ଓଡିଶା

odisha

ଭୁବନେଶ୍ୱରରେ ‘ଟେକ ଇନ ଟୁରିଜିମ’ କନକ୍ଲେଭ: ‘ଟେକ୍ନୋଲୋଜି ବିନା ପର୍ଯ୍ୟଟନର ବିକାଶ ଅସମ୍ଭବ’

By ETV Bharat Odisha Team

Published : Sep 6, 2023, 7:54 AM IST

ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ‘ଟେକ ଇନ ଟୁରିଜିମ’ କନକ୍ଲେଭ । ପର୍ଯ୍ୟଟନରେ ଟେକ୍ନୋଲୋଜିର ବ୍ୟବହାର ପାଇଁ ସଚେତନତା, ଓଡ଼ିଶାରେ ପର୍ଯ୍ୟଟନର ସମ୍ଭାବନା, ପର୍ଯ୍ୟଟନ ବିକାଶ ପାଇଁ ନୂଆ ଆବିଷ୍କାର, ସ୍ମାର୍ଟ ଟୁରିଜିମ, ସାଇବର ସିକ୍ୟୁରିଟି ପ୍ରମୁଖ ବିଷୟ ଉପରେ ପ୍ୟାନେଲ ଆଲୋଚନା । ଅଧିକ ପଢ଼ନ୍ତୁ

ପ୍ରଥମ ‘ଟେକ ଇନ ଟୁରିଜିମ’ କନକ୍ଲେଭ ଅନୁଷ୍ଠିତ
ପ୍ରଥମ ‘ଟେକ ଇନ ଟୁରିଜିମ’ କନକ୍ଲେଭ ଅନୁଷ୍ଠିତ

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ‘ଟେକ ଇନ ଟୁରିଜିମ’ କନକ୍ଲେଭ । ଟ୍ରାଭେଲ ଟେକ କମ୍ପାନୀ ‘ରେଟରୋଡ’ ପକ୍ଷରୁ ଭୁବନେଶ୍ଵରର ଆରସିଏମ କଲେଜରେ ଏହି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କନକ୍ଲେଭରେ ସାମିଲ ହୋଇଛନ୍ତି ବିଶିଷ୍ଟ ବ୍ୟକ୍ତି, ଉଦ୍ୟୋଗପତି, ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତି । ପର୍ଯ୍ୟଟନ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାରକୁ ନେଇ ବିଶେଷ ଭାବେ ଚର୍ଚ୍ଚା ହୋଇଛି । ପର୍ଯ୍ୟଟନ କ୍ଷେତ୍ରରେ ଟେକ୍ନୋଲୋଜିର ଉପଯୁକ୍ତ ବ୍ୟବହାର କିପରି ହୋଇପାରିବ ସେ ବିଷୟରେ କାର୍ଯ୍ୟକ୍ରମରେ ବିଭିନ୍ନ ବକ୍ତା ନିଜର ମତ ପ୍ରକାଶ କରିଛନ୍ତି ।

ତେବେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ସୂଚନା ଏବଂ ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର ଯୋଗ ଦେଇଛନ୍ତି । ମନୋଜ କହିଛନ୍ତି "ପର୍ଯ୍ୟଟନ ଏବଂ ଟେକ୍ନୋଲୋଜି ପରସ୍ପର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ହୋଟେଲ ବୁକିଂ ଠାରୁ ଆରମ୍ଭ କରି ହସ୍ପିଟାଲିଟି ଯାଏଁ ସବୁକିଛିରେ ଟେକ୍ନୋଲୋଜିର ବ୍ୟବହାର ହେଉଛି । ଟେକ୍ନୋଲୋଜିର ବ୍ୟବହାର ବଢ଼ିଲେ ପର୍ଯ୍ୟଟନ ଶିଳ୍ପର ବିକାଶ ଘଟିବ । ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ପର୍ଯ୍ୟଟନ କ୍ଷେତ୍ର ତଥା ହୋଟେଲ ଶିଳ୍ପରେ ଉଲ୍ଲେଖନୀୟ ରୂପାନ୍ତରଣ ଆଣିଛି । ଆଗାମୀ ଦିନରେ ଏହା ଉପଯୋଗରେ ଉଭୟ କ୍ଷେତ୍ରରେ ଭିନ୍ନ ଏକ ଅନୁଭୂତି ଆଣିବା ଲକ୍ଷ୍ୟ ରହିବ।"

ଏହା ମଧ୍ୟ ପଢ଼ନ୍ତୁ....Odisha Assembly: ପର୍ଯ୍ୟଟନ ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ ହେବ 125 କୋଟି

ସେହିପରି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ଦିନ ଥିଲା ଓଡ଼ିଶାର ପର୍ଯ୍ୟଟନ କହିଲେ ପୁରୀ ଶ୍ରୀମନ୍ଦିର, କୋଣାର୍କ, ଧଉଳି ଭଳି କିଛି ହାତଗଣତି ସ୍ଥାନକୁ ଲୋକେ ଜାଣୁଥିଲେ । କିନ୍ତୁ ବର୍ତ୍ତମାନ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ସହ କଟକ ପ୍ରସିଦ୍ଧ ଦହିବରା, ପୁରୀ ସମୁଦ୍ରକୂଳ ଝାଲମୁଢ଼ି ସଂପର୍କରେ ବି ପର୍ଯ୍ୟଟକମାନେ ଜାଣିପାରୁଛନ୍ତି । ତାହା କେବଳ ଟେକ୍ନୋଲୋଜି ଦ୍ୱାରା ସମ୍ଭବ ହୋଇପାରିଛି । ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅନେକ ସୁଯୋଗ ରହିଛି । ଟେକ୍ନୋଲୋଜିର ଉତ୍ତମ ବ୍ୟବହାର ହେଲେ ଓଡ଼ିଶାର ପର୍ଯ୍ୟଟନ ଏକ ନୂଆ ସ୍ତରକୁ ଯିବ ।

ଅନ୍ୟପକ୍ଷେ ଓଟିଡିସି ଅଧ୍ୟକ୍ଷ ଲେନିନ ମହାନ୍ତି କହିଛନ୍ତି ଯେ, ଆଜିର ଯୁଗରେ ପର୍ଯ୍ୟଟନ ଶିଳ୍ପର ଚାହିଦା ଆଶାତୀତ ଭାବେ ବୃଦ୍ଧି ପାଉଛି । ଏହି କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଭିତ୍ତିକ ପର୍ଯ୍ୟଟନ ନିଶ୍ଚିତ ଭାବେ ପର୍ଯ୍ୟଟକମାନଙ୍କ ଆଗମନ, ପରିଦର୍ଶନ ଓ ସୁଖ ସ୍ୱାଚ୍ଛନ୍ଦ୍ୟକୁ ସୁନିଶ୍ଚିତ କରିବ । ଏହା ସହ ରାଜ୍ୟ ଅର୍ଥନୀତିକୁ ସୁଦୃଢ କରିବାରେ ସହାୟକ ହେବ ।

ଏହାସହ ପର୍ଯ୍ୟଟନରେ ଟେକ୍ନୋଲୋଜିର ବ୍ୟବହାର ପାଇଁ ସଚେତନତା, ଓଡ଼ିଶାରେ ପର୍ଯ୍ୟଟନର ସମ୍ଭାବନା, ପର୍ଯ୍ୟଟନ ବିକାଶ ପାଇଁ ନୂଆ ଆବିଷ୍କାର, ସ୍ମାର୍ଟ ଟୁରିଜିମ, ସାଇବର ସିକ୍ୟୁରିଟି ପ୍ରମୁଖ ବିଷୟ ଉପରେ ପ୍ୟାନେଲ ଆଲୋଚନା ହୋଇଛି । କନକ୍ଲେଭରେ ହୋଟେଲ ଶିଳ୍ପ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଶିଷ୍ଟ ଶିଳ୍ପପତି, ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବିଭିନ୍ନ ବ୍ୟକ୍ତି ସାମିଲ ହୋଇଛନ୍ତି । ଅନୁଷ୍ଠାନର ଏହି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି । ରେଟରୋଡ କମ୍ପାନିର ପ୍ରତିଷ୍ଠାତା ପ୍ରଭାତ କୁମାର ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ତେବେ ଉକ୍ତ କାର୍ଯ୍ୟକ୍ରମରେ ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡକ୍ଟର ଲେନିନ ମହାନ୍ତି, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କ୍ରାଉନ ହୋଟେଲ ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details