ଖୋର୍ଦ୍ଧା: ଜିଲ୍ଲାରେ ସକ୍ରିୟ ଗୋ ମାଫିଆ । ଗୋ ହତ୍ୟା ପରେ କରାଯାଉଛି ଚାଲାଣ । କିନ୍ତୁ ଏଥିପ୍ରତି ପୋଲିସ ଦୃଷ୍ଟି ଦେଉନଥିବା ପରି ମନେ ହେଉଛି । ଯାହାକୁ ତୀବ୍ର ନିନ୍ଦା କରିଛି ସଂଗଠିତ ହିନ୍ଦୁ ସମାଜ । ଖୋର୍ଦ୍ଧା ଗୀତାଭବନ ପରିସରରେ ସାମ୍ବାଦିକ ସମ୍ମିଳନୀ କରି ଗୋ ଚାଲାଣକାରୀ ଓ ହତ୍ୟାକାରୀ ବିରୋଧରେ ପୋଲିସ ନିରପକ୍ଷତା ଅବଲମ୍ବନ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ସଂଗଠନ ।
ଜୁଲାଇ 23 ତାରିଖ ରାତିରେ ମୁକୁନ୍ଦପ୍ରସାଦରେ ଗୋ ହତ୍ୟା କରି ଚାଲାଣ ପାଇଁ ଯୋଜନା କରିଥିଲେ କିଛି ବ୍ୟକ୍ତି । ଏନେଇ ଖବର ପାଇବା ପରେ ଶିଳ୍ପାଞ୍ଚଳ ଫାଣ୍ଡିକୁ ଖବର ଦେଇଥିଲେ ଗୋ ପ୍ରେମୀ । କିନ୍ତୁ ପୋଲିସ ଏହି ଘଟଣାକୁ ହାଲୁକା ଭାବେ ନେଇ ଘଟଣାସ୍ଥଳକୁ ଯାଇନଥିଲା । ପରଦିନ ଅର୍ଥାତ ଜୁଲାଇ 24 ତାରିଖ ଦିନ ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀଙ୍କୁ ଏନେଇ ଗୋପ୍ରେମୀ ଜଣାଇ ଥିଲେ ଶୁଦ୍ଧା ଥାନା ଅଧିକାରୀ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ବିରୋଧରେ ପୋଲିସର ନିରବତାକୁ ନେଇ ମୁକୁନ୍ଦପ୍ରସାଦ ଛକରେ ରାସ୍ତା ଅବରୋଧ କରିଥିଲେ ଗୋପ୍ରେମୀ । ସେହି ସମୟରେ ଆଦର୍ଶ ଥାନା ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।
ଏହା ମଧ୍ୟ ପଢନ୍ତୁ-ଗୋହତ୍ୟା ବନ୍ଦ ଦାବିରେ ସମ୍ବଲପୁରରେ ଗର୍ଜିଲା ବଜରଙ୍ଗ ଦଳ
ଏହାପରେ ସେହି ସମାନ ଦିନରେ ମୁକୁନ୍ଦପ୍ରସାଦ ଟାଙ୍ଗି ସାହିର ଗୋରୁ କଟା ସ୍ଥାନରେ ପହଞ୍ଚିଥିଲେ ଗୋପ୍ରେମୀ । ଏହି ସମୟରେ ବିପକ୍ଷ ଗୋଷ୍ଠୀର ଲୋକେ ପୋଲିସ ଉପସ୍ଥିତିରେ ଗୋପ୍ରେମୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପରେ ଉଭୟ ପକ୍ଷରୁ ଆଦର୍ଶ ଥାନାରେ ଅଭିଯୋଗ ପରେ ପୋଲିସ ଗୋପ୍ରେମୀଙ୍କ ନାମରେ ମାମଲା ରୁଜୁ କରି 6 ଜଣଙ୍କୁ ଅଟକ ରଖିଥିବାବେଳେ ଅପରପକ୍ଷ ପକ୍ଷରୁ ଜଣକୁ ଅଟକ ରଖିଥିଲା ପୋଲିସର ଏପରି ଟାଳଟୁଳ ନୀତି ବିରୋଧରେ ସଂଗଠିତ ହିନ୍ଦୁ ସମାଜ ଖୋର୍ଦ୍ଧା ଗୀତାଭବନ ପରିସରରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା।
ପୋଲିସ ନିରପକ୍ଷତା ଅବଲମ୍ବନ କରି ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ସଂଗଠିତ ହିନ୍ଦୁ ସମାଜ । ସେହିପରି ଖୋର୍ଦ୍ଧା ସହରରେ ରୋହିଙ୍ଗ୍ୟା ଶରଣାର୍ଥୀମାନେ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ରହୁଛନ୍ତି । ସେମାନଙ୍କ ପ୍ରତି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ କୋହଳ ମନୋଭାବ ପ୍ରକାଶ କରୁଥିବା ଅଭିଯୋଗ କରିଛନ୍ତି ସଂଗଠିତ ହିନ୍ଧୁ ସମାଜ । ଗୋହତ୍ୟାକୁ ନେଇ କିଛିଦିନ ଧରି ଖୋର୍ଦ୍ଧା ଅଶାନ୍ତ ପରିସ୍ଥିତି ଆଡକୁ ଗତି କରୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ଡକାଯାଇ ଆଲୋଚନା କରାଯାଇଥିଲେ ମଧ୍ୟ ତାହା ଫେଲ୍ ମାରିଥିଲା । ଉତ୍ତେଜନା ପରିସ୍ଥିତି ଲାଗି ରହିଥିବା ବେଳେ ଘଟଣାସ୍ଥଳରେ ଦୁଇ ପ୍ଲାର୍ଟୁନ ଫୋର୍ସ ମୁତୟନ କରାଯାଇଛି ।
ଇଟିଭି ଭାରତ, ଖୋର୍ଦ୍ଧା