ଓଡିଶା

odisha

ETV Bharat / state

ହଜିଯାଉଛି କାଗଜ ମୁଖା ଓ ଗୋବର କଣ୍ଢେଇର ପରିଚୟ, ସରକାରୀ ସହାୟତା ଦାବି କଲେ କାରିଗର - ଖୋର୍ଦ୍ଧାର ଗୋବର କଣ୍ଢେଇ

ପରିଚୟ ହରାଉଛି କାଗଜ ମୁଖା ଓ ଗୋବର କଣ୍ଢେଇ । ହଜିବାକୁ ବସିଛି ଖୋର୍ଦ୍ଧା ଜିଲ୍ଲା କରଡଗାଡିଆ ଗାଁର କାଗଜ ମୁଖା ଓ ଗୋବର କଣ୍ଢେଇ ଖେଳଣା। କଳାକୁ ବଞ୍ଚାଇ ରଖିବା ପାଇଁ କାରିଗରଙ୍କ ପ୍ରୟାସ । ଅଧିକ ପଢ଼ନ୍ତୁ

cow dung doll
କାଗଜ ମୁଖା ଓ ଗୋବର କଣ୍ଢେଇ

By

Published : Dec 25, 2022, 5:13 PM IST

ହଜିଯାଉଛି କାଗଜ ମୁଖା ଓ ଗୋବର କଣ୍ଢେଇ

ଖୋର୍ଦ୍ଧା: ବେଗୁନିଆ ବ୍ଲକ କରଡଗାଡିଆ ଗାଁ ଦିନେ ଥିଲା ଏକ ସ୍ୱତନ୍ତ୍ର ଉତ୍କଳୀୟ କଳା ପାଇଁ ଖ୍ୟାତି ଲାଭ କରିଛି । ଏହି ଗାଁର କାଗଜ ମୁଖା ଓ ଗୋବର କଣ୍ଢେଇ ଖେଳଣାର ଚାରୁକଳା ଆଜି ପାଲଟିବାକୁ ବସିଛି ଇତିହାସ । ରୋଜଗାର ନଥିବାରୁ କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି ଗ୍ରାମବାସୀ । କଣଠେସା ହୋଇଥିଲେ ବି ବଞ୍ଚି ରହିଛି ପୁରାତନ କଳା । ଆଜି ବି କଳାକୁ ଜାବୁଡ଼ି ଧରିଛନ୍ତି ହାତ ଗଣତି ପରିବାର । ନିଜ ପରିବାରକୁ ସମୟ ଦେବା ପରେ ଯେଉଁ ବଳକା ସମୟ ମିଳେ ସେଥିରେ ଘରର ସମସ୍ତେ ଲାଗିପଡ଼ନ୍ତି ଏଭଳି ଆକର୍ଷଣୀୟ ଘରକରଣା ସାମଗ୍ରୀ ତିଆରି କରିବାରେ । ଗୋବର ଓ ଅଦରାକରୀ କାଗଜରୁ ପ୍ରସ୍ତୁତ କରୁଛନ୍ତି ଆକର୍ଷଣୀୟ କଣ୍ଢେଇ ।

ରାଜ୍ୟ ସରକାରଙ୍କ କଳା ଓ କଳାକାରର ପ୍ରଚାର ପ୍ରସାର ନେଇ ଯେତେ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଉତ୍କଳ ମାଟିର କଳାକାର ଓ ଚିତ୍ରକର ଗାଁରେ ଆଜି ଅସମୟରେ ନଇଁ ଆସୁଛି ସଞ୍ଜ । କରଡଗାଡିଆ ଗ୍ରାମରେ କାଗଜ ମୁଖା ଓ ଗୋବର କଣ୍ଢେଇର ସ୍ୱତନ୍ତ୍ର ପରିଚୟ ଆଜି ହରାଇବାକୁ ବସିଛି । ଏହା ଦେଖିବାକୁ ଯେତେ ଆକର୍ଷଣୀୟ, ପ୍ରସ୍ତୁତି ମଧ୍ୟ ସେତେ ସ୍ବତନ୍ତ୍ର । ମୁଖା ତିଆରି ସ୍ୱତନ୍ତ୍ର ପ୍ରଥମେ କାଗଜ ଉପରେ ଉପରେ ଅଠା ବୋଳାଯାଏ । ତେନ୍ତୁଳି ମଞ୍ଜିକୁ ପାଣିରେ ବତୁରାଇ, ଛେଚି, ତାପରେ ଶିଳରେ ବାଟି ଏଇ ଅଠା ତିଆରି କରାଯାଇଥାଏ । କାଗଜର ଅଠା ଲାଗି ନଥିବା ପାର୍ଶ୍ଵକୁ ଛାଞ୍ଚରେ ପକାଯାଏ । ଏପରି ଭାବେ ତିନିପରସ୍ତ କାଗଜ ପକା ଯାଇଥାଏ । କାଗଜକୁ ଦୁଇଦିନ ଖରାରେ ଶୁଖାଇବା ପରେ ଛାଞ୍ଚକୁ ବାହାର କରି ମଇଦା, ଗୋବର, ଚିକିଟା ମାଟିକୁ ମିଶାଇ ତାଉପରେ ଲେପ ଦିଆଯାଏ । ପରେ ମଇଦା ଅଠା, କରତଗୁଣ୍ଡର ପୁଟୁଣି ଚକଟା ହୋଇ ମୂର୍ତ୍ତି ଗଢ଼ାଯାଏ । ମୂର୍ତ୍ତି ଗଢ଼ା ସରିବା ପରେ ଘଷା ପଥରରେ ମସୃଣ କରାଯାଏ ଏବଂ ଖଡ଼ି ରଙ୍ଗ ଦିଆଯାଏ ।

ଦିନ ଥିଲା ଗ୍ରାମର ଘରେଘରେ ଏହି କାଗଜ ଓ ଗୋବର ଦ୍ୱାରା ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ହେଉଥିଲା । କିନ୍ତୁ ଏବେ ଏହି ସାମଗ୍ରୀର ବଜାର ବ୍ୟବସ୍ଥା ଏବଂ ଆଗାମୀ ପିଢ଼ି ଏହାକୁ ଆଗକୁ ନେବାକୁ ଅନିଚ୍ଛା ପ୍ରକାଶ କରିବା କାରଣରୁ କୌଳିକ ବୃତ୍ତିଟି ଲୁପ୍ତ ହେବାକୁ ଯାଉଛି । କରଡ଼ଗାଡିଆର ସେ ଚାରୁକଳା ଆଜି ଇତିହାସ ହେବାକୁ ବସିଥିବା ବେଳେ ଗ୍ରାମର ଚାରୋଟି ପରିବାର ଏବେ କାଁ ଭାଁ ତିଆରି କରୁଛନ୍ତି ଏହି ଗୋବର କଣ୍ଢେଇ, କାଗଜମୁଖା ଓ କାଠମୁଖା । ବାହାରକୁ ରପ୍ତାନୀ ପ୍ରାୟତଃ ବନ୍ଦ ହୋଇଗଲାଣି । ଏନେଇ କାରିଗର କହିଛନ୍ତି, "ଏହି କାମ ପାଇଁ କୌଣସି ପ୍ରାପ୍ୟ ମିଳୁନି । ସରକାରୀ ସ୍ତରରେ ମଧ୍ୟ କୌଣସି ସୁବିଧା ଯୋଗାଇ ଦିଆଯାଇନାହିଁ । ବଜାର ବ୍ୟବସ୍ଥା ନଥିବାରୁ ଗାଁଗାଁ ବୁଲି ଅଥବା ଘରେ ବିକ୍ରି କରିବାକୁ ପଡୁଛି ।"

ଦିନେ ଯେଉଁ କରଡ଼ଗାଡିଆ କଳା ପାଇଁ ପ୍ରସିଦ୍ଧି ଲାଭ କରିଥିଲା ଆଜି ସେହି ଗାଁରେ କଳାର ଅନ୍ଧାରୀ ପରିବେଶ । ସରକାର ଏହି ଲୁପ୍ତପ୍ରାୟ କଳାକୁ ବଞ୍ଚାଇ ରଖିବା ପାଇଁ କଳାକାରମାନଙ୍କୁ ସହାୟତା ଯୋଗାଇ ଦେଲେ ହୁଏତ ଏହା ଆଗାମୀ ପିଢ଼ି ପର୍ଯ୍ୟନ୍ତ ନିଜ ଅସ୍ତିତ୍ବ ବଜାଇ ରଖିବାରେ ସମର୍ଥ ହେବ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details