ଓଡିଶା

odisha

ETV Bharat / state

ଗୋପାଳର ମାନସିକ ସ୍ଥିତି ଠିକ୍ ଅଛି କହିଲେ ମେଡିକାଲ ବୋର୍ଡ, ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କେଉଁ ଦିଗରେ ? - ମେଡିକାଲ ବୋର୍ଡ

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସର ମାନସିକ ଅବସ୍ଥା ସ୍ଥିର ରହିଛି । କୌଣସି ପାଗଳାମି ନାହିଁ ବୋଲି ମେଡିକାଲ ବୋର୍ଡ ରିପୋର୍ଟରେ ପ୍ରକାଶ ପାଇଛି । ଏହି ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଅଧିକ ପଢନ୍ତୁ

Gopal das
Gopal das

By

Published : Mar 7, 2023, 5:21 PM IST

ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କେଉଁ ଦିଗରେ

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣା । ହତ୍ୟାକାରୀ ଗୋପାଳ ଦାସ ମସ୍ତିଷ୍କ ସ୍ଥିର ଅର୍ଥାତ ସେ ପାଗଳ ନୁହେଁ ବୋଲି ମେଡିକାଲ ବୋର୍ଡର ରିପୋର୍ଟରେ ଦର୍ଶାଯାଇଛି । ଏହାକୁ ନେଇ ପୁଣି ସ୍ବରକୁ ଶାଣିତ କରିଛି ବିଜେପି । ଦଳ ପ୍ରାରମ୍ଭରୁ ଯାହା ସନ୍ଦେହ କରୁଥିଲା ତାହା ଆଜି ପ୍ରମାଣିତ ହୋଇଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ । ଗୋପାଳ ଜରିଆରେ ହତ୍ୟା ଷଡ଼ଯନ୍ତ୍ର ରଚାଯାଇଥିବା ସେ କହିଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ କରୁନାହିଁ । ରାଜ୍ୟ ସରକାର ତଦନ୍ତକୁ ଦିଗହରା କରିବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି ।

ଏହି ରିପୋର୍ଟ ଆସିବା ପରେ ଦିଲ୍ଲୀପ କହିଛନ୍ତି, "ନବ ଦାସଙ୍କୁ ଗୁଳି ମାରିବାର କିଛି ଘଣ୍ଟା ପରେ ଗୋପାଳକୁ ପାଗଳ ସଜାଯାଇଥିଲା । ଏହି ଘଟଣାରେ ଅନେକ ଷଡ଼ଯନ୍ତ୍ର କରାଯାଇଥିଲା । ଯାହାକି ଧୀରେ ଧୀରେ ପ୍ରମାଣିତ ହୋଇଚାଲିଛି । ରାଜ୍ୟ ସରକାର ଚାହୁଁନାହାନ୍ତି ଏହି ଘଟଣାର ତଦନ୍ତ ହେଉ । ଏହି ଘଟଣା ପଛରେ ଯିଏ ରହିଛି, ସେ ଧରାପଡୁ ବୋଲି ସରକାର ଚାହୁଁନାହାନ୍ତି । ଘଟଣାକୁ ୫ ସପ୍ତାହରୁ ଅଧିକ ସମୟ ବିତିଗଲାଣି ହେଲେ ହତ୍ୟାକାରୀ କିଏ ଜଣାପଡ଼ିନାହିଁ । ଝାରସଗୁଡୁ଼ା ଦୌରା ଜଜଙ୍କ ରାୟ ଓ ମେଡିକାଲେ ରିପୋର୍ଟରେ ଆଜି ଗୋପାଳର ମସ୍ତିଷ୍କ ସ୍ଥିର ରହିଥିବା କୁହାଯାଇଛି । ତେଣୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପ୍ରମାଣିତ ହୋଇଛି ।"

ଏହା ବି ପଢନ୍ତୁ- ସୁରକ୍ଷିତର ସହ ଖେଳନ୍ତୁ ହୋଲି, ଉତ୍ପାତ ହେଲେ ଉଠାଇନେବ ପୋଲିସ

ସେ ଆହୁରି କହିଛନ୍ତି, "ଘଟଣାରେ ଗୋପାଳକୁ ନେଇ ଗୁଜୁରାଟ ଯିବା, ପାଇଖାନା ଟାଙ୍କିକୁ ନେବା ଭଳି ଅନେକ ପ୍ରକାର ଗପ କହୁଛନ୍ତି ସରକାର । ଆଗକୁ ମଧ୍ୟ ଏଭଳି ଗପ ଆସିପାରେ । ଏହି ଘଟଣାକୁ ନେଇ ସର୍ବସାଧାରଣରେ ନିନ୍ଦିତ ହେବା ବେଳକୁ ସରକାର ଏପରି ଗୋଟିଏ ପରେ ଗୋଟିଏ କାହାଣୀ କହୁଛନ୍ତି । ଏଣୁ ତଦନ୍ତର ବାଟ ଘେରୁଛନ୍ତି ନିଜେ ସରକାର । ଆଇନକୁ ତା' ବାଟରେ ଯିବାକୁ ଦେଉନାହାନ୍ତି । ରାଜ୍ୟ ସରକାର ନିଜେ ଆଇନଟର ବାଟକୁ ଘେରୁଛନ୍ତି । ଅପରାଧୀଙ୍କୁ ସରକାର ଘଣ୍ଟ ଘୋଡ଼ାଉଛନ୍ତି । ଆଉ ଶେଷରେ ଯାହା ହାତରେ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି ତାକୁ ମଧ୍ୟ ଖସାଇବା ଲାଗି ଯୋଜନା କରାଯାଉଛି ଯାହାକି ଆଜି ଏହି ରିପୋର୍ଟ ଆସିବା ପରେ ପ୍ରମାଣିତ ହୋଇଛି ।"

ସେପଟେ ଏହି ଘଟଣାକୁ ନେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, "ମେଡିକାଲ ରିପୋର୍ଟରେ କୁହାଯାଇଛି ଯେ ଗୋପାଳ ମାନସିକ ସ୍ତରରେ ସ୍ଥିର ଅଛି । ପାଗଳାମି ନାହିଁ। ଆଖିରେ ଆଖି ମିଳେଇ ସେ କଥା ହେଉଛି । ସମସ୍ତ ପ୍ରଶ୍ନର ଉତ୍ତର ମଧ୍ୟ ଦେଉଛି । ମେଡିକାଲ ରିପୋର୍ଟ ସର୍ବସାଧାରଣ ହୋଇଥିବା ବେଳେ ନାର୍କୋ ଟେଷ୍ଟର ଫଳାଫଳ କଣ ସେ ସମ୍ପର୍କରେ ମଧ୍ୟ କ୍ରାଇମବ୍ରାଞ୍ଚ ଲୋକଙ୍କ ସାମ୍ନାରେ ରଖିବା ଆବଶ୍ୟକ । ପୂର୍ବରୁ କ୍ରାଇମବ୍ରାଞ୍ଚ ଯାହା ତଦନ୍ତ କରିଛି ତାର ଖୁଲସା କରୁ। ନଚେତ୍ ଲୋକଙ୍କ ମନରେ ସନ୍ଦେହ ଆହୁରି ଦୃଢିଭୂତ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details