ଭୁବନେଶ୍ବର:ଠକେଇ ପାଇଁ ଠକଙ୍କ ବଦଳୁଛି ଟ୍ରିକ୍ । ନୂଆ ନୂଆ ଟ୍ରିକରେ ହେଉଛି ଠକାମି । ଅନ୍ଲାଇନରେ ଠକେଇ ପାଇ ପୁଞ୍ଜି ନିବେଶ ଆଳରେ ଏବେ ଅଧିକାଂଶ ହେଉଛି ଠକେଇ । ସାମ୍ନାକୁ ଆସିଛି କ୍ରିପ୍ଟୋ କରେନ୍ସି ନିବେଶ ଆଳରେ ଠକେଇ ସିଣ୍ଡିକେଟ । ଯୁବପୀଢି ଓ ପାଠୁଆ ଯୁବକଙ୍କୁ କ୍ରିପ୍ଟୋ କରେନ୍ସି ବା ଡିଜିଟାଲ କରେନ୍ସିର ଲୋଭ ଦେଖାଇ ଠକୁଛନ୍ତି କୋଟି କୋଟି । ଏଭଳି ଏକ ଠକାମି ସିଣ୍ଡିକେଟର ଖୁଲାସା କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧା ଶାଖା ଟିମ୍ ।
ମହାରାଷ୍ଟ୍ର ପୁଣେରୁ ଅଭିଯୁକ୍ତ ବିଶାଲ ଶାଖାରାମ ଉତ୍କର ନାମକ ଅଭିଯୁକ୍ତକୁ ଗିରଫ ପରେ ଖୋଲିଛି ଏହି ସିଣ୍ଡିକେଟର ଚେର । ଏହି ନୂଆ ଧରଣର ଠକେଇରେ ୧୪୦କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ କାରବାର ହୋଇଥିବା ଜଣାପଡ଼ିଛି । ଗିରଫ ପରେ ଟ୍ରାନଜିଟ ରିମାଣ୍ଡରେ ଆଣି କଟକ ଓପିଆଇଡି କୋର୍ଟରେ ଅଭିଯୁକ୍ତଙ୍କୁ ପୁଞ୍ଜି ଠକେଇ ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଛି । ତେବେ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବା ପରେ ପୁରା ସିଣ୍ଡିକେଟର ଚେର ଖୋଲିବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ଇଓଡବ୍ଲ୍ୟୁ ଏସପି ଦିଲ୍ଲୀପ କୁମାର ତ୍ରିପାଠୀ ।
ଇଓଡବ୍ଲୁ ଏସପି ଦିଲ୍ଲୀପ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ଏବେ ଅନଲାଇନରେ ପୁଞ୍ଜି ନିବେଶ ଆଳରେ ଲୋଭ ଦେଖାଇ ଠକାମି ପାଇଁ ବିଭିନ ଉପାୟ ବାଛିଛନ୍ତି ଠକ । କିଛିଦିନ ତଳେ ଯେପରି ଫୁଟବଲ୧୮.ଡଟକମ ଆଳରେ ବେଟିଂ ଆଳରେ ଠକାମି କରୁଥିଲେ ଠିକ୍ ସେହିପରି ବର୍ତ୍ତମାନ କ୍ରିପ୍ଟୋ କରେନ୍ସି ମାଧ୍ୟମରେ ଠକେଇ କରାଯାଉଛି । ଡିଜିଟାଲ କରେନ୍ସିକୁ କନଭର୍ଟ କରି ନିବେଶ କରିବାକୁ ଲୋକେ ଏବେ ଆଗ୍ରହୀ ହେଉଛନ୍ତି । ଏଣୁ ଏଭଳି ନୂଆ ଧରଣର ଠକେଇ ପନ୍ଥା ଆପଣାଇଛନ୍ତି ଠକ । ବିଶେଷ କରି ଯାହାର ଫାଇଦା ନେବାକୁ ଠକ ବିଭିନ୍ନ ଜାଲ ବିଛାଇଛନ୍ତି ।