ଓଡିଶା

odisha

ETV Bharat / state

ଝାରପଡ଼ା ଜେଲ୍ ହେବ ବିଶ୍ବସ୍ତରୀୟ, କଏଦୀଙ୍କ ପାଇଁ ଅତ୍ୟାଧୁନିକ ସେବା - କଏଦୀଙ୍କ ପାଇଁ ଅତ୍ୟାଧୁନିକ ସେବା

ଖୋର୍ଦ୍ଧା ଜାମୁଝରୀକୁ ସ୍ଥାନାନ୍ତର ପରେ ବିଶ୍ବସ୍ତରୀୟ ହେବ ଝାରପଡ଼ା ଜେଲ୍ । ଏନେଇ ସୂଚନା ଦେଇଛନ୍ତି ଝାରପଡ଼ା ଜେଲ ଅଧିକ୍ଷକ ସତ୍ୟ ପ୍ରକାଶ ସ୍ବାଇଁ । ଅଧିକ ପଢ଼ନ୍ତୁ

ଝାରପଡ଼ା ଜେଲ୍ ହେବ ବିଶ୍ବସ୍ତରୀୟ
ଝାରପଡ଼ା ଜେଲ୍ ହେବ ବିଶ୍ବସ୍ତରୀୟ

By

Published : Feb 20, 2023, 6:29 AM IST

ଝାରପଡ଼ା ଜେଲ୍ ହେବ ବିଶ୍ବସ୍ତରୀୟ

ଭୁବନେଶ୍ବର: ନୂଆ ରୂପ ପାଇବ ଝାରପଡ଼ା ଜେଲ୍ । ଖୋର୍ଦ୍ଧା ଜାମୁଝରୀକୁ ସ୍ଥାନାନ୍ତର ପରେ ହେବ ବିଶ୍ବସ୍ତରୀୟ । ଏନେଇ ଝାରପଡ଼ା ଜେଲ ପାଇଁ ଭିଜନ ପ୍ରସ୍ତୁତ କରିଛନ୍ତି ସରକାର । ଆଗାମୀ ଦୁଇ ବର୍ଷ ମଧ୍ୟରେ କାମ ଶେଷ ପାଇଁ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ ସରିଛି । ଆଗାମୀ ୬୦ ବର୍ଷକୁ ଦୃଷ୍ଟିରେ ରଖି ଅଧିକ କ୍ଷମତା ବିଶିଷ୍ଟ ଜେଲ ପ୍ରସ୍ତୁତ ହେବ । ପାଖାପାଖି ୨୫୦୦ କଏଦୀଙ୍କ ପାଇ ରହଣି ସୁବିଧା ।

ଝାରପଡ଼ା ଜେଲରେ ବୟସ୍କ ଓ ଯୁବଙ୍କ ସହ କିନ୍ନର ଏବଂ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଓ୍ବାର୍ଡ‌ ରହିବ । ପେଷାଦାର ଓ ହାର୍ଡକୋର‌ କଏଦୀଙ୍କ ପାଇଁ ସ୍ପେଶାଲ ସର୍ଭିଲାନ୍ସ ସେଲ ସହ କଏଦୀଙ୍କ ସ୍ବାସ୍ଥ୍ୟ ଓ ସୁସ୍ଥ ପାଇଁ ସ୍ପୋର୍ଟସ ଜୋନ ସମେତ ମନୋରଞ୍ଜନ ଥିଏଟର, ଲାଇବ୍ରେରୀ ଏହା ସହିତ ସ୍ବାସ୍ଥ୍ୟର ଦାୟିତ୍ବ ନେବା ପାଇଁ ୧୨୦ ବେଡର ହସ୍ପିଟାଲ, ଆଇସିୟୁ ବେଡ୍‌, ବ୍ଲଡ ବା ବିଭିନ୍ନ ଟେଷ୍ଟ ପାଇଁ ପାଥୋଲାବର ସୁବିଧା ମଧ୍ୟ ରହିବ । କଏଦୀଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇବା ପାଇଁ ଅଥବା ବେକେରୀ ୟୁନିଟ, ଫୁଡ୍ ପ୍ରୋସେସିଂ ୟୁନିଟ, ମିଲେଟ ମିଶନ ପାଇଁ ବ୍ୟବସ୍ଥା ରହିବ । ଏହା ସହିତ ମହିଳା ମାନଙ୍କର ଛୋଟ ଛୁଆ ଥିଲେ ସେମାନଙ୍କ‌ ପାଇଁ ଚିଲଡ୍ରେନ‌୍ ପାର୍କ, ସିଲେଇ ଟ୍ରେନିଂ, ବିୟୁଟି ଟ୍ରେନିଂ ଆଦି ଦିଆଯିବ । ପାଠ ପଢ଼ିବାକୁ ଆଗ୍ରହୀ ଥିବା କଏଦୀଙ୍କ ପାଇଁ ସ୍କୁଲ ବା ଡିଷ୍ଟ୍ରିକ୍ଟ କୋର୍ସ୍ ସୁବିଧା ପାଇଁ ପାଠ ପଢା କକ୍ଷ, ଅନଲାଇନ ଟେଷ୍ଟ ବା ପରୀକ୍ଷା ପାଇଁ ସ୍ବତନ୍ତ୍ର ଗୃହର ବ୍ୟବସ୍ଥା ରହିବ । ୫୦ ଏକର ଜାଗାରେ ଏଭଳି ଏକ ବିଶ୍ବସ୍ତରୀୟ ଜେଲ ତିଆରି ହେବ ।

ଏନେଇ ଦେଶର ବିଭିନ୍ନ ପ୍ରସିଦ୍ଧ ଜେଲକୁ ପରିଦର୍ଶନ କରି ସେଠାକାର କଏଦୀଙ୍କ ପାଇଁ ଆବଶ୍ୟକୀୟ ସୁବିଧା ସହ କିପରି ଜେଲରେ ସ୍ପଷ୍ଟ ଦିବାଲୋକର କକ୍ଷ ଏବଂ ଅଙ୍ଗାରକାମ୍ଳ ମୁକ୍ତ ତଥା ଗ୍ରୀନ ଜେଲ ଭାବେ ପ୍ରସ୍ତୁତ ପାଇଁ ଲକ୍ଷ୍ୟ ରଖାଯାଇଛି । ଏପରିକି ବିଶ୍ବର ବିଭିନ୍ନ ଜେଲ ଡିଜାଇନ୍ ଓ ଆର୍କିଟେକ ଦୃଷ୍ଟିରେ ରଖି ଏପରି ଏକ ଅତ୍ୟାଧୁନିକ ଜେଲ ପ୍ରସ୍ତୁତି ଚାଲିଛି । ଏନେଇ ଗୃହ ବିଭାଗର ଅନୁମତି ପରେ ଜେଲ ବିଭାଗ ଏହି ଦିଗରେ ବିଭିନ୍ନ ଦିଗକୁ ତର୍ଜମା କରି ପ୍ଲାନ୍ ଓ ଡିଜାଇନ୍ ଜରିଆରେ ଆଗାମୀ ୨ ବର୍ଷ ମଧ୍ୟରେ ଲକ୍ଷ୍ମୀସାଗର ଝାରପଡାରେ ଥିବା ଜେଲକୁ ସ୍ଥାନାନ୍ତର କରି ଖୋର୍ଦ୍ଧା ଜାମୁଝରୀରେ ଏପରି ଏକ ବିଶ୍ବସ୍ତରୀୟ ଜେଲ ପ୍ରତିଷ୍ଠା ପାଇଁ କାମ ଆରମ୍ଭ କରିଛନ୍ତି ।

ଜେଲ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ପଞ୍ଜାବ ଓ ତାମିଲନାଡୁ ଠାରୁ ଆହୁରି ଭଲ ଓ ବିଶ୍ବସ୍ତରୀୟ ଜେଲ ତିଆରି କରିବାକୁ ଯୋଜନା ଚାଲିଛି । ଏହି ଦିଗରେ ଭବିଷ୍ୟତକୁ କିପରି ପ୍ରଶସ୍ତୀକରଣ କରିହେବ, ସେହି ଢାଞ୍ଚାରେ ଜେଲ ପାଇଁ କାମ ଆରମ୍ଭ ହୋଇଛି । ତେବେ ରାଜ୍ୟରେ ମୋଟ ୮୭ଟି ଜେଲ ରହିଛି । କେବଳ ଝାରପଡ଼ା ଜେଲରେ ୯୦୦ କଏଦୀ ରହୁଛନ୍ତି । ଯେଉଁମାନଙ୍କ ମଧ୍ୟରେ ସଜ୍ଜା କାଟୁଥିବା କଏଦୀ ଏବଂ ବିଚାରଧୀନ କଏଦୀ ମଧ୍ୟ ଅଛନ୍ତି ‌। ତେବେ ଝାରପଡ଼ା ଜେଲକୁ ସ୍ଥାନାନ୍ତର ପରେ କୋର୍ଟ ଯିବାଆସିବା ଆଦିକୁ ଦୃଷ୍ଟିରେ ‌ରଖି ଭିଡିଓ କନଫରେନ୍ସିଂରେ କୋର୍ଟରେ ହାଜର ପାଇଁ ମଧ୍ୟ ବ୍ୟବସ୍ଥା ରହିବ‌ । ଏନେଇ ଝାରପଡ଼ା ଜେଲ ଅଧିକ୍ଷକ ସତ୍ୟ ପ୍ରକାଶ ସ୍ବାଇଁ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details