ଭୁବନେଶ୍ବର:ଆଜି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକର୍ପଣ ହେବ । ମନ୍ତ୍ର ଧ୍ବନି, ଏବଂ ବେଦପାଠରେ କମ୍ପୁଛି ଶ୍ରୀକ୍ଷେତ୍ର ପରିବେଶ । ତେବେ ଏହି ମହାସମାରୋହକୁ ନେଇ କେବଳ ଓଡ଼ିଶା ନୁହଁ ପୁରା ଦେଶ ଜଗନ୍ନାଥମୟ ହୋଇଥିବା ବେଳେ ସମସ୍ତେ ଏହାକୁ ଚାହିଁ ରହିଛନ୍ତି । ଏହି ଅବସରରେ ବଲିଉଡ କଣ୍ଠଶିଳ୍ପୀ ଜୁବିନ ନୌଟିଆଲ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ଓଡ଼ିଆ ଭଜନ ‘ଜୟ ଜଗନ୍ନାଥ ସ୍ଵାମୀ, ନୟନ ପଥ ଗାମୀ, ଭବ ତୁମେ’ ଗାଇଛନ୍ତି । ଯାହା ବର୍ତ୍ତମାନ ରିଲିଜ ହୋଇଥିବା ବେଳେ ସୋସିଆଲ ମିଡିଆରେ ଖୁବ ଟ୍ରେଣ୍ଡ କରୁଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାୟକଙ୍କ ଏହି ଗୀତକୁ ସେୟାର କରିବା ସହ ତାଙ୍କର ଖୁବ ପ୍ରଶଂସା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଏକ୍ସରେ ଜୁବିନଙ୍କ ଏହି ଗୀତକୁ ସେୟାର କରିଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ପାଇଁ ଏତେ ସୁନ୍ଦର ଭଜନ ଗାଇଥିବାରୁ ସିଏମ ଜୁବିନଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଏହି ଗୀତକୁ ସେୟାର କରି ସିଏମ୍ ଲେଖିଛନ୍ତି, ଭାବ ଓ ଭକ୍ତିରେ ପୂରି ଉଠୁଛି ସାରା ଶ୍ରୀକ୍ଷେତ୍ର । ଏସବୁ ସମ୍ଭବ ହେଉଛି ତାଙ୍କରି ଇଚ୍ଛାରେ । ଭବ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲଙ୍କ କଣ୍ଠରେ ଭକ୍ତିର ଏ ସଙ୍ଗୀତ ପ୍ରତିଟି ଓଡ଼ିଆଙ୍କ ଭାବାବେଗକୁ ଯୋଡୁଛି । ତେବେ ଏହି ଗୀତକୁ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଦେଖିସାରିଥିବା ବେଳେ ସୋସିଆଲ ମିଡିଆରେ ଏହି ଗୀତ ଶ୍ରୀମନ୍ଦିର ଖୁସି..., ଓଡ଼ିଶା ଖୁସି..., ନାଁରେ ଭଜନ ଟ୍ରେଣ୍ଡ କରୁଛି । ଏଥିସହ ସମସ୍ତେ ଗାୟକଙ୍କ ଭଜନକୁ ପସନ୍ଦ କରିବା ସହ ଖୁବ ପ୍ରଶଂସା କରିଛନ୍ତି ।