ଭୁବନେଶ୍ବର:ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ଭାରତୀୟ ସଶସ୍ତ୍ର ବଳ ଓ ବେସାମରିକ ସେବା ଅଧିକାରୀଙ୍କ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ଦ୍ୱିତୀୟ ପାରସ୍ପରିକ ଭାବ ବିନିମୟରେ ଜ୍ଞାନ ଆହରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଗାମୀ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ୫ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏକାଡେମୀର ମହା ନିର୍ଦ୍ଦେଶକ ଅନୁ ଗର୍ଗ, ଅଗ୍ନିଶମ ଓ ଆପାତକାଳୀନ ସେବା ଡିଜି ସୁଧାଂଶୁ ଷଡଙ୍ଗୀ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ନିର୍ଦ୍ଦେଶକ ଡଃ. ଜ୍ଞାନ ଦାସ ଅତିଥି ଭାବେ ଯୋଗ ଦେଇଛନ୍ତି ।
Disaster management programme କାର୍ଯ୍ୟକ୍ରମରେ ୧୦ ଜଣ ଆର୍ମି ଅଫିସର, ୩ ଜଣ ନାଭାଲ ଓ ୩ ଜଣ ବାୟୁସେନା ଅଧିକାରୀଙ୍କ ସମେତ ଓଡ଼ିଶା ସହ ଦେଶର ବିଭିନ୍ନ ପ୍ରଦେଶରୁ ମୋଟ ୩୦ ଜଣ ଆଇଏଏସ, ଆଇପିଏସ, ଆଇଏଫଏସ, ସେବା ଅଧିକାରୀମାନେ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ୧୯୯୯ ମସିହା ମହାବାତ୍ୟାରୁ ଓଡିଶା ବିପର୍ଯ୍ୟୟ ପରିଚାଳନା କରିବା ପାଇଁ ଶିକ୍ଷା ଲାଭ କରିଥିଲା । ସେବେଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାରେ ଭିତ୍ତିଭୂମି ସୁଦୃଢ଼ ହୋଇଛି । ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଆମର ଦୀର୍ଘ ବର୍ଷର ଅଭିଜ୍ଞତା ଓ କଠିନ ପରିଶ୍ରମ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଦିଗରେ ଆମର ଆତ୍ମବିଶ୍ୱାସ ବୃଦ୍ଧି କରିଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ସମୟରେ ସମସ୍ତଙ୍କ ସହଯୋଗରେ କିପରି କମ ସମୟ ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ କରାଯାଇ ବହୁ ଆହତଙ୍କ ଜୀବନ ରକ୍ଷା କରାଯାଇ ପାରିଲା ସେ ସମ୍ପର୍କରେ ଅଭିଜ୍ଞତା ପ୍ରକାଶ କରିଛନ୍ତି ।
କାର୍ଯ୍ୟକ୍ରମ ସମୟରେ ଜିଲ୍ଲା ସ୍ତରରେ ଥିବା ସାଧନ ଓ ପ୍ରସ୍ତୁତି ସମେତ ରାଜ୍ୟର କ୍ଷମତା ବାହାରେ ରହୁଥିବା ବିପର୍ଯ୍ୟୟ ଘଟିବା କ୍ଷେତ୍ରରେ ରାଜ୍ୟ ଓ ଜାତୀୟ ସ୍ତରୀୟ ସଂସ୍ଥା ଗୁଡିକର ସୁସମନ୍ୱୟ ରକ୍ଷା ବିପର୍ଯ୍ୟୟ ପରିଚାଳନାର ପ୍ରମୁଖ ଆବଶ୍ୟକତା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଆୟୋଜିତ ପ୍ରଶିକ୍ଷଣ ବିଭିନ୍ନ ବର୍ଗର ଅଧିକାରୀଙ୍କ କାର୍ଯ୍ୟ ପରିସର ଓ କାର୍ଯ୍ୟଧାରା ଏବଂ ସଂସ୍ଥାଗତ ବ୍ୟବସ୍ଥା ସଂପର୍କରେ ପରସ୍ପର ମଧ୍ୟରେ ଜାଣିବାରେ ସହାୟକ ହେବ । ଯାହାକି ଆଗାମୀ ଦିନରେ ଯେକୌଣସି ପ୍ରକାର ବିପର୍ଯ୍ୟୟକୁ ମୁକାବିଲା କରିବାରେ ଅଧିକ ସମର୍ଥ ହେବ ବୋଲି ସେ କହିଛନ୍ତି ।
ଏହ ବି ପଢନ୍ତୁ...ଉତ୍କଳ ବିଶ୍ଵବିଦ୍ୟାଳୟରେ "ମୋ ମାଟି ମୋ ଦେଶ" କାର୍ଯ୍ୟକ୍ରମ, ସାମିଲ ହେଲେ 2 କେନ୍ଦ୍ରମନ୍ତ୍ରୀ
ଉନ୍ନୟନ କମିଶନର ତଥା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଅନୁ ଗର୍ଗ କହିଛନ୍ତି ଯେ, ୧୯୫୮ ମସିହାରେ ସ୍ଥାପିତ ଏହି ଏକାଡେମୀ ଏହାର ଦୀର୍ଘ ୬୫ ବର୍ଷ ଯାତ୍ରାରେ ଏହାର ପ୍ରଶିକ୍ଷଣ ଶୈଳୀରେ ପରିବର୍ତ୍ତନ ଆଣିଛି । ଆୟୋଜିତ ଏହି ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣରେ ଓଡ଼ିଶା ସମେତ ଆସାମ, ଜାମ୍ମୁକାଶ୍ମୀରରୁ ଆରମ୍ଭ କରି ତାମିଲନାଡ଼ୁ ପର୍ଯ୍ୟନ୍ତ ବିଭିନ୍ନ ପ୍ରଦେଶକୁ ଅଧିକାରୀମାନେ ଯୋଗ ଦେଇଛନ୍ତି । ନିଜ ନିଜର ଅଭିଜ୍ଞତା ବାଣ୍ଟିବା ସହ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲକୁ ଅନେକ କିଛି ଶିକ୍ଷା ଲାଭ କରିବେ ବୋଲି ଆଶା । ବନ୍ୟା, ବାତ୍ୟା ସହ ମରୁଡି, ବଜ୍ରାଘାତ, ନଦୀବୁଡି ଆଦି ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଦିଗରେ ଏହି ପ୍ରଶିକ୍ଷଣ ସହାୟକ ହେବ ।
ଅଗ୍ନିଶମ ସେବା ମହା ନିର୍ଦ୍ଦେଶକ ସୁଧାଂଶୁ ଷଡଙ୍ଗୀ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଅଗ୍ନିଶମ ବାହିନୀର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ସଂପର୍କରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ୧୯୯୯ ମସିହାରେ ରାଜ୍ୟରେ ୧୧୨ଟି ଅଗ୍ନିଶମ ସେବା କେନ୍ଦ୍ର ଥିବାବେଳେ ପ୍ରତି ବ୍ଲକରେ ଅନ୍ତତଃ ଗୋଟିଏ କେନ୍ଦ୍ର ପ୍ରତିଷ୍ଠାର ଲକ୍ଷ୍ୟ ନେଇ ଏବେ ଏହା ୩୪୬କୁ ବୃଦ୍ଧି ପାଇଛି । ଅଗ୍ନଶମ ସେବା କର୍ମଚାରୀମାନେ କେବଳ ଅଗ୍ନିନିର୍ବାପକ କାର୍ଯ୍ୟକ୍ରମରେ ସୀମିତ ନରହି ଆପାତକାଳୀନ ସେବାରେ ନିୟୋଜିତ ଅଛନ୍ତି । ଅଗ୍ନିଶମ ନିର୍ଦ୍ଦେଶାଳୟକୁ ଅଗ୍ନିଶମ ଓ ଆପାତକାଳୀନ ସେବା ନିର୍ଦ୍ଦେଶାଳୟ ନାମରେ ନାମିତ କରାଯାଇଛି । ଦୁର୍ଘଟଣା ପୀଡିତଙ୍କୁ ଗୋଲଡେନ୍ ଆଓ୍ୱାର ସମୟରେ ସହାୟତା ପ୍ରଦାନ କରିବା ଆମର ପ୍ରାଥମିକତା ରହିଛି ।
ଗୋପବନ୍ଧୁ ଏକାଡେମୀର ଅତିରିକ୍ତ ମହାନିର୍ଦ୍ଦେଶକ ମନିଷ ଅଗ୍ରଓ୍ୱାଲ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଛନ୍ତି । ୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଉଭୟ କ୍ଲାସ୍ରୁମ୍ ପ୍ରଶିକ୍ଷଣ, ବିଶେଷଜ୍ଞମାନଙ୍କ ସହିତ ଆଲୋଚନା ସହ କ୍ଷେତ୍ର ପରିଦର୍ଶନ ବ୍ୟବସ୍ଥା ରହିଛି । ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ରସାୟନିକ ଓ ବାୟୋଲୋଜିକାଲ ଓ ଅନ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ କିଭଳି ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି, ସେ ସମ୍ପର୍କରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ପ୍ରଶିକ୍ଷଣ ଓ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି ।
ଓସଡମାର ପରିଚାଳନା ନିର୍ଦ୍ଦେଶକ ଡଃ. ଜ୍ଞାନ ଦାସ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଛନ୍ତି । ଏକାଡେମୀର ଅତିରିକ୍ତ କମିଶନର ଡଃ. ହିମାଂଶୁ ଭୂଷଣ ପଣ୍ଡାଙ୍କ ଓ ଯୁଗ୍ମ ନିର୍ଦ୍ଦେଶକ କିରଣବାଳା ନାୟକଙ୍କ ସମେତ ସେଣ୍ଟର ଅଫ ଗୁଡ ଗଭର୍ଣ୍ଣାନସର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏକାଡେମୀର ଉପ ମହାନିର୍ଦ୍ଦେଶକ ଡକ୍ଟର ପ୍ରତାପ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର