ଭୁବନେଶ୍ବର:ରାଜ୍ୟରେ ମିଳିମିଳା ଦୂରୀକରଣ ନେଇ ଓଡ଼ିଶା ସରକାର ସ୍ୱତନ୍ତ୍ର ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । ମିଳିମିଳା ରୋଗର ମୁକାବିଲା ପାଇଁ ଟୀକାକରଣକୁ ଗୁରୁତ୍ବ ଦେଇଛି ସ୍ବାସ୍ଥ୍ୟ ବିଭାଗ । ପ୍ରତ୍ୟେକ ଜିଲ୍ଲାରେ ଏହି ଟୀକାକରଣ ପ୍ରକ୍ରିୟା ମଜବୁତ ଓ ବ୍ୟାପକ କରିବାକୁ ସ୍ୱାସ୍ଥ୍ୟ ବିଭାଗ ସଚିବ ଶାଳିନୀ ପଣ୍ଡିତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ବିଏମସି କମିଶନରଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ ମିଳିମିଳା ଟୀକାକରଣ ପ୍ରକ୍ରିୟା ନିରବଚ୍ଛିନ୍ନ ଭାବେ ଚାଲିଛି । ହେଲେ କୌଣସି କାରଣବଶତଃ କିଛି ସ୍ଥାନରେ ଅନେକ ଲୋକ ଟୀକାକରଣରୁ ବଞ୍ଚିତ ହୋଇଛନ୍ତି । ସେମାନଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ।
ପ୍ରତି ଜିଲ୍ଲାରେ ମିଜିଲ୍ସ-ରୁବେଲା ଟିକା ଓ ମିଜିଲ୍ସ୍-ରୁବେଲା ଆଣ୍ଟିଜେନ ୯୫ ପ୍ରତିଶତ ପିଲାଙ୍କୁ ପ୍ରଦାନ କରାଯିବ । ଜନ୍ମରୁ ୫ ବର୍ଷ ମଧ୍ୟରେ ପିଲାଙ୍କୁ ଏହି ଟିକା ଦିଆଯିବ । ମିଜିଲ୍ସ-ରୁବେଲା ସର୍ଭେଲାନ୍ସ କରାଯିବା ସହ ଲ୍ୟାବ୍ ଇନ୍ଭେଷ୍ଟିଗେସନ୍ ଓ ସାମ୍ପୂଲ କ୍ୱାଲିଟି ଇସ୍ୟୁରାନ୍ସ ଉପରେ ଗୁରୁତ୍ୱ ଦିଆଯିବ । ତେବେ ୩୦ଟି ଜିଲ୍ଲାରେ ଟୀକାକରଣ ପ୍ରକ୍ରିୟା ନେଇ ଏହାକୁ ଉଚ୍ଚ, ମଧ୍ୟମ ଓ ନିମ୍ନ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି । ଏଥିସହ ରାଜ୍ୟର ୯୪ ବ୍ଲକକୁ ଅଧିକ ଗୁରୁତ୍ବ ଦିଆଯାଇଛି । ବଲାଙ୍ଗୀର, କଳାହାଣ୍ଡି, ସମ୍ୱଲପୁର, ଭଦ୍ରକ, କଟକ, ଗଞ୍ଜାମ, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଭଳି ୧୦ଟି ଜିଲ୍ଲାକୁ ଉଚ୍ଚ ବର୍ଗ ଜିଲ୍ଳା ଭାବେ ଚିହ୍ନଟ କରାଯାଇଛି । ବାଲେଶ୍ବର, ବଗରଡ଼, ଢ଼େଙ୍କାନାଳ, ଗଜପତି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ନୟାଗଡ଼ ଓ ନୂଆପଡ଼ା ଆଦି ୧୩ ଜିଲ୍ଲା ମଧ୍ୟମ ଜିଲ୍ଲା ଭାବେ ଚିହ୍ନଟ ହୋଇଛି ।
ଏହାମଧ୍ୟ ପଢନ୍ତୁ: ହସ୍ପିଟାଲକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ: ହେପାଟାଇଟିସ୍ ରୋଗୀଙ୍କ ତଥ୍ୟ ଦେବା ବାଧ୍ୟତାମୂଳକ