ଭୁବନେଶ୍ବର:ସୋମବାର ଶେଷ ହୋଇଛି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ । ନୂଆ ରାଜ୍ୟପାଳ କିଏ ହେବେ ତାକୁ ନେଇ ଚର୍ଚ୍ଚା ବଢ଼ିଛି । ଗଣେଶୀ ଲାଲଙ୍କ ସ୍ଥାନ କିଏ ନେବେ ଏ ପର୍ଯ୍ୟନ୍ତ ସେନେଇ ଘୋଷଣା ହୋଇନାହିଁ । ରାଷ୍ଟ୍ରପତି ଭବନ ପକ୍ଷରୁ ଆନୁଷ୍ଠାନିକ ଘୋଷଣା କରାଯାଇ ନଥିବାବେଳେ ବିଧିବଦ୍ଧ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଗଣେଶୀ ଲାଲ ଏହି ଭୂମିକାରେ ରହିବେ ବୋଲି ଆଶା କରାଯାଉଛି । ସେ ପୁଣି ତାଙ୍କ ପଦବୀରେ କାର୍ଯ୍ୟ ଜାରି ରଖିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।
୨୦୧୮ ମେ’ ୨୫ରେ ପ୍ରଫେସର ଗଣେଶୀ ଲାଲ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ । ସେହି ମାସ ୨୯ ତାରିଖରେ ଶପଥ ଗ୍ରହଣ କରିବା ସହ ଦାୟିତ୍ବ ନେଇଥିଲେ । ତତ୍କାଳୀନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କଠାରୁ ସେ ଦାୟିତ୍ଵ ଗ୍ରହଣ କରିଥିଲେ । ସତ୍ୟପାଲ ମଲ୍ଲିକ ସେ ସମୟରେ ବିହାର ସହିତ ଓଡ଼ିଶା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରୁଥିଲେ । ଗଣେଶୀ ଲାଲ୍ ୨୫ତମ ରାଜ୍ୟପାଳ ଭାବେ ଓଡ଼ିଶାର ଦାୟିତ୍ବ ଭାର ସମ୍ଭାଳିଥିଲେ । ଓଡ଼ିଶାବାସୀଙ୍କ ସଫଳତାରେ ଯୋଡ଼ି ହେବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବହୁ କାର୍ଯ୍ୟକ୍ରମରେ ସେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛନ୍ତି । ନିଜର ବ୍ୟବହାର ଏବଂ ଆଚରଣ ପାଇଁ ସେ ରାଜ୍ୟରେ ସବୁ ବର୍ଗର ଲୋକଙ୍କ ନିକଟରେ ବେଶ ପରିଚିତ । ଏଥିପାଇଁ ସେ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କ ସଫଳତାର ଶ୍ରେୟ ଜନସାଧାରଣଙ୍କ ସମର୍ଥନ ଓ ଆଶୀର୍ବାଦକୁ ଦେଇଛନ୍ତି ।
କୋଭିଡ଼ ଯୋଗୁଁ ରାଜ୍ୟପାଳ ଗଣେଶୀ ଲାଲ୍ ବ୍ୟକ୍ତିଗତ ଭାବେ ବଡ଼ କ୍ଷତି ସହିଥଲେ । କୋଭିଡରେ ତାଙ୍କର ପତ୍ନୀ ସୁଶିଳା ଦେବୀଙ୍କୁ ହରାଇଥିଲେ । ତଥାପି ସେହି ସମୟରେ ନିଜର କର୍ତ୍ତବ୍ୟ ସମ୍ପାଦନରେ ଅବହେଳା କରିନଥିଲେ । କର୍ତ୍ତବ୍ୟ ପରାୟଣତା ପାଇଁ ସେ ଦେଶବ୍ୟାପୀ ଚର୍ଚ୍ଚାରେ ଥିଲେ । ପ୍ରଫେସର ଗଣେଶୀ ଲାଲ ଗଣିତ ବିଭାଗର ଜଣେ ସୁନାମଧନ୍ୟ ପ୍ରଫେସର । ସେ ହରିୟାଣା ବିଜେପିର ରାଜ୍ୟ ସଭାପତି ଦାୟିତ୍ବ ତୁଲାଇଛନ୍ତି । ହରିୟାଣା ବିକାଶ ପାର୍ଟି ଓ ବିଜେପିର ମିଳିତ ସରକାରରେ ସେ ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି ।