉଁଠି, କେଉଁମାନେ ଏହା ପଛରେ ଅଛନ୍ତି ଏହାର ଲକ୍ଷ୍ୟ କଣ, ଏହାର ତଦନ୍ତ ଜରୁରୀ ।
ଏହି ସଂଗଠନର ବର୍ବରତା ବଢିଚାଲିଥିବାବେଳେ ପୋଲିସର ନୀରବତାକୁ ସଠିକ ତଦନ୍ତ ହୋଇନଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଆଦିବାସୀଙ୍କ ସୁରକ୍ଷା ଓ ବିହୀତ ପଦକ୍ଷେପ ନେବାକୁ ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଆୟୋଗ ପକ୍ଷରୁ ଜିଲ୍ଲା ପ୍ରଶାସନ ଏବଂ ଏସପିଙ୍କ ଠାରୁ ରିପୋର୍ଟ ତଲବ କରାଯିବ । ଆବଶ୍ୟକ ପଡିଲେ ଅୟୋଗ ସଦସ୍ୟ ନିଜେ ସେହି ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ