ଭୁବନେଶ୍ବର:ରାଜ୍ୟ ସରକାର ଶନିବାର ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । 2 ଜଣ ବରିଷ୍ଠ ଆଇଏଏସ ଜିଭିଭି ଶର୍ମା ଓ ମଧୁସୂଦନ ପାଢ଼ୀ ଆସନ୍ତା 31 ତାରିଖରେ ଅବସର ନେବେ ଓ ଗୃହ ସଚିବ ସଞ୍ଜିବ ଚୋପ୍ରା କେନ୍ଦ୍ରୀୟ ଡେପୁଟେସନରେ ଯିବେ । ଏଥିପାଇଁ ମୋଟ 6 ଜଣ ବରିଷ୍ଠ ଆଇଏଏସଙ୍କୁ ବିଭିନ୍ନ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । 1993 ବ୍ୟାଚର ଆଇଏଏସ ଦେଓରଞ୍ଜନ ସିଂଙ୍କୁ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ସରକାର । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁସାରେ, ଆର କେ ଶର୍ମାଙ୍କୁ ରାଜସ୍ବ ବୋର୍ଡ ସଦସ୍ୟ ଭାବେ ଅବସ୍ଥାପିତ କରାଯାଇଛି । 1987 ବ୍ୟାଚର ଏହି ଆଇଏଏସ ଅତିରିକ୍ତ ଭାବେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଦାୟିତ୍ବ ତୁଲାଇବେ । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ଅତିରିକ୍ତ ଦାୟିତ୍ବ ନ୍ୟସ୍ତ ହୋଇଛି । 1989 ବ୍ୟାଚର ଏହି ବରିଷ୍ଠ ଆଇଏଏସ ଯୋଜନା ଓ ସଂଯୋଜନ ବିଭାଗର ସଚିବ, ସ୍ବତନ୍ତ୍ର ରିଲିଫ କମିଶନର ଓ ଓସଡମା ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇବେ । ସେହିପରି 1991 ବ୍ୟାଚର ଆଇଏଏସ ତଥା ରାଜସ୍ବ ଏବଂ ବିପର୍ଯ୍ୟସ୍ତ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଅତିରିକ୍ତ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ବ ମିଳିଛି ।