ଭୁବନେଶ୍ବର:କ୍ରାଇମ ହବ ପାଲଟିଛି ରାଜଧାନୀ ଭୁବନେଶ୍ବର । ଭୁବନେଶ୍ବରର ଗୋଠପାଟଣା ଛକରେ ଜଳଖିଆ ଦୋକାନୀଙ୍କୁ ହତ୍ୟା ଘଟଣାକୁ ନେଇ ବଢୁଛି ସନ୍ଦେହ । ବ୍ୟବସାୟିକ ଶତ୍ରୁତା ନାଁ ଅନ୍ୟ କିଛି କାରଣ ପାଇଁ ହତ୍ୟାକାଣ୍ଡ ଘଟିଛି ? ତାହାର ଏଯାଏଁ ଗୁମର ଫିଟିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ଗତକାଲି(ସୋମବାର) ସନ୍ଧ୍ୟା ପାଖାପାଖି 8.30 ସମୟରେ ଭୁବନେଶ୍ବର ଗୋଠପାଟଣା ଛକରେ ହୋଇଛି ନିର୍ମମ ହତ୍ୟାକାଣ୍ଡ । ଛକରେ ଥିବା ଜଣେ ଜଳଖିଆ ଦୋକାନୀଙ୍କ ପତ୍ନୀଙ୍କୁ କେହି ଦୋକାନରୁ ଡାକିନେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ୱାମୀ ।
ସୂଚନା ଅନୁଯାୟୀ, କଟକ ଗୋବିନ୍ଦପୁର ଅଞ୍ଚଳ ବିଶ୍ବନାଥ ବେହେରା ଓ ତାଙ୍କ ପତ୍ନୀ ସସ୍ମିତା ବେହେରା ମିଶି 8 ମାସ ପୂର୍ବେ ଗୋଠପାଟଣା ଛକ ନିକଟରେ ଏକ ଜଳଖିଆ ଦୋକାନ ଖୋଲିଥିଲେ । ତେବେ ଦୋକାନ କରିବା ପରେ ଭଲ ସମ୍ପର୍କ ଯୋଗୁଁ ଆଖପାଖ ଦୋକାନ ଅପେକ୍ଷା ବ୍ୟବସାୟରେ ତାଙ୍କର ବେଶ ଭଲ ଲାଭ ହୋଇଥିଲା । ଦିନକୁ ପାଖାପାଖି 5ହଜାର ଟଙ୍କାର ଲାଭ ପାଇଥାନ୍ତି ଏହି ଦମ୍ପତି । ଯାହାକୁ ନେଇ ଅନ୍ୟ ବ୍ୟବସାୟୀମାନେ ବିଭିନ୍ନ ସମୟରେ ଇର୍ଷା ହେଉଥିବା ସୂଚନା ରହିଛି । ତେବେ ଦୋକାନ ଭଲ ଚାଲୁଥିବା ସମୟରେ କେନ୍ଦ୍ରାପଡା ଅଞ୍ଚଳର 2 ପ୍ରେମୀ ଯୁଗଳ ଆସି ସେଠାରେ କାମ କରିବା ସହ ରହିବା ପାଇଁ ସସ୍ମିତାଙ୍କୁ ଅନୁରୋଧ କରିଥିଲ । ସସ୍ମିତା ମଧ୍ୟ ସେମାନଙ୍କ ଅନୁରୋଧ ରକ୍ଷା କରି ସେମାନଙ୍କୁ ତାଙ୍କ ଦୋକାନରେ କାମ ଦେଇଥିଲେ । ତେବେ ଆଶ୍ରୟ ନେଇଥିବା ଯୁବକ ଜଣକ ସସ୍ମିତାଙ୍କ ସହ ଭଲ ସମ୍ପର୍କ ନଥିବା ଲୋକଙ୍କ ସହ ମିଶୁଥିବାରୁ ସେହି କଥାରୁ ନେଇ ସସ୍ମିତା ଅନେକ ସମୟରେ ଅସନ୍ତୋଷ ପ୍ରକାଶ କରୁଥିଲେ । କିଛି ଦିନ ପୂର୍ବେ ସେହି ଯୁବତୀ ଜଣକ ନିଜ ଗ୍ରାମକୁ ଫେରିଯାଇଥିବା ନେଇ ଯୁବକ ଜଣକ କହିଥିଲେ ।