ଓଡିଶା

odisha

ETV Bharat / state

ଅବସର ନେଲେ ମୋନା ଓ ନିକୁଞ୍ଜ: ସତ୍ୟବ୍ରତ ଓ ଚିତ୍ରାଙ୍କୁ ଅତିରିକ୍ତ ଦାୟିତ୍ୱ

ଆଇଏଏସ ସ୍ତରରେ ଛୋଟ ଅଦଳବଦଳ । ଦୁଇ ପ୍ରଶାସନିକ ଅଧିକାରୀ ଅବସର ନେବା ପରେ ଦୁଇ ଆଇଏଏସ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଅଧିକ ପଢନ୍ତୁ

ias reshuffle in odisha
ias reshuffle in odisha

By

Published : Apr 1, 2023, 9:34 AM IST

ଭୁବନେଶ୍ବର:ଅବସର ନେଲେ ରାଜ୍ୟର ଦୁଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ମୋନା ଶର୍ମା ଓ ନିକୁଞ୍ଜ ସୁନ୍ଦରାୟ । ଉଭୟ ବରିଷ୍ଠ ଅଧିକାରୀଙ୍କ ଅବସର ପରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଆଇଏଏସ ସତ୍ୟବ୍ରତ ସାହୁ ଓ ଚିତ୍ରା ଅରୁମୁଗମଙ୍କୁ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଦୁଇ ଅଧିକାରୀ ତଥା ବରିଷ୍ଠ ଆଇଏଏସ ମୋନା ଶର୍ମା ଓ ନିକୁଞ୍ଜ ସୁନ୍ଦରାୟ ସରକାରୀ ଚାକିରିରୁ ଅବସର ନେଇଛନ୍ତି । 1989 ବ୍ୟାଚର ମୋନା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବାବେଳେ 1987 ବ୍ୟାଚର ନୀକୁଞ୍ଜ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିଲେ । ଏହି ଦୁଇ ବରିଷ୍ଠ ଆଇଏଏସଙ୍କ ଅବସର ପରେ ରାଜ୍ୟ ସରକାର ଆଇଏଏସ ସତ୍ୟବ୍ରତ ସାହୁ ଓ ଚିତ୍ରା ଅରୁମୁଗମଙ୍କୁ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, 1991 ବ୍ୟାଚର ବରିଷ୍ଠ ଆଇଏଏସ ସତ୍ୟବ୍ରତ ସାହୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସତ୍ୟବ୍ରତ ଏବେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଏହା ସହିତ ସେ ଅତିରିକ୍ତ ଦାୟିତ୍ୱ ଭାବେ ସ୍ୱତନ୍ତ୍ର ରିଲିଫ କମିଶନର ଓ ରାଜ୍ୟ ଓଡ଼ିଆ ଭାଷା ସଂସ୍କୃତି ବିଭାଗର ଅତରିକ୍ତ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି । ସେହିପରି 1995 ବ୍ୟାଚର ଚିତ୍ରା ଅରୁମୁଗମଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଚିତ୍ରା ଏବେ ଯୋଜନା ଏବଂ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।



ଆଗାମୀ ଦିନରେ ରାଜ୍ୟ ଓ ଜିଲ୍ଲାସ୍ତରରେ ଅଦଳବଦଳ ହେବ ବୋଲି ସୂଚନା ମିଳିଛି । କାରଣ ଅନେକ ବରିଷ୍ଠ ଅଧିକାରୀ ଏକାଧିକ ବିଭାଗ ଦାୟିତ୍ୱରେ ରହିଛନ୍ତି । ଏକାଧିକ ବିଭାଗର ଅତ୍ୟଧିକ ଚାପ ଯୋଗୁଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି । ନିକଟରେ ନୀକୁଞ୍ଜ ବିହାରୀ ଧଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହେବା ପରେ ସେ ଦାୟିତ୍ୱରେ ଥିବା ବିଭିନ୍ନ ବିଭାଗ ଅନ୍ୟ ସଚିବଙ୍କୁ ହସ୍ତାନ୍ତର କରାଯାଇଛି । ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ । ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details