ଭୁବନେଶ୍ବର: ଓଡ଼ିଶା ଆଉ ଶ୍ରୀମନ୍ଦିର ଇତିହାସରେ ଯୋଡ଼ିବାକୁ ଯାଉଛି ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ଯାହାର କାରଣ ହେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ୨୦୨୪, ଜାନୁଆରୀ ୧୭ ତାରିଖରେ ଏହାର ଲୋକାର୍ପଣ ଉତ୍ସବ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଅନୁଷ୍ଠିତ ହେବ । ଏହି ଉତ୍ସବକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ଦେଶ ସମେତ ଦେଶ ବାହାର ଏବଂ ରାଜ୍ୟର ସମସ୍ତ ଜିଲ୍ଲାର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ କରାଯାଉଛି । ଏହି କ୍ରମରେ ଗତକାଲି(ଶୁକ୍ରବାର) ନିମନ୍ତ୍ରଣକାରୀ ଦଳ ନେପାଳର କାଠମାଣ୍ଡୁରେ ପହଞ୍ଚିଛନ୍ତି ।
ସେହିପରି ତାମିଲନାଡ଼ୁର ମଦୁରାଇର ମୀନାକ୍ଷୀ ମନ୍ଦିର ଓ ଅଲଗରନାଥ ମହାବିଷ୍ଣୁ ମନ୍ଦିରରେ ନିମନ୍ତ୍ରଣପତ୍ର ଦିଆଯାଇଛି । ଏଥିସହ ଜମ୍ମୁର ବୈଷ୍ଣୋଦେବୀ ମନ୍ଦିର, ନଭି ମୁମ୍ବାଇ ଜଗନ୍ନାଥ ମନ୍ଦିର, ବିଜୟୱଡା ଶ୍ରୀ ସାଇଲମର ମଲ୍ଲିକାର୍ଜୁନ ମନ୍ଦିର, ବିଶାଖାପାଟଣାର ଷ୍ଟିଲ ପ୍ଲାଣ୍ଟ ଜଗନ୍ନାଥ ମନ୍ଦିର, ଔରଙ୍ଗାବାଦ ଏଲୋରାର ଶ୍ରୀ ଘୃଷ୍ଣେଶ୍ଵର ମନ୍ଦିର ଦେବସ୍ଥାନ, ଗୁଜୁରାଟ ସୋମନାଥ ମନ୍ଦିରରେ ସେବାୟତ ଓ ନୋଡାଲ ଅଧିକାରୀ ପହଞ୍ଚି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ।
ଓଡିଶାର ବରଗଡ଼ ପାଇକମାଳର ନୃସିଂହନାଥ ମନ୍ଦିର, ନୂଆପଡାର ପାତାଳ ଗଙ୍ଗା ମନ୍ଦିରରେ ମଧ୍ୟ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା । ମଦୁରାଇର ଅଲଗରନାଥ ମନ୍ଦିରରେ ପ୍ରଶିକ୍ଷିତ ହାତୀ ନିମନ୍ତ୍ରଣକାରୀ ଦଳଙ୍କୁ ସ୍ୱାଗତ କରିବା ସହ ନିଜ ଶୁଣ୍ଢରେ ଆଶୀର୍ବାଦ କରିଥିଲା । ସବୁଠି ଜୟ ଜଗନ୍ନାଥ ଧ୍ୱନିରେ ନିମନ୍ତ୍ରଣକାରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।