ଖୋର୍ଦ୍ଧା:ଅନ୍ତର୍ଜାତୀୟ ଫୁଟବଲ ଫେଡରେସନ ସଂଗଠନ ପକ୍ଷରୁ ଭାରତରେ 17 ବର୍ଷରୁ କମ୍ ମହିଳା ବିଶ୍ବକପ ଫୁଟବଲ ଆୟୋଜିତ ହେଉଛି। ଏହାକୁ ଅଧିକ ପ୍ରଚାର ଓ ପ୍ରସାର କରିବା ପାଇଁ ଓଡ଼ିଶାର ୩୦ ଜିଲ୍ଲାରେ ବିଦ୍ୟାଳୟ ସ୍ତରରେ ୧୭ ବର୍ଷରୁ କମ୍ ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି । ଏହି କ୍ରମରେ ଖୋର୍ଦ୍ଧା ଷ୍ଟାଡିୟମ ଠାରେ ମଙ୍ଗଳବାର ଏକ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ।
ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଭୁବନେଶ୍ବର ମହାନଗର ନିଗମର ଉଭୟ ବାଳକ ଓ ବାଳିକା ଦଳ ବାଣପୁରର ବାଳକ ଓ ବାଳିକା ଦଳଙ୍କୁ ପରାସ୍ତ କରି ବିଜୟ ହାସଲ କରିଛନ୍ତି । ସେହିପରି ଅନ୍ୟ ଏକ ମ୍ୟାଚରେ ଜଟଣୀର ଉଭୟ ବାଳକ ଓ ବାଳିକା ଦଳ ଚିଲିକାର ବାଳକ ଓ ବାଳିକା ଦଳକୁ ହରାଇ ବିଜୟୀ ହୋଇଛନ୍ତି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ପୂର୍ବତନ କୁଳପତି ଡଃ. ନାରାୟଣ ରାଓ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡଃ. ଅମୃତା ପ୍ରୀତିନନ୍ଦା, ସ୍ନିଗ୍ଧା ମିଶ୍ର, ବିଇଓ ଡଃ. ନିରଂଜନ ମହାନ୍ତି, ସନାତନ ଜାଲି, ନଳିନୀକାନ୍ତ ମହାନ୍ତି, ସଂଧ୍ୟାରାଣୀ ରାଉତ, ରଶ୍ମିବାଳା ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ବକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସେକ୍ ଗୋହର ଅଲ୍ଲୀ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପଠାଣି ଆଗ୍ରାସିଂହ, ସହ ଗୋଷ୍ଠୀ ଶିକ୍ଷାଧିକାରୀ ଭରତଚନ୍ଦ୍ର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଟୁର୍ଣ୍ଣାମେଣ୍ଟରେ ପ୍ରଶାସନ ପକ୍ଷରୁ ୧୩୮୦ଟି ଫୁଟବଲ ବିଭିନ୍ନ ଉଚ୍ଚବିଦ୍ୟାଳୟକୁ ପ୍ରଦାନ କରାଯାଇଥିଲା ।