ଭୁବନେଶ୍ବର: ସାଧାରଣ ନିର୍ବାଚନ ନେଇ ଅବଗଣନା ଆରମ୍ଭ ହୋଇସାରିଛି । ବିଭିନ୍ନ ରାଜନୈତିକ ବ୍ୟକ୍ତି ନିଜର ପ୍ରାର୍ଥୀତ୍ୱ ନେଇ ଆଶାବାଦୀ ଅଛନ୍ତି । ଘଡିକେ ଘୋଡା ଛୁଟୁଥିବା ବିଜୁ ଜନତା ଦଳର ନେତା ମାନେ ବି ନିଜକୁ ଦାବିଦାର ଭାବେ ଘୋଷଣା କଲେଣି । ଯେମିତି ଢେଙ୍କାନାଳ ସାଂସଦ ଥିବା ମହେଶ ସାହୁ । ମହେଶ ଏବେ ଠାରୁ ନିଜକୁ ଢେଙ୍କାନାଳର ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଧର୍ମେନ୍ଦ୍ରଙ୍କ ସହ ଲଢେଇ କରିବାକୁ ପ୍ରସ୍ତୁତ ଅଛି କହି ନିଜକୁ ପ୍ରାର୍ଥୀ ବୋଲି ଘୋଷଣା କରିଦେଇଛନ୍ତି ମହେଶ ।
ଏହାବି ପଢନ୍ତୁ- ବିରୋଧୀ ଦଳ କଣ ବିଚାରକ ନା ବିଚାରପତି: ମହେଶ ସାହୁ
ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରୁ ନିର୍ବାଚନ ଲଢ଼ି ପାରନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଢେଙ୍କାନାଳ କିମ୍ବା ସମ୍ବଲପୁର ଲୋକସଭା କ୍ଷେତ୍ରରୁ ସଂସଦ ଯିବା ଲାଗି ଧର୍ମେନ୍ଦ୍ର ଇଚ୍ଛା ପ୍ରକାଶ କରିଥିବା ଚର୍ଚ୍ଚା ହେଉଛି । ବିଶେଷ କରି ଢେଙ୍କାନାଳ ଲୋକସଭା କ୍ଷେତ୍ର ଉପରେ ତାଙ୍କ ନଜର ଥିବା କୁହାଯାଉଛି । ତେଣୁ ଧର୍ମେନ୍ଦ୍ର ବରାବର ଢେଙ୍କାନାଳ ଗସ୍ତରେ ଆସୁଛନ୍ତି । ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ଜିଲ୍ଲାରେ ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି । କାର୍ଯ୍ୟକ୍ରମର ତଦାରଖ ମଧ୍ୟ କରୁଛନ୍ତି । ଯାହାକୁ ନେଇ ସେ ଢେଙ୍କାନାଳରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ରଙ୍କ ରାଜନୈତିକ ବିରୋଧୀ ତଥା ଢେଙ୍କାନାଳ ସାଂସଦ ମହେଶ ସାହୁ ।