ଓଡିଶା

odisha

ETV Bharat / state

AIIMSରେ ସଂରକ୍ଷିତ ଶତାଧିକ ମୃତଦେହ: 15ଟି ଚିହ୍ନଟ କଲେ ସମ୍ପର୍କୀୟ - କରମମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା

AIIMS ରେ ସଂରକ୍ଷିତ ରଖାଯାଇଛି ଶତାଧିକ ମୃତଦେହ । ଜାରି ରହିଛି ଚିହ୍ନଟ ପ୍ରକ୍ରିୟା । 15 ମୃତଦେହ ପରିଜନ ଚିହ୍ନଟ କରିଥିବା ସୂଚନା । ଅଧିକ ପଢନ୍ତୁ

AIIMS ରେ ସଂରକ୍ଷିତ ରଖାଯାଇଛି ଶତାଧିକ ମୃତଦେହ: 15 ଟି ଚିହ୍ନଟ କଲେ ସମ୍ପର୍କୀୟ
AIIMS ରେ ସଂରକ୍ଷିତ ରଖାଯାଇଛି ଶତାଧିକ ମୃତଦେହ: 15 ଟି ଚିହ୍ନଟ କଲେ ସମ୍ପର୍କୀୟ

By

Published : Jun 5, 2023, 6:42 AM IST

ଭୁବନେଶ୍ବର:ବାଲେଶ୍ବର ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୨୭୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ମୃତଦେହ ଏବେ ସୁଦ୍ଧା ମଧ୍ୟ ଚିହ୍ନଟ ହୋଇପାରିନି । ଚିହ୍ନଟ ହୋଇପାରି ନଥିବା ମୃତଦେହକୁ ଭୁବନେଶ୍ବର ଅଣାଯାଇଛି । ଭୁବନେଶ୍ବର ଏମ୍ସ ସମେତ ରାଜଧାନୀର ଅନ୍ୟାନ୍ୟ ହସ୍ପିଟାଲରେ ମୃତଦେହକୁ ସଂରକ୍ଷଣ କରାଯାଇଛି । AIIMSକୁ ୧୨୦ଟି ମୃତଦେହ ଆସିଛି । ୬୦ଟି ଆମ୍ବୁଲାନ୍ସ ଯୋଗେ ଆଜି ଏହି ମୃତଦେହଗୁଡ଼ିକ ବାଲେଶ୍ବରରୁ ଅଣାଯାଇ ଏମ୍ସରେ ରଖାଯାଇଛି । ଗୋଟିଏ ଆମ୍ବୁଲାନ୍ସରେ ଦୁଇଟି ଲେଖାଏଁ ମରଶରୀର ଅଣାଯାଇଥିଲା । ତେବେ ମୃତଦେହଗୁଡ଼ିକୁ ରଖିବା ପାଇଁ ଏମ୍ସରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ମୃତଦେହ ସଂରକ୍ଷିତ ପାଇଁ ଉଦ୍ଦିଷ୍ଟ କକ୍ଷ ସହ ଆନାଟୋମୀ ବିଭାଗରେ ମୃତଦେହ ରଖାଯାଇ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ମୃତଦେହ ସଂରକ୍ଷିତ ଗୃହ ନିକଟରେ ସହାୟତା କେନ୍ଦ୍ର ମଧ୍ୟ ଖୋଲା ଯାଇଛି । ସମ୍ପର୍କୀୟମାନେ ସେଠାକୁ ଆସି ମୃତଦେହ ଚିହ୍ନଟ କରୁଛନ୍ତି । ଅଧିକାଂଶ ମୃତଦେହ ଚିହ୍ନିବା ଅବସ୍ଥାରେ ନାହିଁ । ଆଜି ସନ୍ଧ୍ୟା ସୁଦ୍ଧା ପ୍ରାୟ ୧୫ଟି ମୃତଦେହକୁ ସମ୍ପର୍କୀୟମାନେ ଚିହ୍ନଟ କରିଛନ୍ତି । ୫ଟି ମୃତଦେହ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିବା ଏମ୍ସ ପକ୍ଷରୁ ସୂଚନା ମିଳିଛି । ଭୁବନେଶ୍ବରରେ ସବୁଠୁ ଅଧିକ ମୃତଦେହ ଏମ୍ସରେ ରଖାଯାଇଛି । ରାଜଧାନୀରେ ଅନ୍ୟ କେଉଁଠି ଏତେ ମୃତଦେହ ରଖାଯିବାର ବ୍ୟବସ୍ଥା ନାହିଁ । ସୂଚନା ଅନୁସାରେ, ଆଉ ପ୍ରାୟ ୩୦ଟି ମୃତଦେହ ୧୫ଟି ଆମ୍ବୁଲାନ୍ସ ଯୋଗେ ଏମ୍ସ ଅଣାଯାଉଛି । ରିପୋର୍ଟ ଲେଖାହେବା ସୁଦ୍ଧା ଏହା ଏମ୍ସରେ ପହଞ୍ଚି ନଥିଲା ।


ସୂଚନା ଅନୁଯାୟୀ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନେକ ମୃତକଙ୍କ ପରିବାର ଲୋକେ ଚିହ୍ନଟ ପାଇଁ ଆସିଛନ୍ତି । ଏନେଇ ରେଳ ବିଭାଗ ପକ୍ଷରୁ ୨ଟି ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଥିଲା । ତେବେ ଷ୍ଟେସନ ପରିସରରେ ମୃତକଙ୍କ ସମ୍ପର୍କୀୟଙ୍କ ଲାଗି ହେଲ୍ପ ଡେକ୍ସ ଖୋଲା ଯାଇଛି । ହେଲ୍ପ ଡେକ୍ସରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗର ଅଧିକାରୀମାନେ ଦାୟିତ୍ୱରେ ରହିଛନ୍ତି । ଅନ୍ୟପଟେ ଏମ୍ସରେ ପ୍ରଥମ ଟ୍ରେନ ଦୁର୍ଘଟଣା ଆହତଙ୍କୁ ଭର୍ତ୍ତି କରାଯାଇଛି । ଯାହାଙ୍କର ବୟସ ପାଖାପାଖି ୨୩ ବର୍ଷ ହେବ । ତାଙ୍କ ମୁଣ୍ଡରେ ଗଭୀର ଭାବରେ ଆଘାତ ଲାଗିଛି । ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଏକ ସ୍ବତନ୍ତ୍ର ଟିମ୍‌ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି । ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ମଧ୍ୟ ଏମ୍ସ ପରିଦର୍ଶନ କରି ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details