ଭୁବନେଶ୍ୱର: ରାଜଧାନୀରେ ଆଦିବାସୀ ନାବାଳିକା ଛାତ୍ରୀ ଗର୍ଭବତୀ ପ୍ରସଙ୍ଗରେ ମଙ୍ଗଳବାର ବିଧାନସଭାର ପ୍ରଶ୍ନକାଳରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଛନ୍ତି । ଏହି ଘଟଣାକୁ ବିଚାର କରିବାକୁ ବାଚସ୍ପତି ରୁଲିଂ ଦେଇଥିଲେ ବି ବିରୋଧୀ କଂଗ୍ରେସ ବିଧାୟକମାନେ ସ୍ପଷ୍ଟ ନିର୍ଦ୍ଦେଶ ଦାବି କରିଥିଲେ ।
ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଆଧାର କରି ସେ କହିଥିଲେ ଯେ, ରାଜଧାନୀର ଏକ ଆବାସିକ ଆଦିବାସୀ ଛାତ୍ରାବାସରେ ଏହି ଘଟଣା ଘଟିଛି । ସରକାର କିନ୍ତୁ ଏହାକୁ ଚାପିଦେବାକୁ ଚେଷ୍ଟା କରୁଛନ୍ତି । ଗତ ଶନିବାର ଛାତ୍ରାବାସର ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ଏହା ଜଣାପଡିଛି ।
କେବଳ ଏହି ଗୋଟିଏ ଘଟଣା ନୁହଁ, ଗତ ଜାନୁଆରୀ 12 ତାରିଖରେ କନ୍ଧମାଳର ଏକ ନାବାଳିକା ପାଇଖାନାରେ ଏକ ଶିଶୁକୁ ଜନ୍ମ ଦେଇଥିଲେ । ଜାନୁଆରୀ 19 ତାରିଖରେ ଢେଙ୍କାନାଳର ଏକ ଅଷ୍ଟମ ଶ୍ରେଣୀର ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଥିଲା । ଜାନୁଆରୀ 26 ତାରିଖରେ କନ୍ଧମାଳର ଏକ ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭପାତ କରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅଭିଯୋଗ ହୋଇଥିଲା । ଫେବୃଆରୀ ମାସରେ ମୟୁରଭଞ୍ଜ ଜିଲ୍ଲାରେ ଦୁଇଟି ଘଟଣା ଘଟିଥିଲା ବୋଲି ସେ କହିଥିଲେ ।