ଓଡିଶା

odisha

ETV Bharat / state

ଓଡିଶାରେ ଜାପାନର ପୁଞ୍ଜିନିବେଶ, ବିରୋଧୀ କହିଲେ କିଛି ନୁହେଁ କେବଳ ନିର୍ବାଚନୀ ଭେଳିକି - ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତ

ଓଡ଼ିଶାର କେନ୍ଦ୍ରାପଡ଼ାରେ ଆର୍ସେଲର ନିପ୍ପନ ଷ୍ଟିଲ୍‌ ପ୍ଲାଣ୍ଟ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତ କରି ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ସମ୍ପୃକ୍ତ କମ୍ପାନୀ ସହ ଆଲୋଚନା କରିଛନ୍ତି । ଏହାକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ

ଓଡିଶାରେ ଜାପାନର ପୁଞ୍ଜିନିବେଶ ନିର୍ବାଚନୀ ଭେଳିକି: ପଞ୍ଚାନନ କାନୁନଗୋ
ଓଡିଶାରେ ଜାପାନର ପୁଞ୍ଜିନିବେଶ ନିର୍ବାଚନୀ ଭେଳିକି: ପଞ୍ଚାନନ କାନୁନଗୋ

By

Published : Apr 7, 2023, 9:24 PM IST

ଓଡିଶାରେ ଜାପାନର ପୁଞ୍ଜିନିବେଶ ନିର୍ବାଚନୀ ଭେଳିକି: ପଞ୍ଚାନନ କାନୁନଗୋ

ଭୁବନେଶ୍ବର: ବିଶ୍ବର ସର୍ବବୃହତ ଷ୍ଟିଲ ଉତ୍ପାଦନ କାରଖାନା ଓଡିଶାରେ ହେବ । ଏହି ଷ୍ଟିଲ୍‌ କାରଖାନା ପାଇଁ ଜାପାନ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ । ଯାହାର ଉତ୍ପାଦନ କ୍ଷମତା ରହିବ 30 ମିଲିୟନ ମେଟ୍ରିକ ଟନ । ହେଲେ ଏହା କେତେ ଦୂର ସମ୍ଭବ । ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ବିଗତ ଦିନର ପୁଞ୍ଜିନିବେଶକୁ ହିସାବକୁ ନିଆଯାଇଛି । 2018ରୁ 2023 ମସିହା ମଧ୍ୟରେ ରାଜ୍ୟ ସରକାର ଦେଶର ବିଭିନ୍ନ ଶିଳ୍ପ ସମୃଦ୍ଧ ରାଜ୍ୟରେ ରୋଡ ସୋ' କରିଛନ୍ତି । ରାଜ୍ୟ ସରକାରଙ୍କ ପ୍ରତିନିଧି ଆମେରିକା ଗସ୍ତ କରିଛନ୍ତି । କିନ୍ତୁ ପୁଞ୍ଜିନିବେଶ ହୋଇଛି ମାତ୍ର 6 ହଜାର କୋଟି ଟଙ୍କା ।

ଏହାବି ପଢନ୍ତୁୃ- Naveen Japan Tour: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନିପ୍ପନ ଷ୍ଟିଲ ମୁଖ୍ୟ

ତେଣୁ ଏବେ ଯେଉଁ ଷ୍ଟିଲ କାରଖାନା କଥା କୁହାଯାଉଛି ତାହା କେବଳ ନିର୍ବାଚନ ଭେଳିକି ବୋଲି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ସେ କହିଛନ୍ତି, "2024 ନିର୍ବାଚନ ନିକଟତର ହେଲାଣି । ଲୋକଙ୍କୁ ନିଯୁକ୍ତିର ଲୋଭ ଦେଖାଇବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏତେ ବଡ ପୁଞ୍ଜିନିବେଶର ସ୍ବପ୍ନ ଦେଖାଇ ଭୋଟ ହାତେଇବା ପାଇଁ ସରକାର ଉଦ୍ୟମ ଆରମ୍ଭ । ସରକାର ଆଜି ପର୍ଯ୍ୟନ୍ତ ଶିଳ୍ପକୁ ନେଇ ଯାହା କରିବା କଥା କରିପାରିଲେ ନାହିଁ ।"

ବଡ଼ କଥା ହେଲା ଓଡିଶାରେ ଗୋଟେ ସାଇକେଲ କାରଖାନା ପ୍ରତିଷ୍ଠା ହୋଇପାରିଲା ନାହିଁ । ରାଜ୍ୟରେ ଯେତିକି ସାଇକେଲର ଆବଶ୍ୟକତା ଅଛି, ଏହି ଶିଳ୍ପକୁ ପ୍ରୋତ୍ସାହନ ଦେବା ଜରୁରୀ । କିନ୍ତୁ ରାଜ୍ୟ ସରକାର ତାହା କରୁ ନାହାଁନ୍ତି । ସେହିପରି ଯେତିକି ଲୁଣର ଆବଶ୍ୟକତା ଅଛି ସେହି ଅନୁପାତରେ ଉତ୍ପାଦନ ହେଉନାହିଁ । ତେଣୁ ଲୁଣର ଉତ୍ପାଦନ ବୃଦ୍ଧି ଉପରେ ସରକାର ଧ୍ୟାନ ଦେବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ପଞ୍ଚାନନ କାନୁନଗୋ ।

ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ କେନ୍ଦ୍ରାପଡ଼ାରେ ହେବାକୁ ଯାଉଛି ଦେଶର ସର୍ବବୃହତ ଷ୍ଟିଲ୍‌ କାରଖାନା । ଯାହାର ଉତ୍ପାଦନ କ୍ଷମତା 24 ମିଲିୟନ ମେଟ୍ରିକ ଟନରୁ 30 ମିଲିୟନ ମେଟ୍ରିକ ଟନ ହୋଇପାରେ । ବର୍ତ୍ତମାନ ବିଶ୍ବର ସର୍ବବୃହତ ଷ୍ଟିଲ କାରଖାନାର ଉତ୍ପାଦନ କ୍ଷମତା ହେଉଛି 20 ମିଲିୟନ ମେଟ୍ରିକ ଟନ୍‌ । ଆର୍ସେଲ ମିତ୍ତଲ ଓ ନିପ୍ପନ ଷ୍ଟିଲ ଏହି ନିବେଶ କରିବେ ।

ଏହା ବ୍ୟତୀତ ଟୋକିଓରେ ଓଡିଶା ବିଜନେସ ମିଟରେ ଜାପାନରୁ 26 ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ରହିଛି । ରାଜ୍ୟର ଲଜିଷ୍ଟିକ, ଧାତବ, ଆନୁଷଙ୍ଗିକ, ଇସ୍ପାତ, ଗ୍ରିନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ , ଗ୍ରୀନ ଏନର୍ଜୀ ଉପକରଣ ଉତ୍ପାଦନ, ଆଇଟି ଓ ଏହି ସଂକ୍ରାନ୍ତୀୟ ପୁଞ୍ଜିନିବେଶ କରିବାକୁ ଜାପାନର ନିବେଶକମାନେ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । କିନ୍ତୁ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି ଭୋଟ ବ୍ୟାଙ୍କ ରାଜନୀତି ଭିତରେ ଶିଳ୍ପ କେତେ ଦୂର ଆଗକୁ ବଢିବ ତାହା ଏବେ ବଡ ପ୍ରଶ୍ନ । କାରଣ ବିଭିନ୍ନ ପର୍ଯ୍ୟାୟରେ ଅନେକ ଶିଳ୍ପ ଏବଂ ତତ ଜନିତ ପୁଞ୍ଜିନିବେଶ ଏବେ ପାଇପଲାଇନରେ ରହିଛି । କାର୍ଯ୍ୟକ୍ଷମ ହୋଇପାରୁନାହିଁ । ତେଣୁ 2024 ନିର୍ବାଚନକୁ ଦୃଷ୍ଟି ରଖି ଏହା କେବଳ ପ୍ରସ୍ତାବରେ ରହିବ ନା ଏମଓୟୁ ସ୍ବାକ୍ଷରିତ ହୋଇଥିବା ପ୍ରକଳ୍ପ ଗୁଡିକ ବାସ୍ତବିକ କାର୍ଯ୍ୟକ୍ଷମ ହେବ ତାହାକୁ ଅପେକ୍ଷା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details