ଭୁବନେଶ୍ବର:ଲାଇଫ ଇନସୁରାନ୍ସ କରୁଥିଲେ ସାବଧାନ । ଉପଭୋକ୍ତାଙ୍କ ପ୍ରିମିୟମ ଆଳରେ ଆସୁଛି କି ଫୋନ୍ କଲ । ଲୋକଙ୍କୁ ମ୍ୟାଚୁରିଟି ବେନିଫିଟ୍ ବା ଅଧିକ ବୋନସ ମିଳିବାର ଲୋଭ ଦେଖାଇ ଠକିବା ପାଇଁ କଲ୍ କରୁଛନ୍ତି ସାଇବର ଠକ । ଯାହାର ଲୋଭରେ ପଡ଼ି ଉପଭୋକ୍ତା ଟଙ୍କା କାରବାର କରି ହେଉଛନ୍ତି ଠକାମିର ଶିକାର । ଏପରି ଜଣେ ମହିଳା ଠକେଇର ଶିକାର ହୋଇ ଅଭିଯୋଗ କରିବା ପରେ ଏବେ ଭୁବନେଶ୍ବର ସାଇବର ଥାନା ପୋଲିସ ଟିମ୍ ଦିଲ୍ଲୀରୁ ୨ଜଣ ଠକଙ୍କୁ ଗିରଫ କରିଛି ।
ଏହି ଠକଙ୍କ ମଧ୍ୟରୁ ଜଣେ ଠକ ନିଜକୁ ଓକିଲର ପରିଚୟ ଦେଇ ପରେ କେସ୍ କରିବାର ଆଳ ଦେଖାଇ ଚୁପ୍ ରହିବାକୁ ଧମକାଉଥିଲା । ସୂଚନା ମୁତାବକ ଯସଶ୍ବିନୀ ଦାସ ନାମକ ଜଣେ ମହିଳା ଥାନାରେ ଏଭଳି ଅଭିଯୋଗ କରିଛନ୍ତି । ସେ ଭୁବନେଶ୍ବର ସାଇବର ଥାନାରେ ଏକ ଅଭିଯୋଗ ଆଣିଥିଲେ ଯେ ଗତ ଜାନୁଆରୀ ମାସରେ ଏକ ଫୋନ୍ କଲ ଆସିଥିଲା । ତାଙ୍କର ଏର ଲାଇଫ ଇନସୁରାନ୍ସ ପଲିସିର ଡିଟେଲ କହି ଠକ ନିଜକୁ କମ୍ପାନୀର କର୍ମଚାରୀର ପରିଚୟ ଦେଇଥିଲେ।
ଏପରିକି ସେ ଭରୁଥିବା ପ୍ରିମିୟମ ସୂଚନା ଓ ବେନିଫିଟ୍ ସୂଚନା ସମ୍ପର୍କିତ ତଥ୍ୟ ପ୍ରଦାନ କରି କହିଥିଲେ ଯେ ଆପଣଙ୍କ ପଲିସିର ମ୍ୟାଚୁରିଟି ହୋଇଯିବ। ହେଲେ ଆପଣ ଚାହିଁଲେ ଆପଣଙ୍କ ମ୍ୟାଚୁରିଟି ମୂଲ୍ୟଠାରୁ ୭୫ପ୍ରତିଶତ ଅଧିକ ବୋନସ ମିଳିପାରିବ। ଯଦି ସେହି ବୋନସ ଚାହୁଁଛନ୍ତି ତେବେ ସେଥିପାଇ କମ୍ପାନୀର କିଛି ନିୟମ ଫଲୋ କରିବାକୁ ପଡ଼ିବ। ଏହି କ୍ରମରେ କିଛି ଜିଏସଟି ଓ ଅନ୍ୟାନ୍ୟ ଚାର୍ଜ ଭରିବା ଆଳରେ ଲୋଭ ଦେଖାଇ ତାଙ୍କଠୁ ପ୍ରର୍ଯ୍ୟାୟ କ୍ରମେ ୧୭ଲକ୍ଷ ଟଙ୍କା ନେଇଯାଇଥିଲେ । ହେଲେ ନା ତାଙ୍କୁ ବୋନସ ଟଙ୍କା ଭାବେ ୮୨ଲକ୍ଷ ମିଳିଲା ନା ସେମାନେ ଏନେଇ ପରେ ଆଉ ଧରାଛୁଆଁ ଦେଲେ।