ଭୁବନେଶ୍ବର: ପୁଣି ଅପବାଦ ମୁଣ୍ଡାଇଛି ଶିକ୍ଷାନୁଷ୍ଠାନ । ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ସ୍କାନରରେ ଅନେକ ଅଧ୍ୟକ୍ଷ ଏବଂ ଅଧ୍ୟାପକ । ବିଭିନ୍ନ ଡିଗ୍ରୀ ଏବଂ ମହାବିଦ୍ୟାଳୟ କଲେଜରେ ଆସିଛି ଆର୍ଥିକ କାରବାର ଅନିୟମିତତା, ମାନସିକ ନିର୍ଯାତନା ଭଳି ବିଭିନ୍ନ ସାଙ୍ଘାତିକ ଅଭିଯୋଗ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ଏହି ସମସ୍ତ ଅଭିଯୋଗକୁ ତଦନ୍ତ କରିବା ପାଇଁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛି ।
ଯାଜପୁରର ମାଧପୁର ଡିଗ୍ରୀ କଲେଜର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଦେବେନ୍ଦ୍ର କୁମାର ମିଶ୍ରଙ୍କ ଦ୍ଵାରା ମ୍ୟାନେଜମେଣ୍ଟ କର୍ମଚାରୀଙ୍କୁ ନିଯୁକ୍ତି ଏବଂ ମନଇଚ୍ଛା ଦରମା ବୃଦ୍ଧି କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଅନେକ ସମୟରେ କଲେଜର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଆସୁଥିବା ଅର୍ଥ ମଧ୍ୟ ହେରଫେର ହୋଇଥିବା ଅଭିଯୋଗ ଆସିଛି । ପୁରୀ କାକଟପୁର ମଙ୍ଗଳା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ୨୦୧୬ ମସିହାରେ ନିଯୁକ୍ତି ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କଲେଜରେ ଯୋଗଦେଇ ନାହାଁନ୍ତି । ଫଳରେ ପିଲାଙ୍କ ପାଠପଢା ବ୍ୟାଘାତ ଘଟିଛି । କଟକର କନ୍ଦରପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସାରଦା ପ୍ରସନ୍ନ ମହାପାତ୍ରଙ୍କ ବିରୋଧରେ ଆସିଛି ଆର୍ଥିକ ଅନିୟମିତତାର ଅଭିଯୋଗ ।
ଯାଜପୁରର ଏନ୍ ସି କଲେଜର ଅଧ୍ୟକ୍ଷ ବି.ସି ଦାସ ବେଆଇନ ଭାବେ ବିଭିନ୍ନ କର୍ମଚାରୀଙ୍କୁ ଠିକାରେ ରଖିଛନ୍ତି । କଲେଜର ମହିଳା ହଷ୍ଟେଲ ଭିତରେ “ଗାୟତ୍ରୀ ଲଜ”କୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି । ଭୁବନେଶ୍ବରର ବିଜୁ ପଟ୍ଟନାୟକ ଯୁକ୍ତ ଦୁଇ ବିଜ୍ଞାନ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ କଲେଜ ପାଣ୍ଠିର ଅପବ୍ୟବହାର କରିବାକୁ ନେଇ ଅଭିଯୋଗ ହୋଇଛି । ଯାଜପୁରର ବରୁଣେଶ୍ବର ମହାବିଦ୍ୟାଲୟର ବାଣିଜ୍ୟ ବିଭାଗର ଅଧ୍ୟାପକ ପିଲାଙ୍କୁ ନିଜ ପାଖରେ ପାଠ ପଢିବା ପାଇଁ ଧମକ ଚମକ ଦେବାର ଅଭିଯୋଗ ଆସିଛି ।