ଭୁବନେଶ୍ବର: ବରିଷ୍ଠ ରାଜନେତା ପୂର୍ବତନ ମନ୍ତ୍ରୀ ତଥା ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ । ଦୀର୍ଘଦିନ ଧରି କିଡନୀ ଜନିତ ରୋଗରେ ଥିଲେ ପୀଡିତ । ସଂଧ୍ୟା 07.30 ମିନିଟରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ । 74 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ସୂର୍ଯ୍ୟ । ୧୯୯୦ ମସିହାରେ ପ୍ରଥମ ଥର ବିଧାୟକ ଭାବେ ବିଧାନସଭାକୁ ହୋଇଥିଲେ ନିର୍ବାଚିତ । ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ଟିକଟରୁ ନିର୍ବାଚନ ଲଢି ହୋଇଥିଲେ ବିଧାୟକ । ରାଜନୀତି ଜୀବନରେ ମୋହନାରୁ 4 ଥର ଦିଗପହଣ୍ଡିରୁ 3 ଥର ବିଧାନସଭାକୁ ହୋଇଥିଲେ ନିର୍ବାଚିତ । 1990 ମସିହାରୁ 2019 ଯାଏଁ ଲଗାତାର 7 ଥର ହୋଇଥିଲେ ବିଧାୟକ ।
ଏହାବି ପଢନ୍ତୁ- ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ମନ୍ତ୍ରୀ ମଣ୍ଡଳରେ ରାଜସ୍ବ, ଶକ୍ତି, ଯୋଗାଣ, ପରିବେଶ, ସଂସ୍କୃତି ଓ ସୂଚନା ଲୋକସଂପର୍କ ଭଳି ବିଭାଗର ମନ୍ତ୍ରୀ ରହିଥିଲେ। 2019 ନିର୍ବାଚନରେ ବିଜୟୀ ହେବା ପରେ ଷୋଡଶ ବିଧାନସଭାର ବାଚସ୍ପତି ହୋଇଥିଲେ ସୂର୍ଯ୍ୟ ନାରାୟଣ ପାତ୍ର । ସୂର୍ଯ୍ୟ ଗତ ୨୦୧୯ ଜୁନ ୧ରୁ ୨୦୨୨ ଜୁନ ୪ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ଥିଲେ। ପରେ ସ୍ବାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଥିଲେ । ନିଜ ବାଚସ୍ପତି କାର୍ଯ୍ୟକାଳ ସମୟରେ ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାକୁ ପୁରା ଡିଜିଟାଇଜେସନ କରିବାକୁ ବଡ ଭୂମିକା ତୁଳାଇଥିଲେ । ଏହାସହ ବିଧାନସଭା କାର୍ଯ୍ୟାବଳୀରେ ବିଭିନ୍ନ ସଂସ୍କାର ଆଣିବାକୁ ଉଦ୍ୟମ କରିଥିଲେ ।
୧୯୭୭ ରେ ରାଜନୈତିକ ଜୀବନ ଆରମ୍ଭ କରିଥିବା ସୂର୍ଯ୍ୟ ଜଣେ ସଫଳ ରାଜନେତା ଭାବେ ପ୍ରତିଷ୍ଠିତ ହୋଇଥିଲେ । ବ୍ରହ୍ମପୁର ମ୍ୟୁନିସିପାଲଟିର କାଉନସିଲ ଭାବେ ରାଜନୀତିରେ ପ୍ରବେଶ କରିଥିଲେ ସୂର୍ଯ୍ୟ। ସୂର୍ଯ୍ୟ ନାରାୟଣ ପାତ୍ର ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଜଣେ ଅପ୍ରଦ୍ବନ୍ଦିତ ରାଜନେତା ଥିଲେ । ବିଜୁ ଜନତା ଦଳର ଜଣେ ବରିଷ୍ଠ ରାଜନେତା ଭାବେ ବେଶ ପ୍ରଭାବଶାଳୀ ହୋଇପାରିଥିଲେ ।