ଖୋର୍ଦ୍ଧା:ଟାଉନ ଥାନା ଅନ୍ତର୍ଗତ ନବୀନ ବାଗ ଅଞ୍ଚଳରେ ଯୁବକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ସ୍ଥାନୀୟ ଅଞ୍ଚଳର ଜଣେ ଅବସରପ୍ରାପ୍ତ ଓଏଏସ ଅଧିକାରୀଙ୍କ ଘରେ ରହୁଥିବା ଜିଆରଏସଙ୍କ ଝୁଲନ୍ତା ମୃତଦେହ ଜବତ କରିଛି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ । ତେବେ ମୃତ ଯୁବକ ଜଣକ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଅଁଳାଯୋଡି ଗାଁର ସୌମ୍ୟ ରଞ୍ଜନ ମହାନା ବୋଲି ଜଣାପଡିଛି ।
ସୂଚନା ମୁତାବକ, ସୌମ୍ୟ ରଞ୍ଜନ ଗଡ଼ବଡ଼ପୁଟ ପଞ୍ଚାୟତରେ ଜିଆରଏସ ଭାବେ କାର୍ଯ୍ୟରତ ଥିଲେ । ଏନେଇ ଯୁବକ ଜଣକ ଖୋର୍ଦ୍ଧାକୁ ମଝିରେ ମଝିରେ ଆସି ସାଙ୍ଗମାନଙ୍କ ସହ ରହୁଥିଲେ । ନବୀନ ବାଗ ଅଞ୍ଚଳରେ ଘର କରିଥିବା ଜଣେ ପୂର୍ବତନ ଓଏଏସ ଅଧିକାରୀଙ୍କ ଭଡ଼ା ଘରେ ସାଙ୍ଗ ମାନଙ୍କ ସହ ରହୁଥିଲେ । ହେଲେ ଯୁବକଙ୍କ ଝୁଲନ୍ତା ମୃତଦେହ ଉକ୍ତ ଘରୁ ଉଦ୍ଧାର ହୋଇଛି । ଏନେଇ ସୂଚନା ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି ।
ପୁଅକୁ ହତ୍ୟା କରାଯାଇଥିବା ନେଇ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏଭଳି ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିବା ସହିତ ଥାନାରେ ଜଣେ ଯୁବତୀ ଏବଂ ଦୁଇ ଜଣ ଯୁବକଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ସୌମ୍ୟ ରଞ୍ଜନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।